ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଏସଓପିର କଡ଼ା ଅନୁପାଳନ କର
ଭୁବନେଶ୍ୱର:୨୪/୩- ଆସନ୍ନ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭାଗୀୟ ପ୍ରସ୍ତୁତି ଏବଂ ମାର୍ଗଦର୍ଶିକା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ବୈଠକରେ ପୌର ପ୍ରଶାସନର ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକ ପ୍ରାରମ୍ଭରେ ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଆଲୋଚ୍ୟ ସୂଚୀ ଉପସ୍ଥାପନ କରିବା ସହ ଗ୍ରୀଷ୍ମ ପ୍ରବାହ ପାଇଁ ଧାର୍ଯ୍ୟ କରାଯାଇଥିବା ଏସଓପି ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକ ଦ୍ୱାରା ନିଆଯିବାକୁ ଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।

ଆଭାସୀ ମାଧ୍ୟମରେ ବରିଷ୍ଠ ପଦାଧିକାରୀମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଗ୍ରୀଷ୍ମ ପ୍ରବାହର ବିପଦକୁ ହ୍ରାସ କରିବା ପାଇଁ ସକ୍ରିୟ ଏବଂ ସମନ୍ୱିତ ପଦକ୍ଷେପ ନେବା ଜରୁରୀ। ସହରାଞ୍ଚଳରେ ଅତ୍ୟାବଶ୍ୟକ ନାଗରିକ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ବିଭାଗୀୟ ମୁଖ୍ୟ ଏବଂ ପୌର ସଂସ୍ଥାଗୁଡ଼ିକୁ ନିର୍ଦ୍ଧାରିତ ଏସଓପି ଅନୁଯାୟୀ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିରବଚ୍ଛିନ୍ନ ଏବଂ ସମାନ ଭାବେ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରବଳ ଗ୍ରୀଷ୍ମ ସମୟରେ ଯେପରି ଜଳ ଯୋଗାଣରେ କୌଣସି ସମସ୍ୟା ନ ଉପୁଜେ ସେଥିପାଇଁ ୱାଟକୋ ଏବଂ ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ମହାନଗର ନିଗମର କମିଶନର ଏବଂ ପୌରପାଳିକା ଓ ଏନଏସିର ନିର୍ବାହୀ ଅଧିକାରୀମାନଙ୍କୁ ସ୍ଥାନୀୟସ୍ତରରେ ଜଳଛତ୍ର, ବିଶ୍ରାମ ପାଇଁ ଛାଇ ସ୍ଥାନ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ଥଣ୍ଡା ପରିବେଶ ସୃଷ୍ଟି କରିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ଜିଲ୍ଲା ସ୍ତରୀୟ ସମନ୍ୱୟକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ କ୍ଷେତ୍ରସ୍ତରରେ ଏହାର କାର୍ଯ୍ୟକାରିତା ଉପରେ ନଜର ରଖିବାକୁ ଏବଂ ଯେ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦାୟିତ୍ୱ ଦିଆଯାଇଛି। ସମସ୍ତ ପୌର ସଂସ୍ଥାଗୁଡ଼ିକୁ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା ସହ ଏକ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ଜାରି କରିବାକୁ କୁହାଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏସଓପିର ସୂଚାରୁ ପାଳନ ଉପରେ ଗୁରୁତ୍ୱ ଦେବା ସହ କ୍ଷେତ୍ରସ୍ତରରେ ଏହାର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ନିରନ୍ତର ତଦାରଖ ଏବଂ ଉତ୍ତରଦାୟିତ୍ୱ ରକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି।