-ଓଡ଼ିଆ ରୋଷେଇର ବିଶ୍ୱସ୍ତରୀୟ ପ୍ରଚାର ପାଇଁ ଶେଫ୍ ରଣବୀର ବ୍ରାର ହେଲେ ବ୍ରାଣ୍ଡ ଆମ୍ବାସଡର
-ଭାଷା, ସଂସ୍କୃତି ଓ ପରମ୍ପରାକୁ ନେଇ ଜନ ଆନ୍ଦୋଳନରେ ପରିଣତ ହୋଇଛି ‘ଓଡ଼ିଆ ପକ୍ଷ’
ଭୁବନେଶ୍ୱର:୧୪/୪-ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ପବିତ୍ର ଅବସରରେ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ‘ଓଡ଼ିଆ ପକ୍ଷ ଉଦଯାପନୀ–୨୦୨୬’ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ କେବଳ ଚଉଦ ଦିନରେ ସୀମିତ ରଖିବା ନୁହେଁ ବରଂ ବର୍ଷବ୍ୟାପି ଜୀବନ ଶୈଳୀର ଅବିଛିନ୍ନ ଅଂଶ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଥିଲେ ଯେ, ‘ଓଡ଼ିଆ ପକ୍ଷ’ର ଏହି ସଫଳ ଆୟୋଜନ କେବଳ ଏକ ଉତ୍ସବ ନୁହେଁ, ଏହା ଆମ ଅସ୍ମିତାର ଉଦ୍ଘୋଷଣା ଓ ଏକ ନୂତନ ସାଂସ୍କୃତିକ ଜାଗରଣର ଆରମ୍ଭ। ସାଂସ୍କୃତିକ ଆଧାର ବିନା ଆର୍ôଥକ ସମୃଦ୍ଧିର କୌଣସି ଅର୍ଥ ନାହିଁ।

ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ହୋଇଥିବା ଐତିହାସିକ ସଂଘର୍ଷକୁ ସ୍ମରଣ କରି ସେ କହିଥିଲେ ଯେ, ଏହି ଆନ୍ଦୋଳନ ଆମର ଜାତୀୟ ପରିଚୟକୁ ସୁଦୃଢ଼ କରିଛି। ଗଙ୍ଗାଧର ମେହେର, ରାଧାନାଥ ରାୟ, ମଧୁସୂଦନ ରାଓ ଓ ଫକୀରମୋହନ ସେନାପତିଙ୍କ ପରି ବରେଣ୍ୟ ସାହିତ୍ୟିକମାନଙ୍କ ଅବଦାନ ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗ ଦେଇଥିବାର ସେ କହିଥିଲେ। ଚଳିତ ବର୍ଷ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ‘ଓଡ଼ିଆ ପକ୍ଷ’ ପାଳନ ମାଧ୍ୟମରେ ଓଡ଼ିଆ ଅସ୍ମିତାକୁ ସମାଜର ପ୍ରତ୍ୟେକ ସ୍ତରରେ ଜାଗୃତ କରିବାର ଚେଷ୍ଟା କରାଯାଇଛି। ‘ଆମ ପୋଷାକ ଆମ ପରିଚୟ’ ଅଭିଯାନ ମାଧ୍ୟମରେ ପାରମ୍ପରିକ ହସ୍ତତନ୍ତ ବସ୍ତ୍ରର ପ୍ରଚାର, ‘ପ୍ରବେଶ ଉତ୍ସବ’ ମାଧ୍ୟମରେ ଶିଶୁମାନଙ୍କୁ ଶିକ୍ଷାରେ ସାମିଲ କରିବା ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବ୍ୟବହାରକୁ ଜନଆନ୍ଦୋଳନର ରୂପ ଦେବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ଏହି ପକ୍ଷରେ ୧୮ ହଜାରରୁ ଅଧିକ ‘ବର୍ଣ୍ଣବୋଧ’ ଓ ‘ଶିଶୁଲେଖା’ ପୁସ୍ତକ ବିତରଣ, ଏକ ଦିନରେ ରେକର୍ଡ଼ ସଂଖ୍ୟକ ଇଉନିଟ୍ ରକ୍ତ ସଂଗ୍ରହ ଏବଂ ପିପିଲିରେ ଆୟୋଜିତ ଲୋକକଳା ରୋଡ୍ ଶୋ’ ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ବୈଭବକୁ ଜାଗୃତ କରାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ପଖାଳ ପରମ୍ପରାର ବିଶ୍ୱସ୍ତରୀୟ ସ୍ୱୀକୃତି ଓ ଲୋକକଳାର ପ୍ରସାର ଓଡ଼ିଆ ସଂସ୍କୃତିର ଗୌରବକୁ ବଢ଼ାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ଚଳିତ ବଜେଟ୍ରେ ୬୧୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଛଉ ନୃତ୍ୟର ସଂରକ୍ଷଣ ପାଇଁ ‘ଛଉ ଏକାଡେମୀ’ ପ୍ରତିଷ୍ଠା ଓ ବରପୁତ୍ରମାନଙ୍କ ଜନ୍ମପୀଠକୁ ସାଂସ୍କୃତିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକାଶ କରିବା ପାଇଁ ଯୋଜନା ହୋଇଥିବା ସେ କହିଥିଲେ।

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ବଢ଼ାଇବା ସହ ସମସ୍ତ ବିଦ୍ୟାଳୟରେ ଓଡ଼ିଆ ପଢ଼ାଇବାକୁ ବାଧ୍ୟତାମୂଳକ କରାଯିବ। ୨୦୩୬ ଓ ୨୦୪୭ ଲକ୍ଷ୍ୟ ଅନୁସାରେ ଓଡ଼ିଶାକୁ ଏକ ବିକଶିତ ଓ ସାଂସ୍କୃତିକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହିତ ବିଭିନ୍ନ ପୁସ୍ତକ ଉନ୍ମୋଚନ କରିଥିଲେ। ଓଡ଼ିଆ ରୋଷେଇର ବିଶ୍ୱସ୍ତରୀୟ ପ୍ରଚାର ପାଇଁ ସେଲିବ୍ରିଟି ଶେଫ୍ ରଣବୀର ବ୍ରାର୍ ବ୍ରାଣ୍ଡ ଆମ୍ବାସାଡର ଏବଂ ଶେଫ୍ ଅବିନାଶଙ୍କୁ ‘ଓଡ଼ିଆ କ୍ୟୁଲିନାରୀ ଚାମ୍ପିଅନ’ ଭାବେ ମନୋନୀତ କରାଯାଇଛି। ଏଥି ସହ ଶେଫ୍ ଅଞ୍ଜୁ ଓ ମଞ୍ଜୁଙ୍କ ସହଯୋଗରେ ଏହି ଅଭିଯାନ ଓଡ଼ିଶାର ପାରମ୍ପରିକ ରୋଷେଇର କାହାଣୀ ଓ ବିଜ୍ଞାନକୁ ସଂରକ୍ଷିତ କରିବା ସହ ଏହାକୁ ତୃଣମୂଳ ସ୍ତରରୁ ଆନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ ପହଞ୍ଚାଇବ ବୋଲି ଆଶା ରଖାଯାଇଛି।