
ଭୁବନେଶ୍ୱର:21/7- ଚାରି ମାସ ତଳେ ଜଣେ ୧୯ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରାଯାଇଛି। ପୀଡ଼ିତା ଛାତ୍ରୀ ମଞ୍ଚେଶ୍ୱର ଥାନାକୁ ଆସି ଅଭିଯୋଗ କରିବା ପରେ ପୁଲିସ ଉଦିତଙ୍କୁ ତାଙ୍କ ଘରୁ ଉଠାଇ ଆଣି ଗିରଫ କରିିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଗତ ମାର୍ଚ୍ଚ ୧୮ ତାରିଖ ଅପରାହ୍ନରେ ତାଙ୍କର ଦୁଇଜଣ ପୁଅ ଓ ଝିଅ ସାଙ୍ଗଙ୍କ ସହ ମିଶି ସେ ମାଷ୍ଟରକ୍ୟାଣ୍ଟିନ ଛକ ଆଡ଼େ ବୁଲିବାକୁ ଆସିଥିଲେ। ସେଠାରେ ପୁରୁଷ ବନ୍ଧୁ ଜଣଙ୍କ ଉଦିତ ପ୍ରଧାନଙ୍କୁ ଡାକି ସେମାନଙ୍କ ସହ ପରିଚିତ କରାଇଥିଲେ। ଏହାପରେ ଉଦିତଙ୍କ ଗାଡ଼ିରେ ସମସ୍ତେ ବସି ନୟାପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ। ସେଠାରେ ସେମାନେ ମଦ ପିଇଥିଲେ। ଅଭିଯୋଗକାରିଣୀ ମଦ ପିଇବାକୁ ମନା କରିଥିଲେ। ଉଦିତ ତାଙ୍କୁ ବାଧ୍ୟ କରି ନିଶା ଦ୍ରବ୍ୟ ମିଶା ଏକ ମୃଦ୍ୟୁ ପାନୀୟ ପିଇବାକୁ ଦେଇଥିଲେ। ଏହାକୁ ପିଇବା ପରେ ପୀଡ଼ିତାଙ୍କ ମୁଣ୍ଡ ବୁଲେଇ ହୋଇଥିଲା। ତାଙ୍କୁ ଘରେ ଛାଡ଼ିଦେବାକୁ ସେ ଅନୁରୋଧ କରିଥିଲେ ମଧ୍ୟ ଉଦିତ ଏବଂ ଅନ୍ୟମାନେ ଶୁଣି ନ ଥିଲେ। ଏହାପରେ ସେ ସଂଜ୍ଞାହୀନ ହୋଇ ପଡିଥିଲା । ସଂଜ୍ଞା ଫେରିଲା ପରେ କଷ୍ଟ ଅନୁଭବ କଲା । ଉଦିତ ତାଙ୍କୁ ଦୁଷ୍କର୍ମ କରିଛି ବୋଲି ବୁଝିଥିଲା।
ଏ ସମ୍ପର୍କରେ ଉଦିତଙ୍କୁ ପଚାରିବାରୁ ସେ ଧମକ ଦେଇଥିଲେ। କାହାକୁ ଜଣାଇଲେ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ଉଦିତ ଜଣେ ଛାତ୍ରନେତା ହୋଇଥିବାରୁ ସେ ଡରିଯାଇଥିଲେ ଏବଂ ନିରବ ରହିବାକୁ ବାଧ୍ୟ ହୋଇଥିଲେ ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି । ଘଟଣାର ୪ ମାସ ପରେ ଉଦିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ନେତୃତ୍ୱ ତାଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜାତୀୟ ଛାତ୍ର କଂଗ୍ରେସ ସଭାପତି ବରୁଣ ଚୌଧୁରୀ ଏକ ବିବୃତି ଜାରି କରି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଜାତୀୟ ଛାତ୍ର କଂଗ୍ରେସ ଶୂନ୍ୟ ସହନଶୀଳତା ନୀତିରୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ଜଣାଇଛନ୍ତି।
ଅଭିଯୋଗର ଅନୁଧ୍ୟାନ ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଉକ୍ତ କମିଟି ଖୁବ୍ ଶୀଘ୍ର ଅଭିଯୋଗକାରିଣୀକୁ ଭେଟି ତାଙ୍କ ସହିତ ଆଲୋଚନା କରିବେ ଏବଂ ପିସିସିକୁ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିସିସି ଉପ ସଭାପତି ସସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତଥ୍ୟ ଅନୁଧ୍ୟାନ କମିଟିରେ ବିଧାୟିକା ସୋଫିଆ ଫିଫିରଦୋଷ, ପିସିସି ସମ୍ପାଦିକା ଡ. ଦେବସ୍ମିତା ଶର୍ମା, ସୋନାଲି ସାହୁ, ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର ଏବଂ ପିସିସି ମୁଖପାତ୍ର ଡ. ମନିଶା ଦାସ ପଟ୍ଟନାୟକ ସଦସ୍ୟା ଅଛନ୍ତି ।