ଭୁବନେଶ୍ୱର:୧୧/୧୦-ଓଡ଼ିଆ ଭାଷା ସାହିତ୍ୟକୁ ଜୀବନଠୁ ଅଧିକ ଭଲ ପାଉଥିବା ଲୋକଙ୍କ ଭିତରେ କବି ରକ୍ଷକ ନାୟକ ଏକ ପରିଚିତ ନାଁ। କବିତା କ’ଣ ଜାଣିବା ପୂର୍ବରୁ ସେ କବିତା ଲେଖିବା ଆରମ୍ଭ କରିସାରିଥିଲେ। ଶ୍ରୀ ନାୟକ ଦୀର୍ଘବର୍ଷ ଧରି ସାହିତ୍ୟ ସାଧନାରେ ବ୍ରତୀ। ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଠାରୁ ଆରମ୍ଭ କରି ଅନେକ ଅନୁଷ୍ଠାନ ତାଙ୍କର ସଫଳ କୃତି ପାଇଁ ତାଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଛନ୍ତି।


ଶ୍ରୀ ନାୟକ ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟ କରୁଥିଲେ। ସେ ବାଚସ୍ପତି ଏବଂ ରାଜ୍ୟପାଳଙ୍କ ସୂଚନା ଅଧିକାରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ବିଭାଗର ଉପ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ସମୟରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଅବସର ପରେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ନିର୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସଂପ୍ରତି ସେ କଳିିଙ୍ଗ ଟିଭିର କ୍ରିଏଟିଭ ଏଡିଟର ଭାବେ ସେପ୍ଟେମ୍ବର ୨୮ ତାରିଖରୁ କାର୍ଯ୍ୟରତ। ଜଣେ ମେଳାପୀ ଓ ସରଳ ମଣିଷ ଭାବେ ସେ ଜଣାଶୁଣା। ଏହି ସଫଳ କବିିଙ୍କ ଅଧିକ ସଫଳତା କାମନା କରୁଛୁ।
