• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ରାଜ୍ୟର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଏକ ଦୂରଦର୍ଶୀ ମାର୍ଗ ପ୍ରସ୍ତୁତି ଉପରେ ରାଜ୍ୟପାଳ ଗୁରୁତ୍ଵ ଦେଇଛନ୍ତି

Share on FacebookShare on TwitterShare on Whatsapp

ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର: 15/2- ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମଝି ଉତ୍ତର ରଖି କହିଛନ୍ତି, ଗତ ଫେବୃୟାରୀ ୧୩ ତାରିଖ ଦିନ ଚଳିତବର୍ଷ ପାଇଁ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ଏହି ପବିତ୍ର ଗୃହରେ ଉପସ୍ଥାପନ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ସଦସ୍ୟମାନେ ବିଚାର ବିମର୍ଶ ତଥା ଆଲୋଚନା କରିଛନ୍ତି। ମୁଁ ଏ ଗୃହର ସଦସ୍ୟମାନଙ୍କୁ ଏହି ଆଲୋଚନାରେ ଭାଗନେଇ ତାଙ୍କର ସୁଚିନ୍ତିତ ମତାମତ ରଖି ଥିବାରୁ ଧନ୍ୟବାଦ ଜଣାଉଛି।

ପ୍ରତ୍ୟେକ ବର୍ଷ ବିଧାନସଭାର ପ୍ରଥମ ଅଧିବେଶନକୁ ରାଜ୍ୟପାଳ ସମ୍ବୋଧନ କରିବା ଏକ ସାମ୍ବିଧାନିକ ବିଧି ବ୍ୟବସ୍ଥା। ଏହି ଗୃହରେ ରାଜ୍ୟବାସୀଙ୍କ ପାଇଁ ତାଙ୍କର ପ୍ରେରଣାଦାୟୀ ଅଭିଭାଷଣ ପାଇଁ ରାଜ୍ୟପାଳଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି। ତାଙ୍କ ଅଭିଭାଷଣରେ ଆମ ରାଜ୍ୟର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଏକ ଦୂରଦର୍ଶୀ ମାର୍ଗ ପ୍ରସ୍ତୁତି ଉପରେ ସେ ଗୁରୁତ୍ଵ ଆରୋପ କରିଛନ୍ତି। ଯୁବସମାଜ ପାଇଁ ନିଯୁକ୍ତି, କୃଷକମାନଙ୍କ ପାଇଁ ସହାୟତା, ମହିଳା ସଶକ୍ତୀକରଣ ଏବଂ ଅବହେଳିତ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରି ଆମ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଅବତାରଣ କରିଛନ୍ତି।

ଏହି ଧନ୍ୟବାଦ ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନା ସମୟରେ ବିଭିନ୍ନ ବିରୋଧୀଦଳର ସଦସ୍ୟ ମାନେ ଗୋଟିଏ କଥା ବାରମ୍ବାର ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆମ ସରକାର ଆଠ ମାସରେ ବିଶେଷ କିଛି କରି ନାହାନ୍ତି। ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହେଁ ଯେ ଏପରି ତୁଳନାରେ ମୁଁ ବହୁତ ଆନନ୍ଦିତ, କାରଣ ୨୪ ବର୍ଷ ଅର୍ଥାତ ୨୯୦ ମାସର ବିଗତ ସରକାରଙ୍କ କାର୍ଯ୍ୟକାଳ ସହିତ ବିରୋଧୀଦଳ ମୋ ଆଠ ମାସର କାର୍ଯ୍ୟକାଳକୁ ତୁଳନା କରୁଛନ୍ତି । କାରଣ, ସେମାନେ ଚାହୁଁଛନ୍ତି ଗତ ୨୪ ବର୍ଷରେ ଯେତିକି ବିକାଶ ହୋଇଥିଲା, ମାତ୍ର ଆଠ ମାସରେ ଆମେ ତା’ ଠୁ ଅଧିକ ବିକାଶ କରି ଦେଖାଇ ଥାଆନ୍ତୁ। ଆମେ କରିଛୁ ମଧ୍ୟ।

ବିଗତ ସରକାରଙ୍କ ୨୪ ବର୍ଷରେ ଓଡିଶା କେତେ ପାଇଲା, କେତେ ପାଇ ପାରିଥାନ୍ତା, ତାହା ଉପରେ ଆଲୋଚନା କଲେ, ଏକ ଲମ୍ବା ତାଲିକା ହୋଇଯିବ। ଏହି ପବିତ୍ର ଗୃହରେ ଆଗାମୀ ଦିନରେ ତାହା ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ, ମୁଁ ବି ବିଭିନ୍ନ ଅବସରରେ ମୋର ମତାମତ ରଖିବି। ବିଗତ ଦୁଇ ଦଶନ୍ଧିର ଶାସକ ଦଳ, ଏବଂ ବର୍ତ୍ତମାନର ବିରୋଧୀ ଦଳଙ୍କୁ ମୁଁ ମାନ୍ୟବର ବାଚସ୍ପତି ମହୋଦୟାଙ୍କ ମାଧ୍ୟମରେ ଏତିକି କହିବି ଯେ ଗତ ୨୪ ବର୍ଷରେ କୃଷି କ୍ଷେତ୍ରରେ ଏତେ ଅଗ୍ରଗତି ଆପଣ କରିଥିଲେ ଯେ ରାଜ୍ୟର ଚାଷୀଙ୍କ ଆୟ ସବୁ ରାଜ୍ୟମାନଙ୍କ ମଧ୍ୟରେ ନିମ୍ନରୁ ଦ୍ୱିତୀୟ। ଆମ ତଳେ କେବଳ ଝାଡ଼ଖଣ୍ଡ ହିଁ ରହିଛି।

ଉତ୍କଳ ଘଣ୍ଟ କବି ଯଦୁମଣି କହିଥିଲେ, ‘ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ’। ଚାଷୀଙ୍କୁ କୁଇଣ୍ଟାଲ ପିଛା ଯେଉଁ ୧୦୦ ଟଙ୍କା ବୋନସ ଦେବା ପାଇଁ ମିଛ ପ୍ରତିଶୃତି ଦିଆ ଯାଇଥିଲା, ତାହା ପୂରଣ କରିବାରେ ବିଫଳ ହେଲେ। କିନ୍ତୁ, ଆମ ସରକାର ୨୪ ବର୍ଷ ନୁହେଁ, ବରଂ ୨୪ ମିନିଟରେ ପ୍ରଥମ କ୍ୟାବିନେଟରେ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟର ଅଧା ଜନସଂଖ୍ୟାଙ୍କୁ ମହିଳା ସଶକ୍ତିକରଣ ନାଁ’ରେ ଭ୍ରମିତ କରି ୨୪ ବର୍ଷ ପର୍ଯ୍ୟନ୍ତ ସ୍ଲୋଗାନରେ ଚାଲିଗଲା। କିନ୍ତୁ, ଆମ ସରକାର ମାତ୍ର ୨୪ ମିନିଟରେ ରାଜ୍ୟର ପ୍ରାୟ ଏକ କୋଟି ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବାକୁ ନିଷ୍ପତି ଗ୍ରହଣ କରି ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିସାରିଛନ୍ତି। ଏହି ସୁଭଦ୍ରା ଯୋଜନା ସହାୟତା ଏବଂ କୃଷକ ସମୃଦ୍ଧି ଯୋଜନା ଯୋଗୁଁ ଓଡିଶାର ମୁଣ୍ଡପିଛା ଆୟ, ବିଶେଷ ଭାବେ ଚାଷୀ ପରିବାରଙ୍କ ମାସିକ ଆୟରେ ନିଶ୍ଚିତ ଭାବେ ବୃଦ୍ଧି ହେବ। ଯଦି ତୁଳନା କରିବାକୁ ଚାହୁଁଛନ୍ତି, ତେବେ ଏହା ହେଉଛି ୨୪ ବର୍ଷର ସରକାର ବନାମ ୮ ମାସର ଆମ ସରକାର ମଧ୍ୟରେ ତୁଳନା।

ଆମ ସରକାର ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ। ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସ୍ତରରେ ମା’ ମାନଙ୍କୁ ସଶକ୍ତ କରିବା ଆମର ଗୁରୁ ଦାୟିତ୍ଵ । ଏହି ପବିତ୍ର ଗୃହର ବାଚସ୍ପତି ଏବଂ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମହିଳା। ଉଭୟେ ନିଜ ନିଜ ଦାୟିତ୍ଵକୁ ଚମତ୍କାର ଭାବେ ତୁଲାଉଛନ୍ତି। ଏହା ହେଉଛି ପ୍ରକୃତ ମହିଳା ସଶକ୍ତିକରଣ। ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ଆମ ରାଜ୍ୟରେ ମଧ୍ୟ କାର୍ଯ୍ୟକାରୀ ହେଉଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ “ଲକ୍ଷପତି ଦିଦି” ଅଭିଯାନର ଉଦ୍ଦେଶ୍ୟ ହେଉଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ବାର୍ଷିକ ଅତି କମରେ ୧ ଲକ୍ଷ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିବା। ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସଶକ୍ତ କରିବାକୁ ଆମ ସରକାର ପ୍ରତିଶୃତିବଦ୍ଧ।
ରାଜନୈତିକସ୍ତରରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ମୋଦୀଙ୍କ ଦିଗଦର୍ଶନରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ ହୋଇସାରିଛି। ଏହି ଅଧିନିୟମ ବଳରେ ୨୦୨୯ ମସିହା ଠାରୁ ସାରା ଦେଶର ମହିଳାମାନେ ସଂସଦ ଏବଂ ବିଧାନସଭାରେ ଏକ ତୃତୀୟାଂଶ ଆସନରେ ଆରକ୍ଷଣ ପାଇବେ ଏବଂ ଦେଶର ଶାସନ-ପ୍ରଶାସନରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ। କିନ୍ତୁ, ଆମକୁ ପଚରାଯାଉଛି, ଆଠ ମାସରେ ଆମେ କ’ଣ କରିଛୁ ? ସେ କଥା ଆମ ରାଜ୍ୟବାସୀ ବିଚାର କରିବେ।

ଆମେ ୨୪ ବର୍ଷର ଶାସନ କରି ରାଜ୍ୟର ୬୪ ପ୍ରତିଶତ ଶିଶୁଙ୍କୁ ଏବଂ ୬୪ ପ୍ରତିଶତ ବୟସ୍କା ମହିଳାଙ୍କୁ ଅପପୁଷ୍ଟିର କରାଳ ଛାୟା ମଧ୍ୟକୁ ଠେଲି ଦେଇ ନାହୁଁ। କିନ୍ତୁ, ଏହି ଆଠ ମାସରେ ଅପପୁଷ୍ଟି ପରି ସମସ୍ୟାକୁ ଦୂର କରିବା ପାଇଁ ମିଡ-ଡେ ମିଲରେ ମୁଣ୍ଡପିଛା ଖର୍ଚ୍ଚ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଏହି ସମସ୍ୟାକୁ ସମୂଳେ ଦୂର କରିବା ପାଇଁ ଏକ ହୋଲିଷ୍ଟିକ ଆପ୍ରୋଚ୍ ନେଇ ଆମ ସରକାର କାର୍ଯ୍ୟ କରୁଛନ୍ତି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ଓଡିଆ ଜାତିର ପ୍ରାଣ ସ୍ପନ୍ଦନ, ଆମ ଓଡିଆ ଜାତିର ସ୍ଵାଭିମାନ। ହୁଏତ, ଆମ ସରକାରଙ୍କୁ ମାତ୍ର ଆଠ ମାସ ପୁରିଛି, କିନ୍ତୁ ଆମେ ପ୍ରତି ମୂହୁର୍ତ୍ତରେ ଆମ ଓଡିଆଙ୍କ ଧର୍ମୀୟ ଭାବନା, ପରମ୍ପରା, ଐତିହ୍ୟ ଓ ସଂସ୍କୃତିକୁ ମନେ ରଖି କାର୍ଯ୍ୟ କରିଆସୁଛୁ। ଇଭେଣ୍ଟ ମ୍ୟାନେଜମେଣ୍ଟ କରି ପ୍ରଭୁଙ୍କ ଛ’ ଇଞ୍ଚର ପ୍ରତିମାକୁ ଗାଡିରେ ରଖି, ନେତାଙ୍କ ଛ’ ଫୁଟର କଟ-ଆଉଟ ଲଗାଇ ଗାଁ ଗାଁ ଯାଇ ଚାଉଳ ଭିକ୍ଷା କରି ନ ଥିଲୁ ! ଏହା କି ପ୍ରକାର ଜଗନ୍ନାଥ ସଂସ୍କୃତି ଯେ, ଆଜି ପର୍ଯ୍ୟନ୍ତ ଓଡିଶାର ଜନ ସାଧାରଣ ବୁଝିପାରି ନାହାନ୍ତି, କିନ୍ତୁ ଏହି ପ୍ରହସନର ଉଚିତ ଜବାବ ଦେଇଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯାହା ୨୪ ବର୍ଷରେ ହୋଇ ନ ଥିଲା, ୨୪ ମିନିଟରେ ଆମ ସରକାର କରି ଦେଖାଇ ଦେଲେ। ପ୍ରଥମ କ୍ୟାବିନେଟରେ ହିଁ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ପାଇଁ ପଦକ୍ଷେପ ନିଆ ଯାଇଥିଲା। ଶ୍ରୀମନ୍ଦିର ପରିସରରେ ପ୍ରବେଶକୁ ସୁଗମ କରିବା ପାଇଁ ୪ଟି ପବିତ୍ର ଦ୍ୱାର ଖୋଲାଯାଇଛି। ସେ ସମୟରେ କୁହାଯାଇଥିଲା, “ଯଦି ଚାରିଦ୍ଵାର ଖୋଲି ଦିଆଯାଏ, କେଜାଣି କ’ଣ ମହା ପ୍ରଳୟ ହୋଇଯିବ, ଭକ୍ତଙ୍କ ସୁନାମୀ ଆସି କ’ଣ ନାଇ କ’ଣ ହୋଇଯିବ’।

ବର୍ଷର କିଛି ବିଶେଷ ଦିନ କିମ୍ବା ଯାନିଯାତ୍ରାକୁ ବାଦ୍ ଦେଇ ବର୍ତ୍ତମାନ ଭକ୍ତମାନେ ସ୍ଵଚ୍ଛନ୍ଦରେ ଶ୍ରୀ ଜୀଉଙ୍କ ଦର୍ଶନ କରୁଛନ୍ତି। ଠିକ ସେହିପରି ଭକ୍ତଙ୍କ ବିଶ୍ୱାସ ଏବଂ ଭାବନାକୁ ସମ୍ମାନ ଜଣାଇ, ସରକାର ରତ୍ନ ଭଣ୍ଡାରକୁ ପୁନଃନିର୍ମାଣ କରିବା ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି, ଯାହାକୁ ୨୪ ବର୍ଷର ସରକାର ବିରୋଧ କରି ଆସୁଥିଲେ। ଓଡିଶାବାସୀଙ୍କ ଅଧିକାର ଅଛି ଜାଣିବା ପାଇଁ ଯେ, ରତ୍ନ ଭଣ୍ଡାରରେ କ’ଣ ଏବଂ କେତେ ରତ୍ନ ଅଛି। ଗଣତି ମଣତି କାର୍ଯ୍ୟ ଶୀଘ୍ର କରାଯାଇ ଏ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ। କେବଳ ଜଗନ୍ନାଥ ସଂସ୍କୃତି ନୁହେଁ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଆମ ସରକାର ୨୦୦ କୋଟି ଟଙ୍କାର ପ୍ରାରମ୍ଭିକ କର୍ପସ ପାଣ୍ଠି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ବାଲିଯାତ୍ରାରେ ଏସିଆନ ତଥା ବିମସଟେକ୍ ରାଷ୍ଟ୍ରଦୂତ ମାନେ ଏବଂ ଅନ୍ତର୍ଜାତିକ ସାଂସ୍କୃତିକ ଦଳ ଗୁଡିକ ଅଂଶଗ୍ରହଣ କରିଥିଲେ। ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର ହେଉଛି ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।

ଅନେକ ସଦସ୍ୟ ଆଇନ ଶୃଙ୍ଖଳାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି, କରିବା ଉଚିତ ମଧ୍ୟ। ମୁଁ ବିଭାଗୀୟ ମନ୍ତ୍ରୀ ଭାବେ କହି ରଖିବାକୁ ଚାହେଁ ଯେ ଗତ ଆଠ ମାସରେ ଅପରାଧ ସଂଖ୍ୟାରେ କୌଣସି ବୃଦ୍ଧି ହୋଇନାହିଁ। ରାଜଧାନୀ ଏବଂ କଟକର ଆଖପାଖରେ ଘଟିଥିବା କିଛି ଅଘଟଣକୁ ନେଇ ବିରୋଧୀ ଦଳ ଯେଉଁ ତୁମ୍ବି ତୋଫାନ କରୁଛନ୍ତି, ମୋତେ ଗୋଟିଏ ବି ଏପରି ଘଟଣା କୁହନ୍ତୁ, ଯେଉଁଥିରେ ଆମ ସରକାର କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଦୁଇ ଦିନ ତଳେ ପୂର୍ବତନ କଂଗ୍ରେସ ସଭାପତିଙ୍କ ଘରୁ ହୋଇଥିବା ଚୋରକୁ ଧରାଯାଇଛି, ଯାହା କି ଏକ blind case ଥିଲା। ଏତେ କମ ଦିନରେ ତିନି ତିନିଟା ରାଜ୍ୟରେ ଅନୁସନ୍ଧାନ କରି ଚୋରକୁ ଧରିବା ଏତେ ସହଜ ନ ଥିଲା।

ବିରୋଧୀ ଦଳ କିଛି ନିର୍ଦ୍ଦିଷ୍ଟ କେସ୍ ସମ୍ବନ୍ଧରେ କହିଛନ୍ତି। ଏହି ସବୁ କେସ ମାନ୍ୟବର ନ୍ୟାୟଳୟଙ୍କ ବିଚାରାଧୀନ ଅଛି, ମୋର ଟିପ୍ପଣୀ କରିବା ସମୀଚୀନ ହେବ ନାହିଁ। କିନ୍ତୁ, ବିରୋଧୀ ଦଳ ସଦସ୍ୟମାନେ କୁହନ୍ତୁ, ଓଡିଶାର କେଉଁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପୂର୍ବ ସରକାର ଅମଳରେ ଜଣେ ପୀଡ଼ିତାଙ୍କୁ ଯାଇ ଆଶ୍ଵାସନା ଦେଇଛନ୍ତି। ଭରତପୁର caseରେ କିଏ ବି ଦୋଷୀ ହୁଅନ୍ତୁ ନା କାହିଁକି, ସେ ସମୟରେ ପରିସ୍ଥିତି ଦେଖି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ମହୋଦୟା ନିଜେ ପୀଡ଼ିତାଙ୍କ ପାଖକୁ ଯାଇ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ସେହିପରି କଟକର ଗଣ ଦୁଷ୍କର୍ମ ଘଟଣା ହେଉ କିମ୍ବା ଭୁବନେଶ୍ଵରର ରସୁଲଗଡ ନିକଟରେ ହତ୍ୟାକାଣ୍ଡ ହେଉ, ଅପରାଧୀ ଆଜି ଜେଲ୍‍ର ଚାରିକାନ୍ଥ ମଧ୍ୟରେ। ମୁଁ ଆଗରୁ ବି କହିଥିଲି, ଆଜି ମଧ୍ୟ କହୁଛି, ‘ଅପରାଧୀଙ୍କ ରାଜନୈତିକ ସଂରକ୍ଷଣର ଲାଇସେନ୍ସ ଆମ ସରକାର ଆସିବା ଦିନଠୁ expire ହୋଇ ସାରିଛି, renewal ହେବାର କୌଣସି chance ନାହିଁ’। ଗତ ୨୪ ବର୍ଷର ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତି ଏତେ ଉତ୍ତମ ଥିଲା ଯେ ଦିନ ଦ୍ଵିପହରରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଗଲା, କିନ୍ତୁ ଆଜି ପର୍ଯ୍ୟନ୍ତ ହତ୍ୟାର ଅସଲ ଉଦ୍ଦେଶ୍ୟ ଜଣା ପଡିଲା ନାହିଁ। ୨୪ ବର୍ଷ ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତି ଏତେ ସୁନ୍ଦର ଥିଲା ଯେ ମହିଳା ହିଂସା ବିରୁଦ୍ଧରେ ଦଣ୍ଡ ହାର ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିଲା ନାହିଁ। କେବଳ ମହିଳା ହିଂସା ନୁହେଁ, ବିଗତ ଦିନର IPCରେ ପଞ୍ଜୀକୃତ ଅପରାଧରେ ଦଣ୍ଡ ହାର ୧୨ ପ୍ରତିଶତରୁ ବି କମ ଥିଲା ।

ଆପଣ ଗତ ୨୪ ବର୍ଷରେ ନ୍ୟାୟ ପ୍ରଦାନର ଏ ଯେଉଁ ମାଇଲଖୁଣ୍ଟ ରଖିଛନ୍ତି, ତାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଇଙ୍ଗିତ କରୁଥିଲା। କିନ୍ତୁ, ବର୍ତ୍ତମାନ ସେ ସବୁକୁ ଆମେ ସୁଧାରୁଛୁ। ରାଜ୍ୟ ପୋଲିସକୁ ଅଧିକ ଚଳ ଚଞ୍ଚଳ କରିବା ପାଇଁ ପ୍ରତି ଥାନା ପାଇଁ ଗୋଟିଏ ଅତିରିକ୍ତ ଚାରି ଚକିଆ ଯାନ ଯୋଗାଇ ଦିଆଯିବା ସହିତ ୫୬୬୩ଟି ମୋଟର ସାଇକଲ କିଣିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଦ୍ୱାରା ସେମାନେ ଅପେକ୍ଷା ନ କରି ତ୍ଵରିତ କାର୍ଯ୍ୟାନୁଷ୍ଠାନ ପାଇଁ ବାହାରି ପାରିବେ। ମୁଁ ସମୟ ସମୟରେ ଆଗରୁ ଶୁଣୁଥିଲି, ବିଭିନ୍ନ ଥାନାରେ ଅପରାଧୀଙ୍କୁ ଧରିବା ପାଇଁ ଅଭିଯୋଗକାରୀମାନେ ପୋଲିସ ପାଇଁ ଗାଡି ବ୍ୟବସ୍ଥା କରୁଥିଲେ। ଏହାର ସତ୍ୟାସତ୍ୟ ମୁଁ ଜାଣିନାହିଁ, ଏଠାରେ ଉପସ୍ଥିତ ଥିବା ବିରୋଧିଦଳ ବିଧାୟକ ଓ ବିଧାୟିକା ମାନେ ଏ ବିଷୟରେ ନିଶ୍ଚୟ ଜାଣିଥିବେ। କିନ୍ତୁ, ଏବେ ପୋଲିସ ପାଇଁ ଗାଡି ସହିତ ତେଲ ଖର୍ଚ୍ଚ ମଧ୍ୟ ବର୍ଦ୍ଦିତ ହାରରେ ପ୍ରଦାନ କରାଯାଉଛି। ଆଇନ ଶୃଙ୍ଖଳା ବିଷୟରେ ମୁଁ ଆଉ ଗୋଟେ ପଦ କହିବି। ଦେଶରୁ ମାଓ ଏବଂ ନକ୍ସଲ ହିଂସାକୁ ସମୂଳେ ନିପାତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତାରିଖ ନିର୍ଦ୍ଧାରଣ କରିସାରିଛନ୍ତି। ଅତି ବେଶୀରେ ୩୧ ମାର୍ଚ୍ଚ ୨୦୨୬ ତାରିଖ ମଧ୍ୟରେ ଏହି ହିଂସାକୁ ସବୁଦିନ ପାଇଁ କବର ଦିଆଯିବ। ଆପଣ ଜାଣିଛନ୍ତି ଯେ, ଓଡିଶାର କିଛି ଅଞ୍ଚଳ ଅତ୍ୟନ୍ତ ମାଓ ପ୍ରବଣ ଥିଲା, କିନ୍ତୁ ଗତ ପ୍ରାୟ କିଛି ଦିନରେ, ଏହି areaକୁ ଆମେ ସଙ୍କୁଚିତ କରିବାରେ ସମର୍ଥ ହୋଇଛୁ, ଏବଂ ମୁଁ ଏହି ପବିତ୍ର ଗୃହ ମାଧ୍ୟମରେ ରାଜ୍ୟବାସୀଙ୍କୁ କହିବାକୁ ଚାହେଁ ଯେ କେନ୍ଦ୍ର ଗୃହମନ୍ତ୍ରୀ ଦେଇଥିବା deadlineର ବହୁ ପୂର୍ବରୁ ଓଡିଶା ମାଓ ହିଂସାମୁକ୍ତ ହୋଇଯିବ। ତେଣୁ ମୁଁ ସେମାନଙ୍କୁ ପୁନର୍ବାର ଅପିଲ କରୁଛି ଯେ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ, ଅନ୍ୟଥା ପରିଣାମ କ’ଣ ହେବ, ଭଲଭାବେ ଜାଣିଛନ୍ତି, ମୋର କହିବା ଆବଶ୍ୟକ ନାହିଁ।

knowledge is Power’। ଚାରିଶହ ବର୍ଷ ପୂର୍ବେ ଜଣେ ମହାନ ଦାର୍ଶନିକଙ୍କ ଦ୍ଵାରା ଦିଆ ଯାଇଥିବା ଏହି ଉକ୍ତିଟି ଆଜି ଅତ୍ୟନ୍ତ ପ୍ରାସଙ୍ଗିକ। ଆଜି ଆମ ପାଇଁ ନିରକ୍ଷରତା ଏକ ସମସ୍ୟା ନୁହେଁ। ଗୁଣାତ୍ମକ ଶିକ୍ଷା ହେଉଛି ଏକ ଆହ୍ଵାନ। ଆପଣମାନ ଜାଣିଥିବେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟ ଷଷ୍ଠ ଶ୍ରେଣୀର ସାଧାରଣ ଅଙ୍କ କି ମାନସାଙ୍କ କରିପାରୁନାହାନ୍ତି। ଗୁଣାତ୍ମକ ଶିକ୍ଷାକୁ ସୁଧାରିବା ପରିବର୍ତ୍ତେ ୨୪ ବର୍ଷର ସରକାରଙ୍କୁ ହଠାତ ମନେ ପଡିଲା ୫-ଟି ସ୍କୁଲ। ଶିକ୍ଷାଦାନ ପ୍ରତି ଧ୍ୟାନ ନ ଦେଇ ରୂପାନ୍ତରଣ ନାଁ’ରେ ସ୍କୁଲରେ ଚୂନ ମାରିବା ଆରମ୍ଭ ହୋଇଗଲା ଏବଂ ସବୁଠାରୁ ବଡ କଥା ହେଉଛି, ୫-ଟି ସ୍କୁଲ ଉଦଘାଟନ ନାଁରେ ଇଭେଣ୍ଟ ମ୍ୟାନେଜମେଣ୍ଟ କରାଗଲା। ପୁନର୍ବାର ନିର୍ବାଚିତ ହୋଇ ଆସିଥିବା ବିଜେଡିର ବିଧାୟକ ଓ ବିଧାୟିକାମାନେ ବି ସେଥିରେ ଅଂଶଗ୍ରହଣ କରିଥିଲେ। କିନ୍ତୁ, ଥରୁଟିଏ ଯଦି ଏହି ରଙ୍ଗବୋଳା ସ୍କୁଲକୁ ଯାଇ ଶିକ୍ଷାର ମାନ ପରଖି ଥାଆନ୍ତେ, ତେବେ ଆଜି ଆମ ପ୍ରାଥମିକ ଶିକ୍ଷାର ଏତେ ଅଧୋଗତି ହୋଇ ନ ଥାନ୍ତା। ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଆମ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବେ। ରାଜ୍ୟର ପ୍ରତିଟି ଗ୍ରାମ ପଞ୍ଚାୟତରେ ଏହି ଆଦର୍ଶ ବିଦ୍ୟାଳୟରେ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ପ୍ରଶିକ୍ଷିତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିକ୍ଷାଦାନ ଦେଇ ଶିକ୍ଷାର ମାନରେ ସୁଧାର ଆଣିବେ।

ଆମ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୀତିର କାର୍ଯ୍ୟକାରିତାକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଜାତୀୟ ପାଠ୍ୟକ୍ରମ ଢାଞ୍ଚା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଭାବରେ ଅନୁବର୍ତ୍ତିତ କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ସମଗ୍ର ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ ବିଭିନ୍ନ ଜାତୀୟ ଓ କେନ୍ଦ୍ରୀୟ ବୋର୍ଡର ଛାତ୍ରଛାତ୍ରୀଙ୍କ ସହ ସବୁ କ୍ଷେତ୍ରରେ ସମାନ ରହିବା ପାଇଁ ସମର୍ଥ ହେବେ।
ଆମ ସରକାର ପିଏମ୍ ସ୍କୁଲ୍ ଫର୍ ରାଇଜିଂ ଇଣ୍ଡିଆ (ପିଏମ୍–ଶ୍ରୀ) କାର୍ଯ୍ୟକାରୀ କରିଛନ୍ତି ଏବଂ ଆଧୁନିକ ଶିକ୍ଷା ପରିବେଶ ସହିତ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ବ୍ଲକସ୍ତରରେ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯାଉଛି ଯେଉଁ ଗୁଡ଼ିକ ରୋଲ ମଡେଲ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ନିଜ ନିଜ ଅଞ୍ଚଳରେ ନେତୃତ୍ୱ ପ୍ରଦାନ କରୁଛନ୍ତି। ଆମ ସରକାର ନବମ ଓ ଏକାଦଶ ଶ୍ରେଣୀରେ ପଢୁଥିବା ଯୋଗ୍ୟ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ “ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା” ଅଧୀନରେ ଏକକାଳୀନ ଆର୍ଥିକ ପ୍ରୋତ୍ସାହନ ବାବଦରେ ୫୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ଏହି ଯୋଜନା ପ୍ରାୟ ୧ଲକ୍ଷ ୬୨ ହଜାର ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଛି।

ସ୍ୱାସ୍ଥ୍ୟ ହିଁ ସମ୍ପଦ। ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଦାୟିତ୍ଵ ହେଉଛି ନିଜ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବା। ସୁଲଭ ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ଆମ ସରକାରଙ୍କ ପ୍ରଥମିକତା। କୋଭିଡ ପରେ ପରେ ଓଡିଶାରେ ଆମେ ସମସ୍ତେ ଶୁଣିବାକୁ ପାଇଲୁ, ‘ବିଶ୍ଵସ୍ତରୀୟ ଚିକିତ୍ସା’ ବ୍ୟବସ୍ଥା। ଦୁଇବର୍ଷ ଏମିତି ପ୍ରଚାର ପ୍ରସାର ଚାଲିଲା ଯେ ସତେ ଯେମିତି ଓଡିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଆମେରିକା ଓ ୟୁରୋପକୁ ଟପିଯିବ। ଏଇଠି ବି ସେଇ ୫-ଟି ଜ୍ଞାନ। କିନ୍ତୁ, ସ୍ୱାସ୍ଥ୍ୟ ସେବା ୨୪ ବର୍ଷ ହେଲା କିପରି ଭାବେ ଚାଲିଥିଲା, ତାହା ମା’ ଗଙ୍ଗେ ଜାଣନ୍ତି। ରାଜ୍ୟର ପ୍ରତ୍ୟେକ ସ୍ୱାସ୍ଥ୍ୟ ସୂଚକାଙ୍କ ଜାତୀୟ ହାରଠୁ ଢେର ପଛରେ ଥିଲା। ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନା ଡାକ୍ତର ଥିଲେ, ନା ଥିଲେ ପାରା ମେଡିକାଲ ଷ୍ଟାଫ।Investigation ଏବଂ Diagnosis ପରି ମହତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବାକୁ ବେସରକାରୀ ସଂସ୍ଥାକୁ ଠିକାରେ ଅର୍ଥାତ outsourcing ରେ ଦିଆଯାଇଥିଲା। ଯେତେବେଳେ ପୁରା ସରକାରକୁ outsourcing କରି ଜଣଙ୍କୁ ଦିଆଯାଇଥିଲା, medical diagnostic ସେବାର outsourcing ତ ଅତ୍ୟନ୍ତ ଛୋଟିଆ କଥା।

ଏହି ସବୁ ବିଭ୍ରାଟ ଓ ଅବ୍ୟବସ୍ଥାକୁ ଦୂର କରିବା ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ମାନ ନେଉଛନ୍ତି। ଦୀର୍ଘ ସାତବର୍ଷ ହେଲା ଓଡିଶାବାସୀଙ୍କୁ ଆୟୁଷ୍ମାନ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରୁ ଦୂରେଇ ରଖି ଯେଉଁ ଅନ୍ୟାୟ କରଯାଇଥିଲା, ତାହା ଦୂର ହେବାକୁ ଯାଉଛି। ଖୁବ ଶୀଘ୍ର ସାଢେ ତିନି କୋଟି ଓଡିଶାବାସୀ ଏହାର ସୁଫଳ ପାଇବେ। ସାରା ଦେଶର ୨୯ ହଜାରରୁ ଅଧିକ ତାଲିକାଭୁକ୍ତ ଡାକ୍ତରଖାନାରେ ୩.୫୦ କୋଟି ଲୋକଙ୍କ ପାଇଁ ଏହି ସୁବିଧା ସମ୍ପ୍ରସାରିତ ହୋଇଛି ।

ରାଜ୍ୟର ଯୁବଶକ୍ତିଙ୍କୁ ରୋଜଗାର ମାଧ୍ୟମରେ ସଶକ୍ତ କରିବା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ୧ ଲକ୍ଷ ୫୦ ହଜାର ସରକାରୀ ଚାକିରି ପୂରଣ କରାଯିବ ଏବଂ ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ । ମାତ୍ର ଆଠ ମାସ ମଧ୍ୟରେ ୨୪ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ହୋଇସାରିଛି । ନିକଟରେ ଅନୁଷ୍ଠିତ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ ମାଧ୍ୟମରେ ଆମ ରାଜ୍ୟର ଯୁବକ ଯୁବତୀ ମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି ।

କୃଷି ଭିତ୍ତିଭୂମିରେ ଆମ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ଏଥି ମଧ୍ୟରେ ହୀରାକୁଦ କମାଣ୍ଡ ଏରିଆରେ ଜଳର ସୁପରିଚାଳନା ସୁନିଶ୍ଚିତ କରିବା ପାଇଁ ୮୫୫ କୋଟି ଟଙ୍କା ବ୍ୟବସ୍ଥା, ନୟାଗଡ଼ର ୫ଟି ମରୁଡ଼ି ପ୍ରବଣ ବ୍ଲକର ୨୩,୩୦୦ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ଉଦ୍ଦିଷ୍ଟ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗୀରରେ ୩୦୦ କୋଟି ଟଙ୍କା ବ୍ୟୟରେ ଉପର ଲାନ୍ଥ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସ୍ୱଚ୍ଛ ଏବଂ ନିରାପଦ ପାନୀୟ ଜଳ ପାଇବା ଏକ ମୌଳିକ ଅଧିକାର ଯାହାକୁ ବଜାୟ ରଖିବାକୁ ଆମ ସରକାର ଓଡ଼ିଶାର ସମସ୍ତ ୧୧୫ଟି ସହରରେ ଘରୋଇ ପାଇପ ସଂଯୋଗ ସଂପୂର୍ଣ୍ଣ କରିବା ସହିତ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ଦ୍ୱାରା ଜନସ୍ୱାସ୍ଥ୍ୟ ବୃଦ୍ଧି ପାଇବ, ଜଳବାହିତ ରୋଗର ପ୍ରକୋପ ହ୍ରାସ ପାଇବ ଏବଂ ସ୍ଥାୟୀ ସହରୀ ଜୀବନ ଯାପନକୁ ପ୍ରୋତ୍ସାହନ ମିଳିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟର ପ୍ରାୟ ସବୁ ଗ୍ରାମକୁ ଜଳ ଜୀବନ ମିଶନ ଅନ୍ତର୍ଗତ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯିବ।

ଗ୍ରାମୀଣ ଆବାସ ଯୋଜନା ମାଧ୍ୟମରେ ସମସ୍ତ ବାସହୀନ ଲୋକ ଏବଂ କଚ୍ଚା ଘରେ ରହୁଥିବା ପରିବାରକୁ ପକ୍କା ଘର ଯୋଗାଇବା ପାଇଁ ଆମ ସରକାର ପ୍ରତିବଦ୍ଧ । “ସମସ୍ତଙ୍କୁ ଆଶ୍ରୟ ସୁରକ୍ଷା” ଲକ୍ଷ୍ୟ ହାସଲ କରିବା ପାଇଁ ଆମ ସରକାର “ଅନ୍ତ୍ୟୋଦୟ ଗୃହ ଯୋଜନା” ମଧ୍ୟ ଆରମ୍ଭ କରିଛନ୍ତି । ଆମ ସରକାର, ସହରାଞ୍ଚଳରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରି ସମସ୍ତଙ୍କ ପାଇଁ ସୁଲଭ ବାସଗୃହ ନିର୍ମାଣ କରିବାକୁ ପ୍ରତିବଦ୍ଧ। ୮୦ ବର୍ଷ ବା ତଦୁର୍ଦ୍ଧ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ମାସିକ ପେନସନ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପର୍ଯ୍ୟାୟ କ୍ରମେ ଅନ୍ୟମାନଙ୍କ କଥା ସମ୍ବେଦନତାର ସହ ବିଚାର କରାଯିବ ।

୨୦୨୪ ଡିସେମ୍ବରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ଅଦିନିଆ ବର୍ଷା ହୋଇଥିଲା। ଅମଳ ଋତୁରେ ଏହି ଅଦିନିଆ ବର୍ଷା ଯୋଗୁଁ ଅମଳ ହୋଇନଥିବା ଧାନ ଫସଲ, ଚାଷ ଜମିରେ କଟା ହୋଇ ପଡିରହିଥିବା ଧାନ ଫସଲ ଏବଂ ଅନ୍ୟାନ୍ୟ ଫସଲର ବ୍ୟାପକ କ୍ଷତି ହୋଇଥିଲା । ସରକାର କ୍ଷତିଗ୍ରସ୍ତ କୃଷକମାନଙ୍କୁ ତୁରନ୍ତ ସହାୟତା ଭାବରେ କୃଷି ଇନପୁଟ୍ ସବସିଡି ବାବଦରେ ୨୯୨ କୋଟି ଟଙ୍କା ମଞ୍ଜୁର ଏବଂ ପ୍ରଦାନ କରିଛନ୍ତି। ଗତ ଅକ୍ଟୋବର ମାସରେ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିଝଡ଼ “ଦାନା” ଓଡ଼ିଶା ଉପକୂଳ ନିକଟ ଦେଇ ଅତିକ୍ରମ କରିଥିଲା, ଯାହା ରାଜ୍ୟର ୧୪ଟି ଜିଲ୍ଲାରେ ଅନେକ କ୍ଷତି ପହଞ୍ଚାଇଥିଲା। ସମ୍ବେଦନଶୀଳ ଅଞ୍ଚଳରୁ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୬ ହଜାର ୨୧୦ଟି ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ସେମାନଙ୍କୁ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଇଥିଲା । ଆଶ୍ରୟସ୍ଥଳ ପରିଚାଳନା ଏବଂ ପ୍ରଭାବିତଙ୍କୁ ଆର୍ଥିକ ସହାୟତା ପାଇଁ ଏସଡିଆରଏଫରୁ ୧୨୦ କୋଟି ଟଙ୍କା ମଞ୍ଜୁର କରାଯାଇ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି। ସେହିପରି ଏସଡିଆରଏଫରୁ ୩୦୦ କୋଟି ଟଙ୍କା ମଞ୍ଜୁର କରାଯାଇ ସରକାରୀ ସମ୍ପତ୍ତିର ମରାମତି ଓ ପୁନରୁଦ୍ଧାର ପାଇଁ ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଛି।

ଆଜି ଡବଲ ଇଞ୍ଜିନର ପ୍ରଭାବ ପ୍ରତିଟି କ୍ଷେତ୍ରରେ ଦୃଶ୍ୟମାନ ହେଉଛି। ରେଳ, ରୋଡ, ବନ୍ଦର ଓ ବିମାନ ବନ୍ଦର ସବୁ କ୍ଷେତ୍ରରେ ଓଡିଶା ଅଗ୍ରାଧିକାର ପାଉଛି। ରାଜ୍ୟର ୩୦ ଗୋଟି ଜିଲ୍ଲାକୁ ରେଳ ଦ୍ଵାରା ଯୋଡିବାକୁ ଆମ ସରକାର ଲକ୍ଷ୍ୟ ରଖିଛନ୍ତି ଏବଂ ବହୁତ ଶୀଘ୍ର ଏହା ପୂରଣ ହେବ। ରାଜ୍ୟର ପ୍ରତ୍ୟେକଟି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହେବ। ଆଜି ଓଡିଶା ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ଆୟୋଜନ କରି ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି। ୨୦୨୪ ନଭେମ୍ବରରେ ଆରକ୍ଷୀ ମହାନିର୍ଦ୍ଦେଶକ ଓ ମହାନିରୀକ୍ଷକ ସମ୍ମିଳନୀ ଆୟୋଜନ, ନୌସେନା ଦିବସ ପାଳନ ଏବଂ ୨୦୨୫ ଜାନୁଆରୀ ମାସରେ ସିଙ୍ଗାପୁର ଜନରାଜ୍ୟର ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ, ୧୮ତମ ପ୍ରବାସୀ ଭାରତୀୟ ଦିବସ, ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୨୫ ଆୟୋଜନ ପାଇଁ ଆମ ସରକାରଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ।

ଆମ ସରକାର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଉଛନ୍ତି ଏବଂ ରାଜ୍ୟର ସମସ୍ତ ଅଞ୍ଚଳରେ ସମାନ ଅଭିବୃଦ୍ଧି ସୁନିଶ୍ଚିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ରାଷ୍ଟ୍ର ନିର୍ମାଣ ଏବଂ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ । ଏହି ଲକ୍ଷ୍ୟରେ ଆମ ସରକାର ଏକ ସ୍ଵଚ୍ଛ, ସମ୍ବେଦନଶୀଳ, ଦୁର୍ନୀତିମୁକ୍ତ ଏବଂ ଲୋକାଭିମୁଖୀ ଶାସନ ଦେବାକୁ ପ୍ରତିଶୃତିବଦ୍ଧ। ଆଜି କାଲି ଆମ ସରକାରଙ୍କ ଭିଜିଲାନ୍ସ ବିଭାଗ ହାଇପର୍ ମୋଡରେ କାର୍ଯ୍ୟ କରୁଛି ଏବଂ ସମସ୍ତେ ତାହା ଦେଖିପାରୁଛନ୍ତି।

ଭାରତ ସରକାରଙ୍କ PM Surya ଘର ମୁଫତ ବିଜୁଳି ଯୋଜନା ମାଧ୍ୟମରେ ନିଜ ରହିବା ଘରର ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ନିମନ୍ତେ କିଲୋ ୱାଟ ପିଛା ୩୦,୦୦୦ ଟଙ୍କା ସବସିଡି ପ୍ରଦାନ କରିଥାନ୍ତି। ଏଇ ସବସିଡି ୩ କିଲୋ ୱାଟ ପାଇଁ ସର୍ବାଧିକ ୭୮,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ। ଆମ ସରକାର ଏଇ ଯୋଜନା ରେ ପ୍ରଥମ ଓ ଦ୍ଵିତୀୟ କିଲୋ ୱାଟ ପିଛା ୨୫,୦୦୦ ଟଙ୍କା ହିସାବ ରେ ଓ ତୃତୀୟ କିଲୋ ୱାଟ କୁ ୧୦,୦୦୦ ଟଙ୍କା ହିସାବ ରେ ମୋଟ ୩ କିଲୋ ୱାଟ ପର୍ଯ୍ୟନ୍ତ ସର୍ବାଧିକ ୬୦,୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ୩ କିଲୋ ୱାଟ ସୌର ପ୍ରକଳ୍ପ ମାଧ୍ୟମ ରେ ହିତାଧିକାରୀ ମାସ କୁ ୩୦୦ ୟୁନିଟ ବିଜୁଳି ଉତ୍ପାଦନ କରି ମାଗଣା ବ୍ୟବହାର କରିପାରିବେ। ନିଯୁକ୍ତି କ୍ଷେତ୍ରରେ ସ୍ଵଚ୍ଛତା, ପାରଦର୍ଶିତା ଏବଂ ସଂସ୍କାର ଆଣିବା ଉଦେଶ୍ୟରେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଡ଼ା ଆଭିମୁଖ୍ୟ ଦର୍ଶାଇଛନ୍ତି ଯାହାର ଫଳସ୍ଵରୂପ କେନ୍ଦ୍ର ସରକାର “The Public Examinations (Prevention of Unfair Means) Act 2024 ପ୍ରଣୟନ କରିଛନ୍ତି। ଏହି ବିଲ୍ ମଧ୍ୟ ଗତ ବିଧାନସଭାରେ ପାରିତ ହୋଇ ରାଜ୍ୟପାଳଙ୍କର ସ୍ୱୀକୃତି ପ୍ରାପ୍ତହୋଇ Act ରେ ପରିଣତ ହୋଇଛି। ଯାହାଦ୍ୱାରା ବର୍ତମାନ ଯଦି କେହିବି କୌଣସି ପରୀକ୍ଷାରେ କିଛି ଅବରୋଧ ଯଥା ପ୍ରଶ୍ନପତ୍ର ଲିକ, ଅନ୍ୟ କିଛି ବେଆଇନ କାମ କରିବାକୁ ଚେଷ୍ଟା କରିବେ ତା ହେଲେ ତାଙ୍କ ବିରୁଦ୍ଧରେ ଆଇନଗତ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ସରକାର “ରାଜ୍ୟର ସମସ୍ତ 314 ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ” ଏକ ନୂତନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ପ୍ରତ୍ୟେକ ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ 10-12 ଏକର ଜମିରେ ନିର୍ମାଣ ହେବ ଏବଂ ଏଥିରେ ଫୁଟବଲ୍/ କ୍ରିକେଟପଡ଼ିଆ, ଥ୍ରୋ ଏବଂ ଜମ୍ପ କ୍ଷେତ୍ର ସହିତ ଆଥଲେଟିକ୍ ଟ୍ରାକ, ଭଲିବଲ୍/ ଖୋଖୋ/ କବାଡିକୋର୍ଟ, ଇଣ୍ଡୋରହଲ୍ (ବ୍ୟାଡମିଣ୍ଟନ୍, ଟେବୁଲଟେନିସ୍ ଇତ୍ୟାଦି), ଅନ୍ୟାନ୍ୟ ସୁବିଧା ଯେପରି କି ଶୌଚାଳୟ, ଲକର ରୁମ୍, ଅଫିସ ରୁମ ଇତ୍ୟାଦି ମଧ୍ୟ ରହିବ। ଉକ୍ତ ପ୍ରକଳ୍ପ ପାଇଁ ପ୍ରତ୍ୟେକ ବ୍ଲକରେ ପ୍ରାୟ ୧୪.୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ ପାଇଁ, ପର୍ଯ୍ୟାୟକ୍ରମେ 5 ବର୍ଷ ପାଇଁ 4124 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସଶକ୍ତ କରିବାକୁ ଆମ ସରକାର ଯୋଜନା କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଅନ୍ୟୁନ ସତୁରି ଲକ୍ଷ ମହିଳାମାନଙ୍କୁ ସ୍ୱାବଲମ୍ବି ଓ ସଶକ୍ତକରଣ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ମିଶନ ଶକ୍ତି ପ୍ରକଳ୍ପ ଅଧୀନରେ ବିଭିନ୍ନ ବର୍ଗର ୬୨,୩୪୧ ଜଣ ମହିଳା କର୍ମଚାରୀ ଯଥା ସିଆରପି-ସିଏମ , ମାଷ୍ଟର ବୁକ କିପର, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ଆଦି କମ୍ୟୁନିଟି ସପୋର୍ଟ ଷ୍ଟାଫ ମା’ ମାନେ କାର୍ଯ୍ୟ କରୁଛନ୍ତି। ୨୦୧୯ ମସିହାରୁ ରାଜ୍ୟ ସରକାର ଜାରି କରିଥିବା ନିୟମାବଳୀର ଅବଧି ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖରୁ ପୂରଣ ହେଇସାରିଥିବାରୁ ସେମାନଙ୍କ ପାରିଶ୍ରମିକ ଦେବାରେ ଅସୁବିଧା ଦେଖାଦେଇଥିଲା ଓ ସେଥିପାଇଁ ଏହା ବିଳମ୍ବ ହୋଇଥିଲା। ଇତିମଧ୍ୟରେ ଚଳିତ ସରକାର ଏହି ମହିଳା କର୍ମଚାରୀ ମାନଙ୍କୁ ସେମାନଙ୍କର ପାରିଶ୍ରମିକ ଦେବାପାଇଁ ଓ ଆଗାମୀ ଦିନରେ ମହିଳା ସଶକ୍ତକରଣ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ “ ଲକ୍ଷପତି ଦିଦି ସହାୟିକା “ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଅଧିକରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କାର ରୋଜଗାରକ୍ଷମ କରେଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଯୋଜନା ମାଧ୍ୟମରେ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ସମସ୍ତ ବକେୟା ଅର୍ଥ ଗତ ଅପ୍ରେଲ ୨୦୨୪ ରୁ ସରକାର ବହନ କରିବା ପାଇଁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ଵାରା୬୨,୦୦୦ ରୁ ଉର୍ଦ୍ଧ୍ଵ କମ୍ୟୁନିଟି ସାପୋର୍ଟ ଷ୍ଟାଫ ଲାଭବାନ ହେବାକୁ ଯାଉଛନ୍ତି ।

ଶେଷରେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସମୃଦ୍ଧ ଓଡିଶା ଗଠନ ଓ ବିକଶିତ ଓଡ଼ିଶା ପାଇଁ ଏକ ସ୍ପଷ୍ଟ ମାର୍ଗଦର୍ଶନ ଉପସ୍ଥାପନ କରିଥିବାରୁ ମୁଁ ତାଙ୍କୁ ଆନ୍ତରିକତା ସହ ଧନ୍ୟବାଦ ଜଣାଉଛି। ମୁଁ ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ରାଜ୍ୟପାଳଙ୍କ ମାର୍ଗଦର୍ଶନକୁ ପାଥେୟ କରି ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ବିକାଶ, ସମୃଦ୍ଧି ଓ କଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ଅନୁରୋଧ କରୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ଏତିକି ବିନତି, ଏହି ବର୍ଷ ଆମ ଓଡିଶାବାସୀଙ୍କ ପାଇଁ ସୁଖ, ସମୃଦ୍ଧି, ସୌହାର୍ଦ୍ଦ୍ୟ ଓ ସର୍ବୋପରି ବିକାଶ ଆଣିଦେଉ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com