ପ୍ରତି ମାସରେ ହେବ ରଥଯାତ୍ରା ସମୀକ୍ଷା ବୈଠକ
ଭୁବନେଶ୍ୱର:୧୩/୧- ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ଏଥିପାଇଁ ଆଗୁଆ ପ୍ରସ୍ତୁତି ନିମନ୍ତେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶଶସନ ସଚିବ ଆଲୋଚନା କରିଛନ୍ତି। ଏହି ବୈଠକରେ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ, ଅଗ୍ନିଶମ ସେବା ବିଭାଗ ଡିଜିପି, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ, ପୂର୍ତ୍ତ, ଜାତୀୟରାଜପଥ କର୍ତ୍ତୃପକ୍ଷ, ପୁରୀ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ରଥଯାତ୍ରା ସହିତ ସଂପୃକ୍ତ ଅନ୍ୟ ବିଭିନ୍ନ ସଂସ୍ଥାର ବରିଷ୍ଠ କର୍ତ୍ତୃପକ୍ଷ, ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରେ ବିଶ୍ୱ ପ୍ରସିଦ୍ଧ ପୁରୀର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଜୁଲାଇ୧୬ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ବିଭିନ୍ନ ପଞ୍ଜିକାରେ ତାରିଖ ରହିଛି। କିନ୍ତୁ ଏନେଇ ଶ୍ରୀମନ୍ଦିରର ପାରମ୍ପରିକ ନୀତି ଅନୁସାରେ ଛତିଶା ନିଯୋଗ କମିଟି, ମୁକ୍ତିମଣ୍ଡପ ଏବଂ ଶ୍ରୀମନ୍ଦିରର ଅନ୍ୟ ବିଭିନ୍ନ କମିଟିର ନିଷ୍ପତ୍ତିକ୍ରମେ ରଥଯାତ୍ରା ପାଳିତହେବ ଓ ସେହିଅନୁସାରେ୯ଦିନପରେ ବାହୁଡା ଓ ପରେ ପରେ ସୁନାବେଶ ଆଦି ନୀତି ଅନୁଷ୍ଠିତ ହେବବୋଲି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ।ଏହା ପୂର୍ବରୁ ଆଗାମୀ ଜାନୁଆରୀ ୨୩ରେ ବସନ୍ତପଞ୍ଚମୀରେ ରଥକାଠ ପୂଜନ ଉତ୍ସବ, ୨୭ମାର୍ଚ୍ଚ ଶ୍ରୀରାମନବମୀରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ, ଅପ୍ରେଲ ୨୦ ରେ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣର ଅନୁକୂଳଏବଂ ୨୯ଜୁନରେ ସ୍ନାନଯାତ୍ରା ପଡୁଥିବା ନେଇ ସେ ସୂଚନା ଦେଇଥିଲେ।
ରଥଯାତ୍ରା ଆହୁରି ୬ମାସ ପରେ ଅନୁଷ୍ଠିତ ହେଉଥିବାରୁ ରଥଯାତ୍ରା ପରିଚାଳନାକୁ ତ୍ରୁଟି ଶୂନ୍ୟ କରିବା ଲକ୍ଷ୍ୟରେ ସମସ୍ତ କାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।
ବୈଠକରୁ ଜଣାପଡିଛିଯେ ରଥକୋଡ୍ ଅନୁସାରେ ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ ରଥ କାଠ ଆବଶ୍ୟକଥିବାବେଳେ ଏବେ ୪୭ଟି କାଠ ଉପଲବ୍ଧ ଅଛି ଏବଂ ଆଉ ୮୧୮ଖଣ୍ଡ କାଠ ସଂଗ୍ରହ କରାଯିବ। ଏଥିପାଇଁ ଡିଏଫଓ ନୟାଗଡ ଆବଶ୍ୟକ ଅସନ, ଧଉରା ଏବଂ ଡିଏଫଓ ଖୋର୍ଦ୍ଧା କଞ୍ଚାକାଠ ଓ ବଲ୍ଲା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।ଏଥିପାଇଁ ଅନୁଷ୍ଠିତ ସମନ୍ୱୟ ବୈଠକରେ ଠିକ ସମୟରେ ରଥକାଠ ଯୋଗାଇବାକୁ ଅନୁରୋଧ କରାଯାଇଛି।