ଭୁବନେଶ୍ୱର, ୧୦/୧୨-ସପ୍ତମ ରାଜ୍ୟ ପୁସ୍ତକମେଳାରେ ସ୍ଵର୍ଗତଃ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଓଡ଼ିଶାର ଇତିହାସ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ସମୀକ୍ଷକ ଭାସ୍କର ପରିଚ୍ଛାଙ୍କ ସମ୍ପାଦନାରେ ପ୍ରସ୍ତୁତ ଏହି ପୁସ୍ତକଟି ଓଡ଼ିଶାର ଅଗଣିତ ଇତିହାସପ୍ରେମୀଙ୍କ ପାଇଁ ଏକ ମୂଲ୍ୟବାନ ଗ୍ରନ୍ଥ ଭାବରେ ଆଗାମୀ ଦିନରେ ବେଶ୍ ପରିଗଣିତ ହେବ ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ।

ଏହି ଅବସରରେ ବୈଜ୍ଞାନିକ ଡକ୍ଟର ଚିତ୍ତରଂଜନ ମିଶ୍ରଙ୍କ ଜ୍ଞାନବିଜ୍ଞାନର ନଵଦିଗନ୍ତ, ଡକ୍ଟର ଶକୁନ୍ତଳା ବଳିଆରସିଂହଙ୍କ ଉପନ୍ୟାସ ଷୋଢଶୀର ଇଂରାଜୀ ଅନୁବାଦ ପୁସ୍ତକ ରେବା ପଟ୍ଟନାୟକଙ୍କ ଦ୍ଵାରା ଦେବୀ, ଅଧ୍ୟାପକ ଗଦାଧର ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ଇତିହାସ, ଅନସୂୟା ମହାପାତ୍ରଙ୍କ ପ୍ରବନ୍ଧ ସଂକଳନ ଦିଗନ୍ତ ରେଖା, ସ୍ନେହଲତା ନାୟକଙ୍କ କବିତା ସଂକଳନ ଅନୁଚ୍ଚାରିତ ସ୍ୱପ୍ନ ଏବଂ ଡକ୍ଟର ଅଲେଖ ପ୍ରସାଦ ମହାରଣାଙ୍କ ଟୁଇଲାଇଟ୍ ଅଫ୍ ଟାଇମ୍ ଉନ୍ମୋଚିତ ହୋଇଯାଇଛି। ପୁସ୍ତକର ବିକଳ୍ପ ନାହିଁ, ସର୍ବଦା ଏହା ଆଗାମୀ ପିଢି ପାଇଁ ଅମୂଲ୍ୟ ସମ୍ପଦ ହୋଇ ରହିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପୂର୍ବୀ ପ୍ରକାଶନୀର ମୂଖ୍ୟ ପରାମର୍ଶଦାତା ଅଧ୍ୟାପକ ବିରଞ୍ଚି ନାରାୟଣ ଦାସ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ।