ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକାଟ ପାଇଁ ବିଭିନ୍ନ ବିଭାଗକୁ ନିର୍ଦେଶ
ଭୁବନେଶ୍ୱର:୨୧/୫-ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁ ଦେଶରେ ପେଟ୍ରୋଲ ଡିଜେଲ ଖର୍ଚ୍ଚକାଟ ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ‘କାରକେଡ୍’ର ଗାଡ଼ିସଂଖ୍ୟା ଅଧା କରିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କମ୍ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସେ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ପଦକ୍ଷେପ ନେବାକୁ କହିଛନ୍ତି।
ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡ୍ରେ କରାଯିବ। ଯେଉଁଠି ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ଥିବ ସେ ସ୍ଥଳରେ ଯେଉଁ ଅଧିକାରୀ ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଆବଶ୍ୟକ ଥିବ ସେମାନେ ପ୍ରତ୍ୟକ୍ଷ ଭାବେ ବୈଠକରେ ଯୋଗ ଦେଇପାରିବେ ଏବଂ ଅନ୍ୟମାନେ ଭର୍ଚୁଆଲ ମୋଡ୍ରେ ଯୋଗ ଦେବେ। ସେହିଭଳି ୧ ଜୁନ୍ ୨୦୨୬ ଠାରୁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଯେତେ ନୂଆ ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣାଯିବ ସେଗୁଡ଼ିକ ବୈଦ୍ୟୁତିକ ଯାନ ହୋଇଥିବା ବାଧ୍ୟତାମୂଳକ। ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ୱା ଡିଜେଲ ଯାନ କିଣିବାକୁ ଅନୁମତି ଦିଆଯିବ। ସେହିଭଳି ଜୁନ ପହିଲାରୁ ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନ ଉଭି ହେବା ବାଧ୍ୟତାମୂଳକ କରାଯିବ।
ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାରପୁଲିଂ କରିବେ ଅର୍ଥାତ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ। ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ତଦନୁଯାୟୀ ଅଧା କରାଯିବ। କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ ସେଥିପାଇଁ ଅର୍ଥବିଭାଗ ୧୫ ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରୀ କରିବ। ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ କିମ୍ୱା ରେଳଯାତ୍ରା କରିବେ।
ଯେଉଁ ଅଧିକାରୀମାନଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ରହିଛି ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ ସେ ସମ୍ପର୍କରେ ଅର୍ଥବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ବହୁଳମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ୱା ମିନିବସ୍ ସେବା ଯୋଗାଇ ଦିଆଯିବ। ସରକାରୀ ଯାନ’ର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମ୍ରେ ୧୦ ପ୍ରତିଶତ କମିବ ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ ।
ଏହି ନିର୍ଦ୍ଦେଶାବଳୀ, ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତି ମାନଙ୍କରେ କଡ଼ାକଡ଼ି ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।