ସ୍ଲୋଗାନ ଥିବା କଳା ଟି-ସାର୍ଟ ପିନ୍ଧି କଳାଦିବସ ପାଳିଲେ ବିରୋଧୀ
ଭୁବନେଶ୍ୱର: ୨୫/୩- ବିଧାନସଭାରେ କ୍ରମାଗତ ଭାବେ ଅଚଳାବସ୍ଥା ଲାଗି ରହିଛି। ପ୍ରଶ୍ନକାଳ ଓ ଶୂନ୍ୟକାଳ ବାଧାପ୍ରାପ୍ତ ହେଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ସମସ୍ୟା ଉପରେ ଆଲୋଚନା ହୋଇପାରୁନି। ବୁଧବାର ଗୃହରେ ବିରୋଧୀ ନଥିବା ସମୟରେ ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଖର୍ଚ୍ଚ ଦାବି ଅନୁମୋଦନ ଲାଭ କରିଛି।

କଟକ ବଡ଼ ମେଡିକାଲରେ ବଡ଼ ଧରଣର ଦୁର୍ଘଟଣା ପରେ ବି ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଉପରକୁ ନୈତିକ ଦାୟିତ୍ୱ ନେଉ ନ ଥିବା ଯୋଗୁଁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ କଳା ଦିବସ ପାଳିଥିଲେ। ସେମାନେ ସରକାର ବିରୋଧୀ ସ୍ଲୋଗାନ ଲେଖାଥିବା କଳା ଟି-ସାର୍ଟ ପିନ୍ଧି ନାରାବାଜି କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ସେମାନେ ହଟ୍ଟଗୋଳ କରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ସେମାନଙ୍କ ସ୍ଲୋଗାନ ଥିଲା ଶକ୍ତିଶାଳୀ ସ୍ୱାସ୍ଥ୍ୟମନ୍ତ୍ରୀ-ଦୁର୍ବଳ ମୁଖ୍ୟମନ୍ତ୍ରୀ- ଶାସନ ଚାଲିବ କେମିତି। ବିରୋଧୀଙ୍କ ପ୍ରତିବାଦକୁ ବିରୋଧ କରି ଶାସକ ଦଳ ବିଜୁ-ନବୀନ ଟ୍ରଷ୍ଟ ସମ୍ପର୍କିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ।

ପ୍ରଶ୍ନକାଳ ମାତ୍ର ତିନି ମିନିଟ ଚାଲିଥିଲା। ଗୃହ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ହେବା ପରେ ବିରୋଧୀ ସଦସ୍ୟମାନେ କଳା ଟି-ସାର୍ଟ ପିନ୍ଧି ବିଧାନସଭା ପରିକ୍ରମା କରି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଶୂନ୍ୟକାଳରେ ସେମାନେ ହଟ୍ଟଗୋଳ କରି କକ୍ଷତ୍ୟାଗ କରିଥିଲେ। ବିରୋଧୀଙ୍କ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବୀ ଆଗତ କରିଥିଲେ। ବିରୋଧୀ ଦଳର ଏଭଳି କାର୍ଯ୍ୟକୁ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ପ୍ରତିଦିନ ପ୍ରାୟ ୬୮ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ବିଧାନସଭା ବନ୍ଦ କରି ୧୨ କୋଟି ଟଙ୍କା ରାଜସ୍ୱ ନଷ୍ଟ ହେଲାଣି।

ପୂର୍ବତନ ମୁଖ୍ୟମନ୍ତ୍ରୀ କୌଣସି ଦୁର୍ଘଟଣାସ୍ଥଳକୁ ଯାଉନଥିଲେ। କେବଳ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଉଥିଲେ। ଏବର ମୁଖ୍ୟମନ୍ତ୍ରୀ ଭୋଅରୁ ଏସସିବିରେ ପହଞ୍ôଚଥିଲେ। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଇତିଶ୍ରୀ, ବେବିନା, ମାଧବୀଲତା ପ୍ରସଙ୍ଗ ଉଠାଇ ସେ ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ପୂର୍ବତନ ଗୃହମନ୍ତ୍ରୀ ଇସ୍ତଫା ଦେଇଥିଲେ କି ବୋଲି ପ୍ରଶ୍ନ କରିଥିଲେ।