-ରାଜସ୍ୱ ବିଭାଗର ଭିତ୍ତିଭୂମି ଉନ୍ନତି କରାଯିବ ସହ ଖାଲି ପଦବୀ ପୂରଣ କରାଯିବ
-ରାଜସ୍ୱ ବିଭାଗକୁ ଏକ ମଡେଲ ବିଭାଗରେ ପରିଣତ କରାଯିବ
ଭୁବନେଶ୍ୱର:୧୯/୧୦-ରାଜସ୍ୱ ଆଇନ କେତେଦୂର ଠିକ ଭାବରେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ସମୀକ୍ଷା କରିବା ଦରକାର। ଯଦି ହେଉନାହିଁ ତା’ର କାରଣ ସମ୍ପର୍କରେ ତର୍ଜମାର ଆବଶ୍ୟକତା ରହିଛି। ଆମକୁ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ କାର୍ଯ୍ୟ କରିବାକୁ ପଡିବ। ରାଜସ୍ୱ ସେବା ରାଜ୍ୟସ୍ତରରୁ ଆରମ୍ଭ କରି ଗ୍ରାମ୍ୟସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମକୁ ନିରନ୍ତର ଭାବରେ କାର୍ଯ୍ୟ କରିବାକୁ ପଡିବ। ନିଜର ବିଚାର ଓ ବିବେକ ଅନୁଯାୟୀ ସାଧାରଣ ଲୋକଟିକୁ ନ୍ୟାୟ ଦେବାକୁ ପଡିବ। ଆମେ ଜନସାଧାରଣଙ୍କ ସେବକ। ଜନସାଧାରଣଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହ ତୁରନ୍ତ ସେବା ଓ ଉପଯୁକ୍ତ ନ୍ୟାୟ ପ୍ରଦାନ ଦିଗରେ ସଚେତନ ରହି କାର୍ଯ୍ୟ କରିବାକୁ ପଡିବ। ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଜନସାଧାରଣଙ୍କୁ ସଠିକ ଭାବରେ ରାଜସ୍ୱ ସେବା ଯୋଗାଇ ଦେବା ସହ ସମାଜର ମଙ୍ଗଳ ଓ ସମାଜକୁ ଆଗକୁ ନେବାକୁ ରାଜସ୍ୱ ଅଧିକାରୀମାନେ ନିରନ୍ତର କାର୍ଯ୍ୟ ଜାରି ରଖନ୍ତୁ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି।
ଭୁବନେଶ୍ୱର ଗୋଠପାଟଣା ସ୍ଥିତ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଆୟୋଜିତ ଦୁଇ ଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀର ଉଦଯାପନୀ ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ହାଇଟେକ ସର୍ଭେକୁ ନିର୍ଭୁଲ ଭାବରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସାରିବାକୁ ପଡିବ। ତାହା ହେଲେ ଜମିଜମା ବ୍ୟବସ୍ଥା ଓ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ଓ ଜନସାଧାରଣ ଏହାର ସୁଫଳ ପାଇପାରିବେ। ସରକାର ପ୍ରତ୍ୟେକ ପଞ୍ଚାୟତରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତିି ନେଇଥିବାବେଳେ ସମସ୍ତ ପ୍ରକାରର ଭିତ୍ତିଭୂମିର ଉନ୍ନତି କରାଯିବ। ଖାଲିଥିବା ପଦ ପଦବୀ ପୂରଣ କରାଯିବା ସହ ଆଧୁନିକରଣ ଦିଗରେ କାର୍ଯ୍ୟ କରାଯିବ। ଓଡିଶା ରାଜସ୍ୱ ବିଭାଗକୁ ଏକ ମଡେଲ ବିଭାଗରେ ପରିଣତ କରିବାକୁ ସମସ୍ତେ ବଦ୍ଧ ପରିକର ହୁଅନ୍ତୁ ବୋଲି ଉପସ୍ଥିତ ରାଜସ୍ୱ ଅଧିକାରୀମାନଙ୍କୁ ସେ ଆହ୍ୱାନ ଦେଇଛନ୍ତି।
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୂହା ପୁନମ ତାପସ କୁମାର କହିଥିଲେ ଯେ ରାଜସ୍ୱ ପ୍ରଶାସନକୁ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ଗୁଡିକ ସହ ନିୟମିତ ସମ୍ପର୍କ ଓ ସମ୍ମନ୍ୱୟ ରକ୍ଷା କରି ତୃଣମୂଳସ୍ତରରେ ରାଜସ୍ୱ ସେବା ଯୋଗାଇ ଦେବା କ୍ଷେତ୍ରରେ ଆମକୁ ଯତ୍ନବାନ ହେବାକୁ ପଡିବ। ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଥିଲେ ଯେ ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ଆମର ପ୍ରଥମ କର୍ତ୍ତବ୍ୟ ଏଥିରୁ ଯେମିତି କେହି ବାଦ ନ ପଡିବେ ସେଥିପ୍ରତି ଆମକୁ ସଚେତନ ହେବାକୁ ପଡିବ।
ଏଠାରେ ସୂଚନାଯୋଗ୍ୟ ଯେ ଦୁଇ ଦିନ ଧରି ଚାଲିଥିବା କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ ୧୯ ତାରିଖରେ ଉଦଯାପିତ ହୋଇଛି। ଏଥିରେ ୯ ଜଣ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ), ୧୬ ଜଣ ଉପ ଜିଲ୍ଲାପାଳ, ୧୧୨ ଜଣ ତହସିଲଦାର, ୧୦ ଜଣ ଜିଲ୍ଲା ନିବନ୍ଧକ, ୬୨ ଜଣ ସହକାରୀ ନିବନ୍ଧକ, ୪ ଜଣ ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗ ଦେଇଥିବା ବେଳେ ଏହି ସମ୍ମିଳନୀରେ ସରକାରୀ ଜମିର ସୁରକ୍ଷା, ଜମିଜମା ମକଦ୍ଦମା ସମ୍ପର୍କିତ ତ୍ୱରିତ ନ୍ୟାୟ ପ୍ରଦାନ, ସହରାଞ୍ଚଳ ଜମି ପରିଚାଳନା, ରାଜସ୍ୱ ପ୍ରଶାସନରେ ଆଧୁନିକ ବୈଷୟିକ ଜ୍ଞାନର ପ୍ରୟୋଗ, ରାଜସ୍ୱ ଆଇନରେ ଆବଶ୍ୟକ ସଂସ୍କାର ଓ ହାଇଟେକ ସର୍ଭେ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ବିଶେଷଜ୍ଞମାନେ ସେମାନଙ୍କ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସଚିବ ନିହାର ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।