ଭୁବନେଶ୍ୱର:7/4-ୱକଫ ବିଲ୍କୁ ନେଇ ବିଜୁ ଜନତା ଦଳରେ ଦେଖାଦେଇଥିବା ବିଦ୍ରୋହର ସ୍ୱର କ୍ରମଶଃ ଅଧିକ ଜଟିଳ ହେବାରେ ଲାଗିଛି। ବିଜେଡିର ସାଂସଦମାନେ ନବୀନଙ୍କ ପରିବର୍ତ୍ତେ ପାଣ୍ଡିଆନଙ୍କ ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ କରୁଛନ୍ତି। ୱକଫ୍ ବିଲ ଉପରେ ପାଣ୍ଡିଆନଙ୍କ ଭୂମିକାକୁ ସନ୍ଦେହ ଘେରକୁ ନେଇ ଦଳୀୟ କର୍ମୀମାନେ ସୋମବାର ନବୀନ ନିବାସରେ ‘ପାଣ୍ଡିଆନ ଗୋ-ବ୍ୟାକ୍’ ନାରା ଦେଇଥିଲେ। ଏହା ରାଜ୍ୟସଭାର ୪ଜଣ ସାଂସଦଙ୍କୁ ବିବ୍ରତ କରିଛି। ସେମାନେ ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି କରିଛନ୍ତି। ସେମାନେ କହିଛନ୍ତି, ଦଳର ସବୁ ନିଷ୍ପତ୍ତି ନବୀନ ନିଅନ୍ତି।

ସୂଚନାଯୋଗ୍ୟ ଯେ ନବୀନଙ୍କୁ ଅନ୍ୟ କେତେକ ପ୍ରସଙ୍ଗରେ ସମାଲୋଚନା କରାଯାଇଥିବା ବେଳେ ଏହି ସାଂସଦମାନେ ମୁହଁ ଖୋଲି ନଥିଲେ। ହେଲେ ପାଣ୍ଡିଆନଙ୍କ ପାଇଁ ଆଗକୁ ଆସିଛନ୍ତି।ଏହାକୁ ନେଇ ବିଜେଡିରେ ନବୀନ ସମର୍ଥକ ଓ ପାଣ୍ଡିଆନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଦଳ ଏବେ ବିବାଦ ଭିତରକୁ ଟାଣିହୋଇ ଯାଇଛି। ଏଥିରୁ ନିଜ ଫାଇଦା ହାସଲ କରିବାକୁ ଦଳର ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସଙ୍କ ଭୂମିକା ସନ୍ଦେହ ଘେରକୁ ଚାଲି ଆସିଛି। ‘ପାଣ୍ଡିଆନ ଗୋ-ବ୍ୟାକ’ ନାରା ପରେ ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଶୁଭାଶିଷ ଖୁଂଟିଆ, ସନାତନ ବିଶି ଓ ସୁଲତା ଦେଓ ଖୋଲାଖୋଲି ଭାବେ ଦଳ ଯାହା ନିଷ୍ପତ୍ତି ନେଇଥିଲା ତାହା ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଥିଲା କହିବା ସହ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପାଣ୍ଡିଆନ ବିରୋଧୀ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେମାନେ ବ୍ୟକ୍ତିଗତସ୍ତର ପର୍ଯ୍ୟନ୍ତ ଯାଇ ଦେବାଶିଷଙ୍କୁ ସମାଲୋଚନା କରିଛନ୍ତି ।
ଦଳର ରାଜ୍ୟସଭା ସାଂସଦ ମୁନ୍ନା ଖାନ୍ ସୋମବାର ନବୀନ ନିବାସ ଯାଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ମୁନ୍ନାଙ୍କ ସହ ଦଳର ସଂଖ୍ୟାଲଘୁ ଗୋଷ୍ଠୀର କିଛି କର୍ମୀ ମଧ୍ୟ ଯାଇଥିଲ । ୱକଫ୍ ବିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ଯାହା ହୋଇଛି ତାକୁ ଅନୁଧ୍ୟାନ କରିବେ ବୋଲି ନବୀନ ସେମାନଙ୍କୁ କହିଥିଲେ। ସେମାନଙ୍କ ସହ କଥାବାର୍ତ୍ତା କରି ନବୀନ ଯାଇଥିଲେ। କର୍ମୀମାନେ ଫେରିବାବେଳେ ନବୀନ ନିବାସ ପରିସରରେ ‘ପାଣ୍ଡିଆନ ଗୋ-ବ୍ୟାକ୍’ ନାରା ଆରମ୍ଭ କରିଦେଇ ଥିଲ। 25 ବର୍ଷ ପରେ ନବୀନଙ୍କୁ ଦଳ ଭିତରେ ବିଦ୍ରୋହର ସାମ୍ନା କରିବାକୁ ପଡ଼ିଛି। ଦଳ ଏବଂ ଦଳ ସଭାପତିଙ୍କ ଅସହାୟତାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର ଧରିଛି ।