ଭୁବନେଶ୍ୱର:୨୨/୫-ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ରାଜ୍ୟର ବିଭିନ୍ନ ସର୍କିଟ୍ ହାଉସ୍ଗୁଡ଼ିକର ପରିଚାଳନା ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକରେ ସର୍କିଟ୍ ହାଉସ୍ଗୁଡ଼ିକର ସୁପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଉନ୍ନତ ସେବାମାନ ସୁନିଶ୍ଚିତ କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି। ସର୍କିଟ୍ ହାଉସ୍ଗୁଡ଼ିକୁ ସରକାରୀ ସମ୍ପତ୍ତି ଭାବେ ସୁରକ୍ଷିତ ରଖିବା ସହ ଏହାର ସେବାକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହାବ୍ୟତୀତ ସର୍କିଟ୍ ହାଉସ୍ରେ ଧୂମପାନ ଓ ମାଦକ ଦ୍ରବ୍ୟ ସେବନ ସଂପୂର୍ଣ୍ଣ ନିଷେଧ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏଠାରେ ସରକାରଙ୍କ ବରିଷ୍ଠ ଅଧିକାରୀ, ନ୍ୟାୟିକ ଅଧିକାରୀ ଓ ଜନପ୍ରତିନିଧି ରୁହନ୍ତି। ସେମାନଙ୍କ ପାଇଁ ଧୂମପାନ ଓ ମାଦକ ଦ୍ରବ୍ୟ ସେବନ ଉପରେ କଟକଣା ଲଗାଇ ପାରିଛନ୍ତି ରାଜସ୍ୱ ସଚିବ। ବୈଠକରେ ସମସ୍ତ ଜିଲ୍ଲାର ଏଡିଏମ ଓ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।
ସର୍କିଟ୍ ହାଉସ୍ଗୁଡ଼ିକ ପ୍ରାୟତଃ କ୍ଷେତ୍ର ପରିଦର୍ଶନରେ ଆସିଥିବା ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ନ୍ୟାୟିକ ଅଧିକାରୀ, ଜନପ୍ରତିନିଧି ଓ ସରକାରୀ ଅତିଥିମାନଙ୍କ ରହଣି ପାଇଁ ଉଦ୍ଦିଷ୍ଟ। ଏହାର ସଠିକ୍ ପରିଚାଳନା ପାଇଁ ସ୍ୱଚ୍ଛତା, ଉନ୍ନତମାନର ଆତିଥ୍ୟ ସେବା, ଆର୍ôଥକ ଶୃଙ୍ଖଳା ଓ ସ୍ୱଚ୍ଛ ବୁକିଂ ପ୍ରକ୍ରିୟା ଅତ୍ୟାବଶ୍ୟକ। ବୈଠକରେ “ଓଡ଼ିଶା ସର୍କିଟ୍ ହାଉସ୍ ଏବଂ ରେଭେନ୍ୟୁ ଇନ୍ସପେକ୍ସନ ବଙ୍ଗଳା ନିୟମାବଳୀ, ୧୯୮୫” ଅନୁଯାୟୀ ସର୍କିଟ୍ ହାଉସ୍ର ପରିଚାଳନା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥିତ ସର୍କିଟ୍ ହାଉସ୍ ପାଇଁ ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟ ସ୍ଥାନରେ ଥିବା ସର୍କିଟ୍ ହାଉସ୍ ପାଇଁ ଉପ-ଜିଲ୍ଲାପାଳଙ୍କୁ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିବା ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା।
ବୈଠକରେ ସର୍କିଟ୍ ହାଉସ୍ରେ ସ୍ୱଚ୍ଛତା ଓ ଉନ୍ନତ ଆତିଥ୍ୟ, ସ୍ୱଚ୍ଛ ଆବଣ୍ଟନ ପ୍ରକ୍ରିୟା ଅନୁସରଣ, ଆସବାବପତ୍ର ଓ ଉପକରଣର ତାଲିକା ରଖିବା, ଅନଲାଇନ ବୁକିଂ ବ୍ୟବସ୍ଥା, ରକ୍ଷଣାବେକ୍ଷଣ ଓ ଅଗ୍ନି ନିର୍ବାପନ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ସ୍ପେଶାଲ୍ ସର୍କିଟ୍ ହାଉସ୍ ଗୁଡ଼ିକରେ ୱାଇ-ଫାଇ ସୁବିଧା ଏବଂ ସିସିଟିଭି ନିରୀକ୍ଷଣ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି।