ଦେଶର ୯ କୋଟିରୁ ଉର୍ଦ୍ଧ୍ୱ ଚାଷୀ ପାଇଲେ ୧୮ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା
ଓଡିଶାର ୩୪ ଲକ୍ଷ ୧୨ ହଜାର କୃଷକ ସାମିଲ
ଭୁବନେଶ୍ୱର:୨୦/୧୧- ଆମ ରାଜ୍ୟରେ କୃଷକଙ୍କ ସଶକ୍ତିକରଣ ଓ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୁଁ ଚାହେଁ ଯେ କୃଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ସୁବିଧା ସୁଯୋଗ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀ ନିଶ୍ଚିତରୂପେ ପାଆନ୍ତୁ। କେହି ଜଣେ ବି ଯେପରି ଏଥିରୁ ବଞ୍ଚିତ ନହୁଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୧ ତମ ପିଏମ୍ କିଷାନ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର କୃଷି ଭବନ ଠାରେ କୃଷକ ମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି।

ସୂଚନାଯୋଗ୍ୟ ଯେ, ତାମିଲନାଡୁର କୋଏମ୍ବାଟୁରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ୨୧ତମ କିସ୍ତିରେ ଦେଶର ୯ କୋଟିରୁ ଉର୍ଦ୍ଧ୍ୱ କୃଷକଙ୍କୁ ୧୮ ହଜାର କୋଟିରୁ ଉର୍ଦ୍ଧ୍ୱଟଙ୍କା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ସବୁ ରାଜ୍ୟର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର କୃଷକମାନଙ୍କୁ ଉଦବୋଧନ ଦେଇଛନ୍ତି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, କୃଷକ ମାନଙ୍କୁ ଆବଶ୍ୟକ ସମୟରେ ବିହନ, ସାର, କୀଟନାଶକ ଆଦି କିଣିବା ପାଇଁ କେନ୍ଦ୍ର ସରକାର ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରୁଛନ୍ତି। ଆଜି ୨୧ତମ କିସ୍ତିରେ ଆମ ରାଜ୍ୟର ୩୪.୧୨ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ କିସ୍ତି ବାବଦକୁ ୨ ହଜାର ଟଙ୍କା ଲେଖାଏଁ ପାଇବେ। ଏହି ସହାୟତା ପ୍ରଦାନ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ କରାଯାଉଛି ଏବଂ ଏଥିରେ କ୍ଷୁଦ୍ର, ମଧ୍ୟମ, ବୃହତ୍ତ ଓ ସହରାଞ୍ଚଳର ଭୂମିଧାରୀ ଚାଷୀମାନେ ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଯୁଗାନ୍ତକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଦେଶର ଚାଷୀ, ଗରିବ, ମହିଳା ସମସ୍ତେ ଉପକୃତ ହେଉଛନ୍ତି। ପିଏମ୍ କିଷାନ ସହିତ ଆମ ରାଜ୍ୟରେ ସିଏମ୍ କିଷାନ ଜରିଆରେ ୨ଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରାଯାଉଛି। ଚଳିତ ଆର୍ôଥକ ବର୍ଷରେ ସିଏମ କିଷାନ ଯୋଜନାରେ ୫୧.୫୪ ଲକ୍ଷ ଚାଷୀଙ୍କୁ ୨୯୯୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ୩୨୩୬ ଜଣ ପିଭିଟିଜି ଚାଷୀ ଏବଂ ୩୧,୬୯୫ ଜଣ ସହରାଞ୍ଚଳ ଚାଷୀ ଅନ୍ତର୍ଭୁକ୍ତ ଅଛନ୍ତି। ସିଏମ କିଷାନ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ଏବଂ ବୈଷୟିକ ଶିକ୍ଷା ପାଇଁ କୃଷି ବିଦ୍ୟାନିଧି ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଏହି ଯୋଜନାରେ ୨୦୨୪-୨୫ ଶିକ୍ଷାବର୍ଷରେ ୧୩,୯୨୩ ଛାତ୍ରଛାତ୍ରୀଙ୍କୁ ୫୩ କୋଟି ୬୭ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି, ଯାହାକି ପୂର୍ବବର୍ଷ ତୁଳନାରେ ୫ ଗୁଣ ଅଧିକ।
ପିଏମ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକ୍ରମରେ ଓଡିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଏବଂ ନୂଆପଡା ଜିଲ୍ଲାକୁ ଚୟନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର କୃଷକମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।