ବର୍ଷେ ବିତିଲାଣି, ପୁରସ୍କୃତ ଛାତ୍ରୀଙ୍କୁ ମିଳିଲାନି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅର୍ଥ

ଭୁବନେଶ୍ୱର:୧୧/୯-ବର୍ଷେ ବିତିଲାଣି । ଦଶମ ବୋର୍ଡ ପରୀକ୍ଷାରେ ୫୫୨ ନମ୍ବର ରଖି ୨୦୨୪ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ନିମାପଡ଼ା ଜଗବନ୍ଧୁ ରାୟତସିଂ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରିୟା ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ପୁରସ୍କାର ବାବଦ ଅର୍ଥରାଶି(ପଚାଶ ହଜାର ଟଙ୍କା)ମିଳିଲା ନାହିଁ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ପୁରୀ ଜିଲା ଶିକ୍ଷା ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କ ପଞ୍ଚସଖା ଶିକ୍ଷାସେତୁ ସଂଗଠନ ପକ୍ଷରୁ ତାଙ୍କୁ ପୁରସ୍କାର ବାବଦ ରାଶି ହସ୍ତାନ୍ତର କରିବା ନେଇ ଆବଶ୍ୟକ ପଦକ୍ଷେପ ନିଆ ନ ଯିବା ଫଳରେ ସେ ଏହି ଅର୍ଥ ପାଉନାହାନ୍ତି ।

ରିୟା ମିଶ୍ର ତୃତୀୟ ଶ୍ରେଣୀରୁ କ୍ରମାଗତ ଭାବେ ବୃତ୍ତି ପାଉଛନ୍ତି । ବିଭିନ୍ନ ବୃତ୍ତି ବାବଦ ଅର୍ଥ ବ୍ୟାଙ୍କର ଯେଉଁ ଆକାଉଣ୍ଟକୁ ଆସେ ସେହି ନମ୍ବର ଦିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବାବଦ ଅର୍ଥ ପାଇବା ନେଇ କେଉଁଠି ସମସ୍ୟା ରହୁଛି ତାହା କେହି ସ୍ପଷ୍ଟ କରୁନାହାନ୍ତି । ସଂପୃକ୍ତ ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ଅର୍ଥ ଜମା ଥିବା କୁହାଯାଉଛି । ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଅଧିକାରୀ କିମ୍ବା ଜିଲା ଶିକ୍ଷା ଅଧିକାରୀ ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ ମଧ୍ୟ ଶୁଣୁନାହାନ୍ତି । ଛାତ୍ରୀ କିଭଳି ତାଙ୍କ ପୁରସ୍କାର ରାଶି ପାଇବେ ସେ ନେଇ ପଦକ୍ଷେପ ମଧ୍ୟ ନେଉନାହାନ୍ତି । ଛାତ୍ରୀଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଉନି । ପୁରସ୍କାର ଅର୍ଥକୁ ବର୍ଷେ ହେଲା ଚାହିଁଛନ୍ତି ରିୟା।

ସୂଚନାଯୋଗ୍ୟ ଯେ୨୦୨୪ ମସିହା ସେପ୍ଟେମ୍ବର ୫ ତାରିଖରେ ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱତନ୍ତ୍ର ଗୁରୁଦିବସ କାର୍ଯ୍ୟକ୍ରମ ଅବସରରେ ‘ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ’ର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଓଡିଆ ଭାଷାବୃତ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଏବଂ ଦ୍ୱାଦଶ ବୋର୍ଡର ଶ୍ରେଷ୍ଠ ବିଦ୍ୟାର୍ଥୀ ଏବଂ ଉଚ୍ଚ ମାଧ୍ୟମିକ ବୋର୍ଡର ୩୯୧ଜଣ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହା ବ୍ୟତୀତ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୩୦ଟି ଜିଲ୍ଲାର ୪୪,୭୨୮ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ରାଜ୍ୟସ୍ତରରେ ୨୮୭, ଜିଲ୍ଲାସ୍ତରରେ ୩୧୨୮, ବ୍ଲକସ୍ତରରେ ୩୨,୨୦୮ ଏବଂ ମହାନଗର ନିଗମ ସ୍ତରରେ ୧୯୦୩ଜଣ ବିଦ୍ୟାର୍ଥୀଙ୍କୁ ‘ମେଧାବୀ ବିଦ୍ୟାର୍ଥୀ ପୁରସ୍କାର’ ପ୍ରଦାନ କରାଯାଇଥିଲା । ସେହିପରି ରାଜ୍ୟର ସର୍ବମୋଟ୍ ୭୧୬୦ଜଣ ବିଦ୍ୟାର୍ଥୀଙ୍କୁ ‘ଓଡ଼ିଆ ଭାଷା ବୃତ୍ତି’ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହା ବ୍ୟତୀତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଏବଂ ମାଧ୍ୟମିକ ଶିକ୍ଷା ପରିଷଦର ଦ୍ୱାଦଶ ବୋର୍ଡ଼ର ଶ୍ରେଷ୍ଠ ୪୨ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠିତ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଗୁରୁଦିବସ ଅବସରରେ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରିୟା ମିଶ୍ର ପୁରସ୍କୃତ ହୋଇଥିଲେ । ଇତିମଧ୍ୟରେ ୨୦୨୫ ମସିହାର ଗୁରୁଦିବସ ସରିଲାଣି ଅଥଚ ୨୦୨୪ରେ ପୁରସ୍କୃତ ଛାତ୍ରୀ ପୁରସ୍କାର ଅର୍ଥରାଶି ପାଇପାରୁ ନାହାନ୍ତି।