ପ୍ରଗତି ପ୍ରବାହ ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୮/୧- ରାଜ୍ୟସରକାରଙ୍କ ମୁଖପତ୍ର “ପ୍ରଗତି ପ୍ରବାହ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତିକାଟିକୁ ମୁଖ୍ୟମନ୍ତ୍ରୀ ତାଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଉନ୍ମୋଚନ କରିଥିଲେ। ପ୍ରଗତି ପ୍ରବାହ, ରାଜ୍ୟ ବିକାଶର ଚଳନ୍ତି ପ୍ରତିଛବି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଏବଂ ଏହି ପୁସ୍ତିକାର ପ୍ରକାଶନ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ସେ ଧନ୍ୟବାଦ ଦେଇଥିଲେ। “ପ୍ରଗତି ପ୍ରବାହ’ର ଉନ୍ମୋଚନ ସମୟରେ ଝାରସୁଗୁଡା ଜିଲ୍ଲା ଲଖନପୁର ଗ୍ରାମର ଜଣେ ସଫଳ ଯୁବ ଚାଷୀ ହୃଦାନନ୍ଦ ବିଶି ମଧ୍ୟ ଉପସ୍ଥିତ ଥିଲେ। ଏହି ପୁସ୍ତିକାରେ ହୃଦାନନ୍ଦଙ୍କ ସଫଳ କାହାଣୀ ଉଲ୍ଲେଖ ଅଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ବିଶିଙ୍କୁ ସମ୍ମାନିତ କରିବା ସହିତ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ଆଗକୁ କିଭଳି ସରକାରଙ୍କ ହିତାକାଂକ୍ଷୀ ଯୋଜନା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପି.ଏମ କିଷାନ ଓ ସିଏମ- କିଷାନ ମାଧ୍ୟମରେ ଆହୁରି ନିଜର କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ। ସେ କହିଥିଲେ “ଆମ ସରକାର ଚାଷୀ ମାନଙ୍କ ଉନ୍ନତି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି। ଚାଷୀଟିଏ ଆଜି ପ୍ରଧାନମନ୍ତ୍ରୀଙ୍କ “ଆତ୍ମନିର୍ଭରଶୀଳ ଭାରତ’ ର ଉଦ୍ଦେଶ୍ୟକୁ ପୂରଣ କରୁଛି। ଚାଷୀ ନିଜ ଫସଲ ଦ୍ୱାରା ଗୋଟିଏ ପରିବାର ନୁହେଁ ଅନେକ ପରିବାର ଚଳାଇବାର କ୍ଷମତା ରଖୁଛି, ଯାହାକି ଆମ ଦେଶର ପ୍ରକୃତ ଷ୍ଟାର୍ଟ-ଅପ ବୋଲି ମୁଖ୍ୟମନ୍ତ୍ରୀ ସଫଳ ଚାଷୀ ଶ୍ରୀ ବିଶିଙ୍କ ସହ କଥା ହୋଇ ତାଙ୍କୁ କହିଥିଲେ।
ଉଚ୍ଚଶିକ୍ଷା ଲାଭ କରିବା ପରେ ମଧ୍ୟ ବାହାରେ ଚାକିରି ନକରି ନିଜ ମାଟିରେ ସୁନା ଫଳାଇବା ନିଶାରେ ଶ୍ରୀ ବିଶି ଚାଷକୁ ଆପଣାଇଥିଲେ। ଆଧୁନିକ ଜ୍ଞାନକୌଶଳ ପଦ୍ଧତିରେ ଚାଷ କରି ସେ ଆଜି ଜଣେ ‘ଲକ୍ଷପତି ଚାଷୀ’ ଭାବେ ଉଭା ହୋଇଛନ୍ତି। ତାଙ୍କର ଏହି ପ୍ରେରଣାଦାୟୀ ସଫଳତା କାହାଣୀ ‘ପ୍ରଗତି ପ୍ରବାହ’ ପତ୍ରିକାରେ ସ୍ଥାନ ପାଇଛି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶିଙ୍କୁ ସରକାରୀ ସହାୟତା ଓ ସବସିଡି ମିଳୁଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଜରିଆରେ ସମସ୍ତ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି କୋଲ୍ଡ କୃଷି ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲାପାଳ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ସ୍ପଷ୍ଟ କରିଥିଲେ। ଏଥିସହିତ ବିଭିନ୍ନ କୃଷି ଯୋଜନାର ସୁଯୋଗ ନେଇ ନିଜର କୃଷି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଝାରସୁଗୁଡା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ କୃଷ୍ଣାକେଶୀ ବଳିଆରସିଂହଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।