ଭୁବନେଶ୍ୱର:୧୭/୧୨-ଓଡିଶାର ମାଟିତଳେ ଥିବା ବହୁମୂଲ୍ୟ ବକ୍ସାଇଟ୍ ଲୁଟିବାକୁ ଆରମ୍ଭ ହୋଇଛି ବିଧିବଦ୍ଧ ଯୋଜନା । ଏହି ଯୋଜନା କରୁଥିବା କମ୍ପାନୀମାନେ ସିଧାସଳଖ ଭାବେ ଆଗକୁ ନ ଆସି କିଛି ଛଦ୍ମବେଶୀ ଏନଜିଓ, ବିଶେଷଜ୍ଞଙ୍କ ନାଁରେ ବିଭିନ୍ନ ଗଣମାଧ୍ୟମରେ ବକ୍ସାଇଟ୍ ଉପରେ ଲେଖା ପ୍ରକାଶ କରୁଛନ୍ତି । ସର୍ଭେ ବି କରୁଛନ୍ତି । ଏହି ସଂସ୍ଥା ଓ ବିଶେଷଜ୍ଞମାନଙ୍କ ନାମ ସହିତ ସେମାନଙ୍କ ସଂକ୍ରାନ୍ତରେ ଲୋକେ ଜାଣିବା ଆବଶ୍ୟକ । ରାଜ୍ୟର ନୂଆ ସରକାର ଏଥିପ୍ରତି ଦୃଷ୍ଟି ନଦେଲ ରାଜ୍ୟର ମୂଲ୍ୟବାନ୍ ବକ୍ସାଇଟକୁ ଏମାନେ ହାତେଇ ନେବେ।

ଆଦିବାସୀଙ୍କ ଭିଟାମାଟି ଉଜାଡି ଦେବେ । ବହୁ ପୁରାତନ ଔଷଧିୟ ବୃକ୍ଷର ସତ୍ତା ବିଲୋପ କରିଦେବେ। ସାଧାରଣ ଲୋକଙ୍କୁ ବୁଝାଇବା ପାଇଁ ଚାଲିଛି ଅଭିନବ ଯୋଜନା। ଲକ୍ଷ୍ୟ ହେଉଛି ବକ୍ସାଇଟ୍ ଲୁଟ୍ । ଏବେ ପୁଣିଥରେ ଗନ୍ଧମାର୍ଦ୍ଦନ ଲୁଟ୍ ପାଇଁ ସୁଚିନ୍ତିତ ଯୋଜନା ଚାଲିଛି । ନିୟମଗିରି ପାଦ ଦେଶରେ ଚାଲିଛି ବକ୍ସାଇଟ୍ ଲୁଟିର ନକ୍ସା ପ୍ରସ୍ତୁତି। ଏଥିରେ କିଛି କମ୍ପାନୀ, ଏନଜିଓ, ମିଛ ବିଶେଷଜ୍ଞ ଓ ରାଜନେତା ଜଡିତ ରହିଛନ୍ତି ବୋଲି କଳିଙ୍ଗସେନାର ସୁପ୍ରିମୋ ହେମନ୍ତ ରଥ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମଧ୍ୟମକୁ କହିଛନ୍ତି । ବକ୍ସାଇଟ୍ ଖଣି ଖୋଳିଲେ ରାଜ୍ୟର ବିକାଶ ହେବ ବୋଲି ଯୋଗାଡିଆ ଲେଖା ପ୍ରକାଶ କରାଯାଉଛି । ଲୋକଙ୍କ ମତର ପରୀକ୍ଷା ହେଉଛି। ଯଦି ବିଶେଷ ପ୍ରତିକ୍ରିୟା ପ୍ରକାଶ ନପାଇବ ଏମାନେ ଖୋଲାଖୋଲି ବକ୍ସାଇଟ୍ ଲୁଟ୍ ପାଇଁ ଆଗକୁ ଆସିବେ । ଆପଣମାନେ ଜାଣିଛନ୍ତି ଓଡିଶାରେ ଥିବା କଳକାରଖାନାରୁ ଏବେ ବର୍ଷକୁ ୪୫ ନିୟୁତ ଟନ୍ ପାଉଁଶ ବାହାରୁଛି । ସରକାର କହୁଛନ୍ତି ଏଥିରୁ ୪୨ ନିୟୁତ ଟନ୍ ବ୍ୟବହାର ହେଉଛି । ଅବଶିଷ୍ଟ ପାଉଁଶ କୁଆଡେ ଯାଉଛି ତାହାର ଖବର କାହାରି ପାଖରେ ନାହିଁ । ଖଣି ଓ କାରଖାନା ଅଞ୍ଚଳର ଲୋକେ ପାଉଁଶ ପ୍ରଦୂଷଣରେ ନୟାନ୍ତ ହେଉଛନ୍ତି । ବକ୍ସାଇଟ ଲୁଟିବା ପାଇଁ ଯଦି ଓଡିଶାରେ ପୁଣି ଆଲୁମିନିୟମ କାରଖାନା ହୁଏ ତେବେ ସେଥିରୁ ବାହାରିବାକୁ ଥିବା ପାଉଁଶ କୁଆଡେ ଯିବ ?
କିଛି ଶିଳ୍ପପତିଙ୍କ ପକେଟ ଗରମ ପାଇଁ ସରକାର ଓଡିଶାବାସୀଙ୍କୁ ପାଉଁଶ ପ୍ରଦୂଷଣ ଭିତରକୁ ଠେଲି ଦିଅନ୍ତୁ ନାହିଁ । କେଉଁଝରରେ ବାର୍ଷିକ ୩ ନିୟୁତ ଟନ୍ ଆଲୁମିନିୟମ୍ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା ପରେ ଆରମ୍ଭ ହୋଇଛି ଏଭଳି ଛଦ୍ମବେଶୀ ଯୋଜନା । ଉଲ୍ଲେଖନୀୟ ଯେ ଭାରତର ମୋଟ ଆଲୁମିନିୟମ୍ ଉତ୍ପାଦନ କ୍ଷମତା ବାର୍ଷିକ ୪.୨ ନିୟୁତ ଟନ୍ । ବେଦାନ୍ତ ୧.୭ ନିୟୁତ ଟନ୍ ସହିତ ସବୁଠାରୁ ଆଗରେ ଅଛି । ତା’ପରେ ହିଣ୍ଡାଲକୋ ୧.୫ ନିୟୁତ ଟନ୍, ବାଲକୋ ୦.୬ ନିୟୁତ ଟନ୍ ଏବଂ ନାଲକୋ- ୦.୫ ନିୟୁତ ଟନ୍ ରହିଛି । ଏଭଳି ର୍ଦୁମୂଲ୍ୟ ଖଣି ଲୁଟିବା ସହିତ ସରଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଦନାମ ପାଇଁ ବି ଏମାନେ ଯୋଜନା କରିଛନ୍ତି । ଆଗାମୀ ଦିନରେ ଏହି ଛଦ୍ମବେଶୀ ବକ୍ସାଇଟ୍ ଲୁଟେରାଙ୍କ ବିରୁଦ୍ଧରେ ଆନ୍ଦୋଳନ ଜୋରଦାର ହେବ । ଦରକାର ପଡିଲେ ଖଣି ଅଞ୍ଚଳର ଆଦିବାସୀଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ଗଣଆନ୍ଦୋଳନ ସହିତ ଏହାର ତୀବ୍ର ପ୍ରତିବାଦ କରାଯିବ ବୋଲି ଦଳର ଉପ ସଭାପତି ଅବଦୁଲ କୟୁମ ଖାନ, ସାଧାରଣ ସମ୍ପାଦକ ବିଜୟ ରାଜ, ଇଂ ମନୋଜ ନାୟକ, ମୁଖପାତ୍ର ଆଡଭୋକେଟ ସୁମନ୍ତ ସ୍ୱାଇଁ, ସମ୍ପାଦକ ମୋନାଲିସା ବିଶ୍ୱାଳ ପ୍ରମୁଖ ଚେତାବନୀ ଦେଇଛନ୍ତି ।