ଭୁବନେଶ୍ୱର:୨୫/୩-ବାଲେଶ୍ୱର ଜିଲ୍ଲାର ଦୁଇଜଣ ଟାଣୁଆ ରାଜନେତା ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ ବୁଧବାର ବିଜେଡିକୁ ଫେରିଛନ୍ତି। ସେମାନଙ୍କ ଘରବାହୁଡ଼ା ପାଇଁ ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ଏହି ଦୁଇ ନେତାଙ୍କୁ ସ୍ୱାଗତ କରିଥିଲେ। ଏ ଦୁଇ ନେତାଙ୍କ ଯୋଗଦାନ ଦ୍ୱାରା ବିଜେଡି ବାଲେଶ୍ୱର ଜିଲ୍ଲାରେ ଆହୁରି ମଜବୁତ ହେବ ଏବଂ ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟକୁ ଅଧିକ ବ୍ୟାପକ କରିବା ପାଇଁ ନବୀନ ଉଭୟଙ୍କୁ ପରାମର୍ଶ ଦେଇଛନ୍ତି।

ରଘୁନାଥ ବସ୍ତା ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାରରେ ସେ ବହୁ ଗୁରୁତ୍ୱତ୍ପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୧୩ ମସିହାରେ ପାରିବାରିକ କନ୍ଦଳ ତାଙ୍କ ପାଇଁ ଦୁର୍ଦ୍ଦିନ ଆଣିଲା। ସେଥିପାଇଁ ୨୦୧୪ ନିର୍ବାଚନରେ ସେ ବିଜେଡି ଟିକେଟ ପାଇ ନଥିଲେ। ୨୦୧୯ ନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିଲେ। ପରେ ସେ ବିଜେଡିକୁ ଫେରିଆସିଥିଲେ। ସାଂସଦ ରବି ଜେନାଙ୍କ ପ୍ରଭାବ ଯୋଗୁଁ ସେ ତିଷ୍ଠି ପାରିଲେନି। ୨୦୨୪ ନିର୍ବାଚନରେ ବସ୍ତା ଆସନରୁ ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀ ଜେନାଙ୍କୁ ବିଜେଡି ଟିକେଟ ମିଳିଥିଲା। ରଘୁନାଥ ବିଜେଡି ଛାଡ଼ିଦେଲେ।
ସେହିପରି ଜୀବନ ପ୍ରଦୀପ ଦାସ ବିଜେପି ଟିକେଟରେ ୨୦୦୦ ମସିହାରେ ବାଲେଶ୍ୱର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ମିଶିଥିଲେ। ବାଲେଶ୍ୱର ଆସନରୁ ବିଜେଡି ଟିକେଟରେ ସେ ୨୦୦୯ ଏବଂ ୨୦୧୪ରେ ବିଧାୟକ ହୋଇଥିଲେ। ୨୦୧୯ରେ ସେ ପୁଣି ଟିକେଟ ପାଇଥିଲେ ମଧ୍ୟ ହାରି ଯାଇଥିଲେ। ବିଜେପିର ମଦନ ମୋହନ ଦତ୍ତ ଜିତିଥିଲେ। ତାଙ୍କର ନିଧନ ଯୋଗୁଁ ଅନୁଷ୍ଠିତ ଉପ ନିର୍ବାଚନରେ ଜୀବନ ପ୍ରଦୀପଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନିଲମ୍ବିତ କରିଥିଲା। ୨୦୨୧ରେ ସେ ପୁଣି ବିଜେପିରେ ଯୋଗଦେଇଥିଲେ।