ପୁରୀରେ ଜାତୀୟ ପଞ୍ଚାୟତିରାଜ ଦିବସ ସମାରୋହ ପାଳନ
-୬ ଲକ୍ଷ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ, ୨ ଲକ୍ଷରୁ ଉର୍ଦ୍ଧ୍ୱ ସୁଭଦ୍ରା ହିତାଧିକାରୀଙ୍କୁ ସହାୟତା ରାଶି ଏବଂ ୩୧୪ ଟି ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

ଭୁବନେଶ୍ୱର:୨୪/୪- ଆମ ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରନ୍ତି। ଓଡ଼ିଶାରେ ୮୩ ପ୍ରତିଶତ ଲୋକ ଗାଁରେ ବସବାସ କରନ୍ତି। ତେଣୁ ଯେତେଦିନ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ବିକାଶ ହୋଇପାରିବ ନାହିଁ ସେତେଦିନ ପର୍ଯ୍ୟନ୍ତ ରାଜ୍ୟ ତଥା ଦେଶର ବିକାଶ ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଠାରେ ଆୟୋଜିତ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରଥମେ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ପର୍ଯ୍ୟଟକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ସେ କହିଥିଲେ, ଆମ ଶାସନ ବ୍ୟବସ୍ଥାର ମୂଳ କେନ୍ଦ୍ର ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା। ୧୯୯୩ ମସିହା ଅପ୍ରିଲ ୨୪ ତାରିଖ ଦିନ ୭୩ତମ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୋଇ ପଞ୍ଚାୟତିରାଜ ବ୍ୟବସ୍ଥାର ବୈପ୍ଳବିକ ପରିବର୍ତ୍ତନ ଅଣାଯାଇଥିଲା। ଶାସନ ପ୍ରଶାସନରେ ଜନମତର ପ୍ରାଧାନ୍ୟକୁ ସମ୍ମାନ ଦେବା ପାଇଁ ଆମେ ଏହି ଦିବସଟିକୁ ପାଳନ କରୁଛୁ। ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାରେ ଜନସହଭାଗିତା ବୃଦ୍ଧି ନିମନ୍ତେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିକୁ ଭାରତ ସରକାର ଅଗ୍ରାଧିକାର ଦେଉଛନ୍ତି। ଆମ ରାଜ୍ୟରେ ଲୋକମାନଙ୍କ ମୌଳିକ ସମସ୍ୟା ଦୂର କରିବା ଦିଗରେ ପଞ୍ଚାୟତିରାଜ ବ୍ୟବସ୍ଥା ଦୃଢତାର ସହ କାମ କରୁଛି। ଗତ ୩ ବର୍ଷ ଧରି ଆମ ରାଜ୍ୟର ଅନେକ ଗ୍ରାମ ପଞ୍ଚାୟତ ସର୍ବ ଭାରତୀୟ ସ୍ତରରେ ପ୍ରଶଂସିତ ହୋଇ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।
ଆଜି ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଓଡ଼ିଶା ମାଟି ନାରୀମାନଙ୍କ ସାମଗ୍ରିକ ବିକାଶର ସ୍ୱପ୍ନ ସାକାର କରିବା ଲକ୍ଷ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରକୃତ ପ୍ରୟୋଗଶାଳା। ରାଜ୍ୟରେ ମହିଳା ପଞ୍ଚାୟତ ପ୍ରତିନିଧିମାନେ ନିଜ ଅଞ୍ଚଳର ବିକାଶ ପାଇଁ ତତ୍ପର ହୋଇ କାମ କରୁଛନ୍ତି। ଗତ ପ୍ରାୟ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ବ୍ୟବସ୍ଥା ଅନେକ ଜାତୀୟ ସ୍ତରୀୟ ଓ ରାଜ୍ୟ ସ୍ତରୀୟ ନେତୃତ୍ୱକୁ ଜନ୍ମ ଦେଇଛି। ଉଦାହରଣ ସ୍ୱରୂପ ସେ ନିଜେ ମଧ୍ୟ ୧୯୯୭ ମସିହାର ପଞ୍ଚାୟତ ପ୍ରତିନିଧି ଭାବେ ଜନସେବାରେ ଯୋଗ ଦେଇଛନ୍ତି ବୋଲି କହିଥିଲେ। ପଞ୍ଚାୟତସ୍ତରରୁ ପ୍ରିତିନିଧି ଭାବେ ଆସିଥିବା ଜନପ୍ରତିନିଧିମାନେ ତୃଣମୂଳସ୍ତରର ସମସ୍ୟାକୁ ହୃଦୟଙ୍ଗମ କରିଥାନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ପଞ୍ଚାୟତ ସ୍ତରରେ ଅନେକ ବିକାଶମୂଳକ କାର୍ଯ୍ୟ କାର୍ଯ୍ୟକାରୀ ହେଉଛି । ବିଗତ ଅଢେଇ ଦଶନ୍ଧିରେ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରାଣକେନ୍ଦ୍ର ଗ୍ରାମସଭା ଓ ପଲ୍ଲିସଭାକୁ ସମ୍ପୂର୍ଣ୍ଣ ରୂପେ ପଙ୍ଗୁ କରି ଦିଆଯାଇଥିଲା । ଆମ ସରକାର ବ୍ୟବସ୍ଥା କରିଛନ୍ତି ଗ୍ରାମସଭା ଓ ପଲ୍ଲୀସଭାରେ ଗ୍ରାମବାସୀ ହିଁ ନିଷ୍ପତ୍ତି ନେବେ ଗାଁର ଉନ୍ନତି ପାଇଁ। ଆମ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ବିଜୁଳି, ସଡକ, ପାଣି ପରି ଭିତ୍ତିଭୂମି ହେଉଛି ଗ୍ରାମାଞ୍ଚଳର ସବୁଠୁ ବଡ ପ୍ରାଥମିକତା । ଏହି ସବୁ ଭିତ୍ତିଭୂମି ନିର୍ମାଣକୁ ଆମେ ଗୁରୁତ୍ୱ ଦେଉଛୁ । ଏଥିପାଇଁ ଆମେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ପରିକଳ୍ପନା କରିଛୁ । ୨୦୨୬ ସୁଦ୍ଧା ସବୁ ଗ୍ରାମକୁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଆମେ ପଦକ୍ଷେପ ନେଇଛୁ । ଅନ୍ତ୍ୟୋଦୟ ଗୃହ ଯୋଜନାରେ ୩ ବର୍ଷରେ ୭୫୫୦ କୋଟି ଟଙ୍କା ବିନିଯୋଗରେ ୫ ଲକ୍ଷ ଗରିବ ଲୋକଙ୍କୁ ଘର ଯୋଗାଇଦେବୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ୨୩ ଲକ୍ଷରୁ ଉର୍ଦ୍ଧ୍ୱ ଗୃହ ନିର୍ମିତ ହୋଇସାରିଛି ଏବଂ ୪ ଲକ୍ଷରୁ ଉର୍ଦ୍ଧ୍ୱ ଗୃହ ନିର୍ମାଣଧିନ ଅଛି । ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଆମେ ଗ୍ରାମାଞ୍ଚଳବାସୀଙ୍କୁ ନ୍ୟାୟ ପ୍ରଦାନ କରିବୁ। ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ସମସ୍ତ ପରିବାରକୁ ପକ୍କା ଘର ଯୋଗାଇଦେବା ପାଇଁ ଆମ ସରକାର ସଂକଳ୍ପବଦ୍ଧ।

ଆଜି ରାଜ୍ୟର ମହିଳାମାନେ ସୁଭଦ୍ରା ଯୋଜନାରେ ପାଇଥିବା ଅର୍ଥକୁ ସୁବିନିଯୋଗ କରିଛନ୍ତି । ଆମ ରାଜ୍ୟର ୧୭ ଲକ୍ଷ ମା’ ଲକ୍ଷପତି ଦିଦି ହୋଇ ଭାରତ ବର୍ଷରେ ଓଡ଼ିଶାକୁ ପ୍ରଥମ ସ୍ଥାନରେ ରଖିଛନ୍ତି । ଲକ୍ଷପତି ଦିଦି ଗଢିବାରେ ସୁଭଦ୍ରା ଯୋଜନାର ବହୁତ ବଡ଼ ଅବଦାନ ରହିଛି । ସେ କହିଥିଲେ ଯେ, ଆମେ ରାଜ୍ୟବାସୀଙ୍କୁ ଯାହା କଥା ଦେଇଥିଲୁ ତାହା ଆମେ ୧୦ ମାସ ମଧ୍ୟରେ କାମରେ କରି ଦେଖାଇଛୁ । ଆମ ସରକାର କାମରେ ବିଶ୍ୱାସ କରେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ୬ ଲକ୍ଷ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ ପ୍ରକ୍ରିୟା, NIC ଦ୍ୱାରା ପ୍ରସ୍ତୁତ ଇ-ପଞ୍ଚାୟତ ସଭା ପୋର୍ଟାଲ, ପି.ପି.ଏମ୍.ଏସ୍. ପୋର୍ଟାଲ, ପଞ୍ଚାୟତ ମନିଟରିଙ୍ଗ୍ ସିଷ୍ଟମ, ୬୧୩ଟି ଗ୍ରାମ ପଞ୍ଚାୟତକୁ ୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବଣ୍ଟନ, ୨ ଲକ୍ଷରୁ ଉର୍ଦ୍ଧ୍ୱ ସୁଭଦ୍ରା ହିତାଧିକାରୀଙ୍କୁ ୨ଟି କିସ୍ତିର ୧୦ ହଜାର ଟଙ୍କା ଲେଖଲେଖାଏଁ ସମୁଦାୟ ୨୦୦ କୋଟି ଟଙ୍କା ପ୍ରଦାନର ଶୁଭାରମ୍ଭ କରିବା ସହିତ ୬ଟି ଟିଭି ବିଜ୍ଞାପନ ଓ ସୁଭଦ୍ରା କଫି ଟେବଲ୍ ପୁସ୍ତକର ଉନ୍ମୋଚନ କରିଥିଲେ । ରାଜ୍ୟରେ ୪,୧୨୪ କୋଟି ଟଙ୍କା ବିନିଯୋଗରେ ୩୧୪ଟି ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକର ୮ଜଣ ରାସନ କାର୍ଡ ହିତାଧିକାରୀ ଓ ୫ଜଣ ସୁଭଦ୍ରା ହିତାଧିକାରୀଙ୍କୁ ରାସନ କାର୍ଡ ଓ ସହାୟତା ରାଶି ପ୍ରଦାନ କରିଥିଲେ। ପୋଷଣ ଅଭିଯାନରେ ଶ୍ରେଷ୍ଠ ପୁଷ୍ଟି ପଞ୍ଚାୟତ ଭାବେ ନିମାପଡ଼ା ବ୍ଲକ ଅନ୍ତର୍ଗତ ସାଇଁଶ ଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ପୁରସ୍କୃତ କରିଥିଲେ।
କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ।
ପ୍ରାରମ୍ଭରେ କାଶ୍ମୀର ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ବିହାର ମଧୁବନୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣର ସିଧା ପ୍ରସାରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଏବଂ ବିଭିନ୍ନ ବିଭାଗର ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପଞ୍ଚାୟତ ପ୍ରତିନିଧିମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ। ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସ୍.ଏନ୍ ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।