-୧୦ ଜିଲ୍ଲାର ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ
ଭୁବନେଶ୍ୱର୧୭/୧- ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ଶନିବାର ୧୭ ଜାନୁଆରୀରେ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆୟୁକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଆରଡିସିସ୍ତରୀୟ ପ୍ରାକ୍ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ରେଞ୍ଜ ଅନ୍ତର୍ଗତ ୧୦ଟି ଜିଲ୍ଲାର ଜିଲ୍ଲାପାଳ, ପୌର କମିଶନର, ଅତିରିକ୍ତ ଜିଲ୍ଲାପାଳ,ଉପ-ଜିଲ୍ଲାପାଳ, ଡେପୁଟି କଲେକ୍ଟର(ଜି ଆଣ୍ଡ ଏମ୍)ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟତଃ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ଜନିତ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଉ ମାତ୍ର ଏକ ବର୍ଷ ଥିବାରୁ ଏବେଠୁ ପ୍ରସ୍ତୁତି ଗ୍ରହଣ କରିବାକୁ ସିଦ୍ଧାନ୍ତ ହେବା ସହିତ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ ଅନ୍ତର୍ଗତ ୧୦ଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ପାଇଁ ବିଗତ ନିର୍ବାଚନ ସମ୍ପର୍କିତ ତଥ୍ୟର ସମୀକ୍ଷା କରାଯାଇଥିଲା।

ନିର୍ବାଚନ ପାଇଁ ଇଭିଏମ ଆଦି ଉପକରଣ ଜିଲ୍ଲାରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଗୋଦାମକୁ ଫେରସ୍ତ କରିବା। ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଲଟ ପେପର ମୁଦ୍ରଣ, ଗଣନା କେନ୍ଦ୍ର ଚିହ୍ନଟ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ପିଆରଆଇ ଏବଂ ୟୁଏଲବିଏସ-୨୦୨୭ ସମ୍ପର୍କିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ କାର୍ଯ୍ୟ ପାଇଁ ତାରିଖ ସୀମା, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ପର୍କିତ ବକେୟା ଥିବା ଡିସି ବିଲ୍/ୟୁସି ଦାଖଲ, ଗ୍ରାମ ପଞ୍ଚାୟତ ଓ ପୌର ଅଞ୍ଚଳରେ ସର୍ଭେ ରୁଟ୍ର ଜିଆଇଏସ ମ୍ୟାପିଂ କରିବା, ଭୋଟର ତାଲିକା ଅନ୍ତର୍ଭୁକ୍ତିକରଣ ତ୍ରୁଟିଗୁଡ଼ିକୁ ଅପସାରଣ ଏବଂ ବାଦକରଣ ତ୍ରୁଟିଗୁଡ଼ିକୁ ଭୋଟର ତାଲିକାରେ ଯୋଡିବା, ଗଣନା ହଲ୍ ଏବଂ ଟେବୁଲ ବୃଦ୍ଧି କରିବା, ଅସ୍ଥାୟୀ ବୁଥକୁ ସ୍ଥାୟୀ ବୁଥରେ ପରିଣତ କରିବା, ସମ୍ବେଦନ ଓ ଅତିସମ୍ବେଦନଶୀଳ ବୁଥ୍ ଗୁଡ଼ିକୁ ଚିହ୍ନଟ କରିବା, ଅତିସମ୍ବେଦନଶୀଳ ବୁଥ୍ରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ବ୍ୟବସ୍ଥା କରିବା ଏବଂ ଭୋଟଦାନର ଗୋପନୀୟତା ବଜାୟ ରଖିବା ପାଇଁ ପଞ୍ଚାୟତ ନିର୍ବାଚନର ବାଲଟ୍ ପେପରଗୁଡ଼ିକର ନୂତନ ଗଣନା ପ୍ରକ୍ରିୟା, ଅର୍ଥାତ୍ ଏକତ୍ରୀକରଣ, ମିଶ୍ରଣ ଏବଂ ଗଣନା ଆଦି ଉପରେ ଆଲୋଚନା କରାଯାଇଥିଲା।
ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁହା ପୁନମ ତାପସ କୁମାର ସ୍ୱାଗତ ଭାଷଣ ଦେଇଥିବାବେଳେ ରାଜ୍ୟ ନିର୍ବାଚନ ଆୟୋଗର ସଚିବ ସନ୍ତୋଷ କୁମାର ଦାଶ ମଧ୍ୟ ସଭାକୁ ସମ୍ବୋଧିତ କରିଥିଲେ। ରାଜ୍ୟ ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ବାଲେଶ୍ୱର ଜିଲ୍ଲାପାଳ ମୟୂର ସୂର୍ଯ୍ୟବଂଶୀ ଧନ୍ୟବାଦ ଅର୍ପଣ କରିଥିଲେ।