ଭୁବନେଶ୍ୱର:୩୦/୩- ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ୨୦୨୫ ମସିହାରେ ସାରା ରାଜ୍ୟରେ ପ୍ରଥମଥର ପାଇଁ ଓଡ଼ିଆ ଅସ୍ମିତାର ମହାପର୍ବ- “ଓଡ଼ିଆ ପକ୍ଷ’ ପାଳନ କରାଯାଇଥିଲା। ଓଡ଼ିଆ ଘରର ଗାଥା-ଗୌରବ, କଥାସରିତା, ଚାଲି-ଚଳଣି, ଖାଦ୍ୟ-ପାନୀୟ, ପୋଷାକ-ପରିଧାନ ସଂସ୍କୃତି ଓ ପରମ୍ପରାକୁ ପୁନଶ୍ଚ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ଧରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ’ ଭବ୍ୟତାର ସହ ପାଳନ କରାଯିବ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ।

ସଂସ୍କୃତି ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଓଡ଼ିଆ ପକ୍ଷ ପାଳନରେ ସାମିଲ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ “ଓଡ଼ିଆ ପକ୍ଷ-୨୦୨୬’ ୱେବ୍ସାଇଟ- ଓଡ଼ିଆ ପକ୍ଷ ଡ଼ଟକମ ଖୋଲାଯାଇଛି। ଓଡ଼ିଆ ପକ୍ଷ-୨୦୨୬ ୱେବସାଇଟ ଏବଂ ଆପ୍ରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ସମସ୍ତ ବିବରଣୀ ପ୍ରଦାନ କରାଯାଇଛି। ଏହି ୧୪ ଦିନ ମଧ୍ୟରେ ଓଡ଼ିଆ ପକ୍ଷ ୱେବସାଇଟରେ ପାରମ୍ପରିକ ଖାଦ୍ୟ, ସଙ୍ଗୀତ ଓ ନୃତ୍ୟ, ସ୍ୱଚ୍ଛତା ଅଭିଯାନ, ଓଡ଼ିଶାର କଳା ଓ ସଂସ୍କୃତି ସମ୍ବନ୍ଧରେ ବିଭିନ୍ନ ତଥ୍ୟ ଏବଂ ଓଡ଼ିଆ ପକ୍ଷରେ ହେବାକୁ ଯାଉଥିବା ବିଭିନ୍ନ ଉତ୍ସବ ପାଳନର ରିଲ୍ସ ପ୍ରସ୍ତୁତ କରି ଓ ସେଲ୍ଫି ଉଠାଇ ସେହି ସବୁକୁ ଜନସାଧାରଣଓଡ଼ିଆ ପକ୍ଷ ୱେବସାଇଟରେ ଅପଲୋଡ଼ କରିପାରିବେ। ଏଥିସହ ଓଡ଼ିଆ ପକ୍ଷ ୱେବସାଇଟରେ କୁଇଜ୍ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯିବ। ଓଡ଼ିଆ ପକ୍ଷ କୁଇଜ୍ରେ ଭାଗନେଇ ସମସ୍ତେ ନିଜର ଡିଜିଟାଲ ସାର୍ଟିଫିକେଟ ମଧ୍ୟ ଡ଼ାଉନଲୋଡ଼ କରି ଏହାକୁ ନିଜର ସାମାଜିକ ଗଣମାଧ୍ୟମରେ ସେୟାର କରିପାରିବେ।