ଭୁବନେଶ୍ୱର:୧୮/୩- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ସମ୍ମାନଜନକ ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ପାରାଲିମ୍ପିକ୍ସ କମିଟି ଅଫ ଇଣ୍ଡିଆ (ପିସିଆଇ) ଏବଂ ପାରା ସ୍ପୋର୍ଟସ ଆସୋସିଏସନ ଅଫ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମହାକୁମ୍ଭ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ମହାକୁମ୍ଭରେ ୨୮ଟି ରାଜ୍ୟ ସମେତ ବିଏସଏଫ ଏବଂ ଏସଏସସିବିରୁ ପ୍ରାୟ ୧୪୬୦ ପାରା ଆଥଲେଟ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ଆୟୋଜକ ଓଡ଼ିଶାରୁ ୪୦ ଜଣ କ୍ରୀଡ଼ାବିତ ସାମିଲ ଅଛନ୍ତି। ମୋଟ ୧୪୫ଟି ପଦକ ଇଭେଣ୍ଟ ପାଇଁ ଏଠାରେ କଡ଼ା ପ୍ରତିଯୋଗିତା ହେଉଥିବା ବେଳେ ଖେଳାଳିମାନଙ୍କ ସୁବିଧା ପାଇଁ ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ ଅର୍ଥାତ ପୂର୍ବାହ୍ନ ୯ଟାରୁ ୧୧ଟା ଏବଂ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖେଳ ଅନୁଷ୍ଠିତ ହେଉଛି।
ଉଦଘାଟନୀ ଅଭିଭାଷଣରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଓଡ଼ିଶାର ପ୍ରତିଟି ବ୍ଲକରେ ନିର୍ମାଣ ହେଉଥିବା କ୍ରୀଡ଼ା ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ‘ଦିବ୍ୟାଙ୍ଗ ଅନୁକୂଳ’ ହେବ। ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ – ୨୦୪୭’ ସଂକଳ୍ପକୁ ସାକାର କରିବା ଦିଗରେ ଦିବ୍ୟାଙ୍ଗ ଖେଳାଳିମାନେ ସବୁଠାରୁ ଆଗରେ ରହିବେ। ଏହି ଅବସରରେ ପଦ୍ମଶ୍ରୀ ତଥା ଖେଳରତ୍ନ ବିଜେତା ଦେବେନ୍ଦ୍ର ଝାଝରିଆ କହିଛନ୍ତି, ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ସଫଳତା ପରେ ଏହି ବୃହତ୍ତମ ଚାମ୍ପିୟନସିପ ପାରା-ସ୍ପୋର୍ଟସ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।