ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨୦୨୫
ଭାଲେଣ୍ଟାଇନ୍ ଡେ କୁ ବୁକ୍ ଡେ ଭାବେ ପାଳନ କରିବା ପାଇଁ ଯୁବବର୍ଗଙ୍କୁ ପ୍ରତିଭା ରାୟଙ୍କ ଆହ୍ୱାନ
ଭୁବନେଶ୍ୱର:୬/୧୨- ଓଡ଼ିଆ ଭାଷା ଭାରତବର୍ଷର ଅନ୍ୟତମ ପୁରାତନ ଭାଷା। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳୀ ଓ ଜଉଗଡ଼ର ପ୍ରାଚୀନ ଅଭିଲେଖ, ପୁରୁଣା ପୋଥି, ତାମ୍ରଫଳକ ଓ ତାଳପତ୍ର ପୋଥିରୁ ଆମ ଓଡ଼ିଆ ଭାଷା କେତେ ପ୍ରାଚୀନ ତାହା ପ୍ରମାଣିତ ହୋଇଛି। ଆମର ଏହି ପ୍ରାଚୀନ ଭାଷା ସାହିତ୍ୟକୁ ବିକାଶ ଓ ରୁଦ୍ଧିମନ୍ତ କରିବା ଦାୟିତ୍ୱ ଆମର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ- ୨୦୨୫ର ଉଦ୍ଘାଟନୀ ଅବସରରେ କହିଛନ୍ତି।

ଭୁବନେଶ୍ୱର ୟୁନିଟ–୩ ପ୍ରଦର୍ଶନୀ ପଡ଼ିଆରେ ଶନିବାର ଠାରୁ ଆରମ୍ଭ ହୋଇଛି ଏହି ପୁସ୍ତକ ମହୋତ୍ସବ। ୧୭ ତାରିଖ ଯାଏଁ ଏହା ଚାଲିବ। ଚଳିତବର୍ଷ ଏହି ମହୋତ୍ସବରେ ୫୫୦ଟି ଷ୍ଟଲ ଖୋଲାଯାଇଛି। ଏଥିସହିତ ବରପୁତ୍ରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଭିଲିଅନ ପ୍ରସ୍ତୁତ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବକୁ ଉଦଘାଟନ କରି ଷ୍ଟଲ ବୁଲି ଦେଖିଥିଲେ ଓ ପୁସ୍ତକ କ୍ରୟ କରିଥିଲେ। ଏଥିସହିତ ବରପୁତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ପାଭିଲିଅନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉପସ୍ଥିତ ସାହିତ୍ୟିକ, ଲେଖକ ଓ ପୁସ୍ତକପ୍ରେମୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁସ୍ତକ ସଂଗ୍ରହ ଓ ପଠନ ପ୍ରତି ତାଙ୍କର ବିଶେଷ ରୁଚି ରହିଛି। ଏ ପର୍ଯ୍ୟନ୍ତ ପ୍ରାୟ ୫୦୦୦ ରୁ ୬୦୦୦ ପର୍ଯ୍ୟନ୍ତ ପୁସ୍ତକ ସଂଗ୍ରହ କରି ଲାଇବ୍ରେରୀରେ ରଖିଛନ୍ତି ଏବଂ ସମୟ ପାଇଲେ ତାକୁ ପଢ଼ୁଛନ୍ତି।

ପିଲାମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁସ୍ତକ ପଠନ ମାଧ୍ୟମରେ ଆମ ଅବହେଳିତ ତଥା ଅନାଲୋଚିତ ବରପୁତ୍ରମାନଙ୍କ ବିଷୟରେ ଆମେ ଜାଣିପାରିବା। ଲେଖକମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ଏହି ଅନାଲୋଚିତ ବରପୁତ୍ରମାନଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରି ପୁସ୍ତକ ମାଧ୍ୟମରେ ସେମାନଙ୍କୁ ଲୋକଲୋଚନକୁ ଆଣନ୍ତୁ।

ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ, ମାନବ ଜାତିର ଇତିହାସରେ ଦୁଇଟି ବିସ୍ମୟକର ଘଟଣା ହେଉଛି ଅଗ୍ନି ଏବଂ ଭାଷା। ଭାଷା ମଣିଷ ଦ୍ୱାରା ଉଦ୍ଭାବିତ। ମଣିଷ ନିଜର ବିବେକ, ଚେତନା ଓ ଜ୍ଞାନ ଦ୍ୱାରା ଏହାକୁ ଉଦ୍ଭାବନ କରିଛି। ଆମ ସଂସ୍କୃତି ହେଉଛି ପୋଥିଗତ, ଜ୍ଞାନଗତ ଓ ବିବେକଗତ। ପୋଥି ହେଉଛି ଆମ ସବୁଠାରୁ ବଡ଼ ବନ୍ଧୁ। ତେଣୁ ପୁସ୍ତକକୁ ଉପହାର ରୂପେ ଗ୍ରହଣ କରିବା ଓ ପ୍ରଦାନ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଥିଲେ। ଯୁବବର୍ଗଙ୍କୁ ଆଗାମୀ ଭାଲେଣ୍ଟାଇନ ଡେ’କୁ ବୁକ୍ ଡେ ଭାବେ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ।