ଭୁବନେଶ୍ୱର: ୨୨/୧୧/୨୦୨୪
ଭୁବନେଶ୍ୱରସ୍ଥିତ ମେ ଫେୟାର କନଭେନସନରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିହାର, ଛତିଶଗଡ଼, ଝାଡଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗର କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଦେବେଶ ଚତୁର୍ବେଦୀ ଓଡ଼ିଶାରେ ପ୍ରଣୀତ ପ୍ରମୁଖ କୃଷି ବିକାଶ ଯୋଜନା ଗୁଡ଼ିକର ପ୍ରଶଂସା କରିଥିଲେ। ସମ୍ମିଳନୀରେ ଚାରିଟି ଅଧିବେଶନରେ ବିଭିନ୍ନ ଯୋଜନାର ସମୀକ୍ଷା କରାଯାଇଥିଲା l ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ, ଓଡ଼ିଶା ବର୍ତ୍ତମାନ ଚାଷ ପାଇଁ ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରୁଛି । ନିକଟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଚାଷୀଙ୍କୁ ଇନ୍ସୁରାନ୍ସ ପ୍ରଦାନ କରାଯାଉଛି ।

ସମ୍ମିଳନୀରେ କେନ୍ଦ୍ରୀୟ ଯୋଜନା ଗୁଡ଼ିକ ଯଥା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କୃଷି ଉନ୍ନତି ଯୋଜନା, ପିଏମ୍ ଜନ ଜାତୀୟ ଉନ୍ନତ ଅଭିଯାନ, ଡିଜିଟାଲ ଏଗ୍ରୀକଲଚର ମିଶନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ତୈଳବୀଜ ମିଶନ ପ୍ରଭୃତିର ସମୀକ୍ଷା କରାଯାଇଥିଲା । କେନ୍ଦ୍ର ଯୁଗ୍ମ ଶାସନ ସଚିବ ଋକ୍ମୁଣି ଦେବୀ ନୂତନ ଯୋଜନା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ।
ଓଡିଶା କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମିଳନୀରେ ଓଡ଼ିଶା କୃଷି କ୍ଷେତ୍ରରେ ଜଳବାୟୁ ଅନୁକୂଳ ଚାଷକୁ ପ୍ରୋତ୍ସାହନ ଦେଇ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ବଳଭଦ୍ର ଜୈବିକ ଚାଷ ଯୋଜନା କରିଥିବାବେଳେ କୃଷି କ୍ଷେତ୍ରରେ ଲିଙ୍ଗଗତ ଅସମାନତାକୁ ଦୂର କରିଥିବା ସୂଚନା ଦିଆଯାଇଥିଲା। କୃଷି କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର କରି ଇ-ଚାଷ ଆପ୍ ଜରିଆରେ ଚାଷ ଜମି ଗୁଡ଼ିକର ଜିଓ ଟ୍ୟାଗିଂ, ଡିଜିଟାଲ କ୍ରପ ସର୍ଭେ ପଦ୍ଧତିରେ ପ୍ରକୃତ ତଥ୍ୟ ହାସଲ, ରାଇସ ଫାଲୋ ମ୍ୟାନେଜମେଣ୍ଟ ଜରିଆରେ ୪ ଲକ୍ଷ ହେକ୍ଟର ଚାଷଜମିକୁ ବ୍ୟବହାର କରି ରାଜ୍ୟରେ ୬ ପ୍ରକାର ଡ଼ାଲି ଓ ୨ ପ୍ରକାର ତୈଳବୀଜ ଜାତୀୟ ଫସଲର ଉତ୍ପାଦନ ବୃଦ୍ଧି ସମ୍ପର୍କରେ କୁହାଯାଇଥିଲା । କିଛିଦିନ ପୂର୍ବରୁ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଆୟୋଜନ କରି ଓଡ଼ିଶାର ପାରମ୍ପରିକ ଖାଦ୍ୟ ତଥା କୃଷି ଐତିହ୍ୟର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କରାଯାଇଥିବା ବେଳେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ ସ ଓଡ଼ିଶା ଭ୍ରମଣରେ ଆସିଥିବା ସମୟରେ ଓଡ଼ିଶାର କୃଷି ସମୃଦ୍ଧି ହେଲ୍ପଲାଇନର କାର୍ଯ୍ୟ ବିଷୟରେ ଜାଣି ପ୍ରଶଂସା କରିଥିବା କୁହାଯାଇଥିଲା ।
କେନ୍ଦ୍ର କୃଷି ବିଭାଗ ଯୁଗ୍ମ ଶାସନ ସଚିବ ପୂର୍ଣ୍ଣଚନ୍ଦ୍ର କିଶାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।