ଆମ ସଂସ୍କୃତି ଓ ପରମ୍ପରାର ନିଚ୍ଛକ ନିଦର୍ଶନ : କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର:୧୬/୧-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୬ ଆୟୋଜିତ ହୋଇଛି। ଉଦଘାଟନୀ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ରାଜାରାଣୀ ସଙ୍ଗୀତ ଉତ୍ସବ ଆମ ସଂସ୍କୃତି ଓ ପରମ୍ପରାର ଏକ ନିଚ୍ଛକ ନିଦର୍ଶନ। ଶାସ୍ତ୍ରୀୟ ଓ ପାରମ୍ପରିକ ସଙ୍ଗୀତ ଆଜି ଆମ ରାଜ୍ୟ ଓ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ଉପସ୍ଥିତ ସମସ୍ତ ସଙ୍ଗୀତଜ୍ଞ ଓ ଶାସ୍ତ୍ରୀୟ ସଙ୍ଗୀତ ପ୍ରଶଂସକମାନଙ୍କୁ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏଥିସହ ସେ ଓଡ଼ିଶୀ ସଙ୍ଗୀତ ଗୁରୁ ଅଚ୍ୟୁତ ମହାରଣା, ସଙ୍ଗୀତ ବିଶାରଦ ପଣ୍ଡିତ ସୁରେଶ ତଲୱାଲକର ଓ ବାଦ୍ୟ ପରିବେଷଣ କରିଥିବା ସମସ୍ତ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଉଦ୍ଘାଟନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା କଣ୍ଠଶିଳ୍ପୀ ଗୁରୁ ଅଚ୍ୟୁତ ମହାରଣା ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତ ପରିବେଷଣ। ପ୍ରଥମେ ରାଗ ବଜ୍ରକାନ୍ତି ଓ ତାଳ ଜତିରେ ରାଗାଙ୍ଗ “ନିଶି ନାଥ ବଦନୀ’ ପରିବେଷଣ କରିଥିଲେ ଗୁରୁ ଅଚ୍ୟୁତ ମହାରଣା। ଏହାପରେ ରାଗ ଶଙ୍କରାଭରଣ ଏବଂ ତାଳ ରୂପକରେ “ମନୁ ଯାଉ ନାହିଁ ମା’, ନାଟ୍ୟାଙ୍ଗ “ନ ଯା ଯମୁନା’ ଏବଂ ଶେଷରେ ସିଂହାରୀ ଦାମୋଦରଙ୍କ ରଚନା ଏବଂ ସିଂହାରୀ ଶ୍ୟାମ ସୁନ୍ଦରଙ୍କ ସଂରଚନାରେ ପ୍ରସ୍ତୁତ ଭଜନ “କଞ୍ଜ ଚରଣେ’କୁ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ ଗୁରୁ ଅଚ୍ୟୁତ ମହାରଣା ଓ ତାଙ୍କ ସହଯୋଗୀ। ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା, ସାବଲୀଳ ଓ ଭାବୋଦ୍ଦୀପକ ପରିବେଷଣ ଦ୍ୱାରା ଅଚ୍ୟୁତ ମହାରଣା ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତାଙ୍କୁ ମର୍ଦଳରେ ଗୁରୁ ସଚ୍ଚିଦାନନ୍ଦ ଦାସ, ବଂଶୀରେ ଡକ୍ଟର ଜବାହାର ମିଶ୍ର, ହାରମୋନିୟମରେ ଗୁରୁ ମୁରଲୀଧର ସ୍ୱାଇଁ ଏବଂ ତାନପୁରାରେ ମମତା ଶ୍ରୀଚନ୍ଦନ ଓ ସଂଗୀତା ନାୟକ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ସଚିବ ଦେବ ପ୍ରସାଦ ଦାଶ, ସଙ୍ଗୀତ ନାଟକ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।