ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ
ଭୁବନେଶ୍ୱର :୧୪/୧୧- ସଂସ୍କୃତିଭବନ ସମ୍ମିଳନୀ କକ୍ଷରେ ୨୦୨୦,୨୦୨୧ ଏବଂ ୨୦୨୨ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ସାମ୍ବାଦିକ ସମ୍ମିଳନୀରେ ସମସ୍ତ ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି।
ଆସନ୍ତା ୧୭ ତାରିଖରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେବ। ସର୍ବମୋଟ ୩୩ଟି ବର୍ଗରେ ୨୦୨୦,୨୦୨୧ ଏବଂ ୨୦୨୨ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ନିମନ୍ତେ ବିଜେତାଙ୍କୁ ୫ ଲକ୍ଷ ଟଙ୍କା ଅର୍ଥରାଶି ସହିତ ମାନପତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯିବ। ସେହିପରି ଶ୍ରେଷ୍ଠ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ପାଇଁ ୨ ଲକ୍ଷ ଟଙ୍କା ଅର୍ଥରାଶି ସହିତ ମାନପତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯିବ।
୨୦୨୦ ପାଇଁ ସହିଦ୍ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡ଼ାଲଚିନି, ୨୦୨୨ ପାଇଁ ଦମନକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ପ୍ରଦାନ କରାଯିବ। ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର ଓ ଜୟୀରାମ ସାମଲଙ୍କୁ ଯଥାକ୍ରମେ ୨୦୨୦,୨୦୨୧ ଏବଂ ୨୦୨୨ ବର୍ଷ ପାଇଁ ସର୍ବୋଚ୍ଚ ପୁରସ୍କାର ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର ଦ୍ୱାରା ସମ୍ମାନିତ କରାଯିବ।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାବା ସହିତ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରକାଶଯୋଗ୍ୟ ଯେ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚଳଚ୍ଚିତ୍ର, ଅଭିନୟ, କଳା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ସଦସ୍ୟ-ସଦସ୍ୟାମାନଙ୍କୁ ନେଇ ଏକ ଜୁରୀ କମିଟି ଗଠନ କରାଯାଇଥିଲା। ବର୍ଷ ୨୦୨୦,୨୦୨୧ ଏବଂ ୨୦୨୨ ପାଇଁ ଯଥାକ୍ରମେ ୩୨ତମ,୩୩ ତମ ଓ ୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆସନ୍ତା ୧୭ ତାରିଖରେ ସମସ୍ତ ବିଜେତା ମାନଙ୍କୁ ପ୍ରଦାନ କରାଯିବ।
