ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:ତା-୧୩/୧୧- ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆସନ୍ତା ୨୦ ତାରିଖରେ ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ନଭେମ୍ବର ୨୭ ରେ ସେ ଓଡ଼ିଶା ଆସି ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସର ଉଦଘାଟନ କରିବା ସହିତ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ପରେ ଅପରାହ୍ଣରେ ଓଡ଼ିଶା ବିଧାନ ସଭାରେ ସ୍ୱତନ୍ତ୍ର ପ୍ରକୋଷ୍ଠରେ ମଧ୍ୟ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱରାଷ୍ଟ୍ର ବିଭାଗ ତରଫରୁ ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ଉପସ୍ଥାପନ କରାଯାଇଥିଲା। ସୂଚନା ଅନୁଯାୟୀ ୨୦ ତାରିଖରେ ରାଷ୍ଟ୍ରପତି ଛତିଶଗଡ଼ର ଅମ୍ବିକାପୁର ଠାରେ ‘ଜନ ଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ସେଦିନ ସକାଳ ୮ଟା ୨୫ ମି ସମୟରୁ ନୂଆ ଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ବାହାରି ସକାଳ ୧୦ଟା ୦୫ମି ରେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ସେ ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଯାଇ ଛତିଶଗଡ଼ର ଅମ୍ବିକାପୁର ସ୍ଥିତ ଗାନ୍ଧି ଷ୍ଟାଡିୟମ ଠାରେ ଓହ୍ଲାଇ ସ୍ଥାନୀୟ ପି.ଜି କଲେଜ ପଡ଼ିଆଠାରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ଆୟୋଜିତ ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ବାହାରି ପୁନଶ୍ଚ ଝାରସୁଗୁଡ଼ା ଦେଇ ସେଦିନ ଅପରାହ୍ନ ୧ ଟା ୪୫ମି. ସୁଦ୍ଧା ଆନ୍ଧ୍ର ପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ନଭେମ୍ବର ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଝାରସୁଗୁଡାଠାରେ ଅବତରଣ ଏବଂ ସେଠାରେ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ସାମୟିକ ରହଣି ନିମନ୍ତେ ଜିଲ୍ଲାପାଳ ଓ ଏସପି ଝାରସୁଗୁଡାଙ୍କ ସହିତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ ସୁରକ୍ଷା ବ୍ୟବସ୍ଥା, ଅଗ୍ନିନିର୍ବାପକ ବ୍ୟବସ୍ଥା, ଚିକିତ୍ସା ଓ ସ୍ୱାସ୍ଥ୍ୟଯତ୍ନ ଆଦି ଆନୁଷ୍ଠାନିକ ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ସେହିପରି ୨୭ ତାରିଖରେ ରାଷ୍ଟ୍ରପତି ପୂର୍ବାହ୍ନ ୧୧ ଟା ୫୦ ମି. ସମୟରେ ନୂଆ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଅପରାହ୍ଣ ୨ ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରି ରାଜଭବନରେ ପହଞ୍ଚିବେ। ମଧ୍ୟାହ୍ନ୍ନ ବିରତି ପରେ ଅପରାହ୍ଣ ୪ ଟା ସମୟରେ ରାଜଭବନ ସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସର ଗୃହ ଉଦଘାଟନ କରିବେ। ଅପରାହ୍ଣ ୪.୨୦ ମିନିଟରେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ ଏବଂ ୪.୩୦ ରୁ ୫.୩୦ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟ ସଦସ୍ୟାମାନଙ୍କୁ
ସମ୍ବୋଧନ କରିବେ। ପରେ ପରେ ସେଦିନ ରାଷ୍ଟ୍ରପତି ରାଜଭବନଠାରେ ରାଜ୍ୟପାଳଙ୍କ ପକ୍ଷରୁ ଆୟୋଜିତ ରାତ୍ରଭୋଜନ କାର୍ଯ୍ୟକ୍ରମରେ ଯୋଗଦେବେ ଓ ତହି ପରଦିନ ୨୮ ତାରିଖ ସକାଳ୯ ଟା ୩୫ ମି.ରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଲକ୍ଷ୍ନୌ ବିମାନ ବନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ୨୭ ତାରିଖରେ ରାଷ୍ଟ୍ରପତିଙ୍କ ଆଗମନ ଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା। ମାନ୍ୟବର ରାଷ୍ଟ୍ରପତିଙ୍କର ସୁରକ୍ଷା, ରାଜଭବନରେ ରହଣି, କାରକେଡ୍ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, କାର୍ଯ୍ୟକ୍ରମରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ବ୍ୟବସ୍ଥା, ଆବଶ୍ୟକ ପାସ୍ ବ୍ୟବସ୍ଥା ଏବଂ ଗଣମାଧ୍ୟମରେ ପ୍ରଚାର ପ୍ରସାର ସଂପର୍କରେ ଆଲୋଚନା କରାଯାଇଥିଲା।