୧୫ଟି ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି
ଭୁବନେଶ୍ୱର:୨୫/୧୦-ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ଶ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂ ସମ୍ଭାବ୍ୟ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ବାତ୍ୟାପୂର୍ବ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକ ପରେ ରାଜୀବ ଭବନଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ଭାରତୀୟ ପାଣିପାଗ କେନ୍ଦ୍ରର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶାଖାର ସୂଚନା ଅନୁଯାୟୀ ଏବେ ବାତ୍ୟା ଗଭୀର ଅବପାତରେ ପରିଣତ ହୋଇଛି । ଏହାର ତୀବ୍ରତା ବୃଦ୍ଧି ପାଉଥିଲେ ମଧ୍ୟ ଗତିପଥ ସ୍ପଷ୍ଟ ହୋଇପାରିନାହିଁ । ଏହାର ପ୍ରଭାବରେ ଆସନ୍ତା ୨୭, ୨୮ ଓ ୨୯ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଏଥିରେ ରାଜ୍ୟର ୧୫ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଅତୀତର ଅନୁଭବ ଓ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି । ସରକାର କୃଷି, ଜଳସମ୍ପଦ, ଶକ୍ତି, ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ସମବାୟ, ଗ୍ରାମ୍ୟ ଉନ୍ନୟନ, ପ୍ରାଣୀସମ୍ପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରସ୍ତୁତି ଜାରି ରଖିଛନ୍ତି । ରାଜ୍ୟର ତଳିଆ ଓ ଜଳମଗ୍ନ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ସେଠାରେ ଖାଦ୍ୟପଦାର୍ଥ, ପାନୀୟ ଜଳ, ଗୋଖାଦ୍ୟ, ଆବଶ୍ୟକୀୟ ଔଷଧ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯିବ ।
ସରକାର ଧନଜୀବନ ରକ୍ଷା ସହ ସମ୍ପତ୍ତିର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି । ଏବେ ସହରୀ ବନ୍ୟା ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି । ଆଗରୁ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଇଛି । ସରକାରଙ୍କ ସହ ନିୟମିତ ସମ୍ପର୍କରେ ରହିବା ସହ ଆତଙ୍କିତ ନହେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।