ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ପ୍ରତିକ୍ରିୟା ଓ ମତାମତ ପାଇଁ ରହିବ ଖାତା
ଭୁବନେଶ୍ୱର: ୭.୧୧.୨୦୨୪
ରାଜସ୍ୱ ଆଇନକୁ ସହଜ, ସରଳ ଓ ଲୋକାଭିମୁଖୀ କରାଯିବ, ଯାହାଦ୍ୱାରା ଲୋକମାନଙ୍କର ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ । ଏହା ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ପୂଜାରୀ ବିଭାଗୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ଆଗନ୍ତୁକମାନଙ୍କ ପ୍ରତିକ୍ରିୟା ଓ ମତାମତ ରେଜିଷ୍ଟରରେ ଦରଜ କରିବା ପାଇଁ ବ୍ୟବସ୍ଥା କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
ସେ କହିଛନ୍ତି , ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା ଘରଡିହ ଶୂନ୍ୟ ବ୍ୟକ୍ତିମାନଙ୍କୁ ଘରଡିହ ଯୋଗାଇଦେବା, ଭୂମିହୀନ ଲୋକମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଅବସ୍ଥା ସର୍ବେକ୍ଷଣ କରାଯାଇ ସେମାନଙ୍କୁ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରାଯିବା, ସମସ୍ତ ବିଦ୍ୟାଳୟକୁ ଜମିର ପଟ୍ଟା ଯୋଗାଇଦେବା କାର୍ଯ୍ୟ ତ୍ଵରାନ୍ୱିତ କରିବା ସହ ନୂତନ ରାଜସ୍ୱ ଗ୍ରାମ ଘୋଷଣା କାର୍ଯ୍ୟ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା କାର୍ଯ୍ୟକାରୀ କରାଯିବ। ରାଜ୍ୟରେ ତହସିଲମାନଙ୍କରେ ପଡ଼ି ରହିଥିବା ମ୍ୟୁଟେସନ ମାମଲାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଏବଂ ପଟ୍ଟାରେ ଥିବା ପ୍ରଜାଙ୍କ ନାମ ଉତ୍ତରାଧିକାରୀଙ୍କ ନାମରେ ସଂଶୋଧନ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ ।
ବିଭିନ୍ନ ଅନୁଷ୍ଠାନଗୁଡିକୁ ଯେଉଁ ସରକାରୀ ଜମି ଲିଜ୍ ଆକାରରେ ଦିଆଯାଇଛି, ତାକୁ ଯଦି ସେମାନେ ସଠିକ୍ ଭାବେ ବ୍ୟବହାର କରୁନାହାଁନ୍ତି, ତେବେ ସେହି ଜମିକୁ ସରକାର ଫେରାଇନେବେ । ରାଜସ୍ୱ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା , ବାସସ୍ଥାନ , ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଦାନ କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଏହାର ଅଗ୍ରଗତି ସଂପର୍କରେ ଅବଗତ କରାଇଥିଲେ । ସମୀକ୍ଷା ବୈଠକରେ ରାଜସ୍ୱ ଆୟୁକ୍ତ , ଜିଲାପାଳ , ଅତିରିକ୍ତ ଜିଲାପାଳ , ତହସିଲଦାରଙ୍କ ସମେତ ଜିଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଭାସୀ ବ୍ୟବସ୍ଥାରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
