ପାସ୍ ହାର ୮୫.୮୫ ପ୍ରତିଶତ
ବିଜ୍ଞାନ- ୮୮.୮୨ ପ୍ରତିଶତ, କଳା- ୮୪.୫୦ ପ୍ରତିଶତ, ବାଣିଜ୍ୟ- ୮୮.୦୭ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷା – ୭୭.୬୨ ପ୍ରତିଶତ
ଭୁବନେଶ୍ୱର:୨୦/୫- ଏକା ସାଙ୍ଗରେ ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସମୁଦାୟ ପାସହାର ୮୫.୮୫ ପ୍ରତିଶତ ରହିଛି। ବିଜ୍ଞାନରେ ପାସ ହାର ୮୮.୮୨ ପ୍ରତିଶତ, କଳାରେ ୮୪.୫୦ ପ୍ରତିଶତ, ବାଣିଜ୍ୟରେ ୮୮.୦୭ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୭୭.୬୨ ପ୍ରତିଶତ ରହିଛି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରି କହିଛନ୍ତି, ଚଳିତ ବର୍ଷ ଛାତ୍ରଛାତ୍ରୀମାନେ କୌଣସି ଗୋଟିଏ ବିଷୟରେ ଉନ୍ନତି ପରୀକ୍ଷା ଦେଇପାରିବେ।
ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ବର୍ଗରେ ମୋଟ ୩ ଲକ୍ଷ ୯୮ ହଜାର ୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୩ ଲକ୍ଷ ୪୧ ହଜାର ୭୮୧ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। କଳାରେ ୨ ଲକ୍ଷ ୧୪ ହଜାର ୭୩୮ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୧୧ ହଜାର ୪, ବାଣିଜ୍ୟରେ ୨୧ ହଜାର ୩୯୩ ଓ ଧନ୍ଦାମୂଳକ ଶିକ୍ଷାରେ ୪ ହଜାର ୫୪୬ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି।

କଳାରେ ସମ୍ବଲପୁର ଜିଲ୍ଲାର ୮୯.୪୮ ପ୍ରତିଶତ ଉତ୍ତୀର୍ଣ୍ଣ ହାର ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୭୭.୧୪ ପ୍ରତିଶତ ରହିଛି। ବିଜ୍ଞାନରେ ବାଲେଶ୍ୱର ଜିଲ୍ଲାରେ ୯୬.୬୩ ପ୍ରତିଶତ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବାବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ୭୭.୧୪ ପ୍ରତିଶତ ରହିଛି। ବାଣିଜ୍ୟରେ ବୌଦ୍ଧ ଜିଲ୍ଲାରେ ଶତ ପ୍ରତିଶତ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବାବେଳେ ବଲାଙ୍ଗୀର ଜିଲ୍ଲାରେ ସର୍ବନିମ୍ନ ୭୭.୨୫ ପ୍ରତିଶତ ଉତ୍ତୀର୍ଣ୍ଣ ହାର ରହିଛି। ଧନ୍ଦାମୂଳକ ଶିକ୍ଷାରେ ନବରଙ୍ଗପୁର ଜିଲ୍ଲାରେ ଶତ ପ୍ରତିଶତ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବାବେଳେ ମାଲକାନଗିରି ଜିଲ୍ଲା ସର୍ବନିମ୍ନ ୫୫.୨୨ ପ୍ରତିଶତ ରହିଛି। ସୂଚନା ଅନୁସାରେ ଛାତ୍ରଛାତ୍ରୀ ମଇ ୨୧ ତାରିଖରୁ ଡିଜି ଲକରରୁ ମାର୍କସିଟ ଡାଉନଲୋଡ କରିପାରିବେ। ଏଥିସହ ଜୁନ୧୫ ତାରିଖରୁ ମାର୍କସିଟର ହାର୍ଡ କପି ନିଜ ନିଜ ଶିକ୍ଷାନୁଷ୍ଠାନରୁ ପାଇପାରିବେ। ଜୁଲାଇ ପ୍ରଥମ ସପ୍ତାହରେ ଇନଷ୍ଟାଣ୍ଟ ପରୀକ୍ଷା ଓ ଉନ୍ନତି ପରୀକ୍ଷା ପାଇଁ ଆବେଦନ କରିପାରିବେ। ଏଥିନିମନ୍ତେ ମଇ ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ।