ସଂଶୋଧିତ ହେବ ଆଇନଗତ ପ୍ରତିବନ୍ଧକ ବ୍ୟବସ୍ଥା-ରାଜସ୍ୱ ମନ୍ତ୍ରୀ
-ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦେଶ
ଭୁବନେଶ୍ୱର, ୨୫/୧୧/୨୦୨୪-ରାଜ୍ୟରେ ଜମିଜମା ବିକ୍ରି କ୍ଷେତ୍ରରେ ଥିବା ଆଇନଗତ ପ୍ରତିବନ୍ଧକ ଯୋଗୁଁ ଲୋକମାନେ ଜମି ବିକ୍ରି କରି ନପାରି ହଇରାଣ ହରକତ ହେଉଛନ୍ତି । ଏହି ବିକ୍ରୟ ବ୍ୟବସ୍ଥାର ସରଳୀକରଣ ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ନଗର ଉନ୍ନୟନ ଓ ରାଜସ୍ୱ ବିଭାଗ ସହ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ରେରା କର୍ତ୍ତୃପକ୍ଷଙ୍କ ସଂପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ।
ଜମି ପଞ୍ଜିକରଣ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ସମୟରେ କେତେଜଣଙ୍କର ଆଶିଂକ ପଞ୍ଜିକରଣ ହୋଇଛି ଓ କେତେଜଣଙ୍କର ହୋଇପାରିନାହିଁ ସେ ସଂପର୍କରେ ବିସ୍ତୃତ ରିପୋର୍ଟ ମଗାଯାଇଛି। ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ରେରା ଆଇନ, ଉନ୍ନୟନ ଆଇନ, ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ଆଇନର ତର୍ଜମା କରି ଆବଶ୍ୟକ ହେଉଥିବା ସଂଶୋଧନ କରିବା ସହ ୭ ଦିନ ମଧ୍ୟରେ ଏ ସଂପର୍କରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ରିପୋର୍ଟ ଦାଖଲ ପାଇଁ ଉଭୟ ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।