-ତୃଣମୂଳସ୍ତରରେ ପହଂଚିବ ରାଜସ୍ୱ ସେବା, ତହସିଲ ପକ୍ଷରୁ ପଂଚାୟତସ୍ତରରେ ହେବ କ୍ୟାମ୍ପ କୋର୍ଟ
-ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଦିଆଯିବ ଜିଲ୍ଲାର ଦାୟିତ୍ୱ
ଭୁବନେଶ୍ୱର:୧୮/୫-ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ବର୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ସଫଳତା ଏବଂ ଉପଲବ୍ଧି ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରି ପ୍ରତିଟି ଲୋକ ପାଖେ ରାଜସ୍ୱ ସେବା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଛି ତାହା ଆକାଶ କଇଁଆ ଚିଲିକା ମାଛ ସଦୃଶ ।
ବୈଠକରେ ମନ୍ତ୍ରୀ କହିଛନ୍ତି ଯେ, ଯାହା ଆମେ ଉପଲବ୍ଧି କରୁଛେ, ତାହା ଆମ ସଫଳତା ନୁହେଁ ବରଂ ଯେଉଁ ଯୋଜନା ଅଥବା ପଦକ୍ଷେପକୁ ସାଧାରଣ ଲୋକେ ସଫଳ ବୋଲି ବିବେଚନା କରୁଛନ୍ତି ତାହା ହିଁ ଆମ ଉପଲବ୍ଧି । ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାମାନଙ୍କର ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯିବା ସହ ଆଗାମୀ ଦିନରେ ସେମାନେ ଉକ୍ତ ଜିଲ୍ଲାମାନଙ୍କର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିଦର୍ଶନ ସମୟରେ ବରିଷ୍ଠ ଅଧିକାରୀ ଜିଲ୍ଲାମାନଙ୍କରେ ରାତ୍ରରହଣି ସହ ସରକାରଙ୍କ ରାଜସ୍ୱ ସେବା ସମ୍ପର୍କରେ ସାଧାରଣ ଲୋକଙ୍କ ମତାମତ ନେଇ ସେମାନଙ୍କୁ ବିଭାଗର ପ୍ରମୁଖ ଉପାଦେୟ ସେବା ସମ୍ପର୍କରେ ସଚେତନ କରାଇବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ରାଜସ୍ୱ ବିଭାଗ ପକ୍ଷରୁ ତହସିଲକୁ ତୃଣମୂଳସ୍ତରରେ ପହଞ୍ଚାଇବା ନିମନ୍ତେ ନୂତନ ପଦକ୍ଷେପ ସ୍ୱରୁପ ଖୁବଶୀଘ୍ର ‘ଆମ ଗାଆଁରେ ଆମ ତହସିଲ\’ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଗ୍ରାମ ଅଥବା ପଞ୍ଚାୟତସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ବିଭିନ୍ନ କାମ ପାଇଁ ଲୋକମାନଙ୍କୁ ତହସିଲ କାର୍ଯ୍ୟାଳୟ ଆସିବାକୁ ପଡୁଥିବା ବେଳେ ଏଣିକି କ୍ୟାମ୍ପ କୋର୍ଟ ମାଧ୍ୟମରେ ଗାଆଁ-ଗାଆଁରେ ତହସିଲ କାର୍ଯ୍ୟାଳୟର ଅଧିକାରୀମାନେ ଲୋକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ସହ ପ୍ରଜା ଖାନା ସଂଶୋଧନ, ଡିମାର୍କେସନ ଆଦି ବିଭିନ୍ନ ରାଜସ୍ୱ ସେବା ଯୋଗାଇଦେବେ । ଏଥିସହିତ କ୍ୟାମ୍ପ କୋର୍ଟ ମାଧ୍ୟମରେ ରାଜସ୍ୱ ସେବା ସମ୍ପର୍କିତ ଲୋକମାନଙ୍କ ଅଭିଯୋଗ ଶୁଣାଣି କରାଯାଇ ତ୍ୱରିତ ସେବା ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ସହରାଞ୍ଚଳ ଚାଷ ଜମି କିସମ ପରିବର୍ତ୍ତନ ନିୟମକୁ ସରଳୀକରଣ କରାଯିବା ନେଇ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଗତ ଦୁଇ ବର୍ଷରେ ଓଡ଼ିଶା ରାଇଟ ଟୁ ପବ୍ଲିକ ସର୍ଭିସେସ ଆଇନ ଆଧାରରେ ୨.୫ କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ସେବା ଯୋଗାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ବୈଠକରେ ଆଲୋଚନା କରାଯାଇଛି । ଖୁବ୍ ଶୀଘ୍ର ବିସ୍ଥାପିତ ଲୋକମାନଙ୍କ ପାଇଁ ନୂତନ ପୁନର୍ବାସ ଓ ଥଇଥାନ ଆଇନର ରୂପରେଖ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ମନ୍ତ୍ରୀଙ୍କ ପ୍ରସ୍ତାବ ଓ ଦୂରଦୃଷ୍ଟି ସମ୍ପନ୍ନ ଯୋଜନାର ରୂପାୟନ କେତେଦୂର ଫଳପ୍ରଦ ହେବ ଏବଂ ରାଜ୍ୟରେ କାର୍ଯ୍ୟକାରୀ ହେବ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି । ଏଗୁଡ଼ିକ ପୂର୍ବ ଯୋଜନା ପରି ହେବ ନାହିଁ ତ?