ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର : ୧୧/୧୧/୨୦୨୪(ସଂକ୍ଷିପ୍ତ ଖବର ପ୍ରତିନିଧି) ସମ୍ବଲପୁର ରାଜସ୍ୱ ବିଭାଗୀୟ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲା ଗୁଡିକରେ ଶିଳ୍ପ ଦ୍ୱାରା ନିଷ୍କାସିତ ପାଉଁଶ(ଫ୍ଲାଏ-ଆଶ) ପକାଇବାର ଉପଯୁକ୍ତ ପରିଚାଳନା ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ସମ୍ବଲପୁରରେ ପ୍ରାୟ ୯୪% ତାପଜ ବିଦ୍ୟୁତ ଉତ୍ପାଦନ କରାଯାଇ ରାଜ୍ୟକୁ ଯୋଗାଣ ହୋଇଥାଏ । ବିଦ୍ୟୁତ ଉତ୍ପାଦନ ସହ ନିଷ୍କାସିତ ପାଉଁଶ (ଫ୍ଲାଇ ଆଶ୍ ବା ଉଡନ୍ତା ପାଉଁଶ) କୁ ନେଇ ଗୁରୁତର ସମସ୍ୟାଉପୁଜିଥାଏ। ଏହାର ଉପଯୁକ୍ତ ପରିଚାଳନା ସହ ଜନସାଧାରଣଙ୍କୁ ସୁରକ୍ଷିତ ପରିବେଶ ଯୋଗାଇଦେବା ଏବଂ ଏହାର ସମାଧାନ ପ୍ରସ୍ତାବ ଉଦ୍ଦେଶ୍ୟରେ ଅନୁଷ୍ଠିତ ବୈଠକରେ ରାଜସ୍ୱ ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନରାୟଣ ନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି, ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ପ୍ରତିନିଧି, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ୟ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ ବିଧାୟକ ଯୋଗେଶ କୁମାର ସିଂ, ରାଜଗାଙ୍ଗପୁର ବିଧାୟକ ଶ୍ରୀ ସିଏସ ରାଜନ ଇକ୍କା, ଛେଣ୍ଡିପଦା ଅଗସ୍ତି ବେହେରାଙ୍କ ପ୍ରତିନିଧି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀ ଏବଂ ଚିଫ ଇଞ୍ଜିନିୟର ଆଭାସି ମାଧ୍ୟମରେ ଯୋଗ ଦେଇ ଆଇନଗତ ଓ ପରିବେଶ ପ୍ରଭାବ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ। ସେଇଭଳି ଯାନ୍ତ୍ରିକ ନିର୍ଦ୍ଦେଶକ, ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମ.ସି.ଏଲ) ପୁରୁଣା ଖଣି ଖାଦାନର କିଭଳି ବ୍ୟବହାର କରିହେବ ତାର ବ୍ୟବସ୍ଥାଗତ ଦିଗ ଉପରେ ଆଲୋକପାତ କରିଥିଲେ। ଉପସ୍ଥିତ ବିଧାୟକମାନେ ବର୍ତ୍ତମାନର ଅସୁବିଧା ବିଷୟରେ ଆଲୋକପାତ କରିବା ସହ ଅନେକ ଉପାଦେୟ ପ୍ରସ୍ତାବ ଦେଇଥିଲେ
ଉପରୋକ୍ତ ବୈଠକରେ ଜନସାଧାରଣ ଙ୍କୁ ସ୍ୱଚ୍ଛ ଜଳ, ବାୟୁ ଓ ନିରାପଦ ପରିବେଶ ଯୋଗାଇଦେବା ପରିପ୍ରେକ୍ଷୀରେ ଶିଳ୍ପଗୁଡିକ ଦ୍ୱାରା ନିଷ୍କାସିତ ଫ୍ଲାଇ ଆଶ୍ ଡମ୍ପିଂ, ଫ୍ଲାଇ ଆଶ୍ ପରିବହନ, ଫ୍ଲାଇ ଆଶର ଉପଯୁକ୍ତ ବ୍ୟବହାର, ପାଉଁଶ ପୋଖରୀରେ ପାଉଁଶ (ଫ୍ଲାଇ ଆଶ୍) ର ନିଷ୍କାସନ ଆଦିର ପରିଚାଳନା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା।
ଭୂତଳ ଜଳର ଗୁଣବତ୍ତା ଯାଞ୍ଚ କରିବା ସହିତ ଭୂତଳ ଜଳ ଉପରେ ଫ୍ଲାଇ ଆଶ୍ ଡମ୍ପିଂର ପ୍ରଭାବ ସମ୍ପର୍କରେ ପରୀକ୍ଷଣ କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ଏହି ସବୁ ଅଞ୍ଚଳରେ ଭୂତଳ ଜଳର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଦୁଇ ମାସ ସମୟ ଦିଆଯାଇଛି। ବେଆଇନ ଭାବେ ଫ୍ଲାଇ ଆଶ୍ ଫିଙ୍ଗିବାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ। ଯେଉଁ ଅଞ୍ଚଳରେ ଫ୍ଲାଇ ଆଶ୍ ଫିଙ୍ଗି ଦିଆଯାଉଛି ସେଠାରେ ଜନଜୀବନ ପ୍ରତି ଯେପରି କୌଣସି ପ୍ରକାରର ବିପଦ ସୃଷ୍ଟି ନହୁଏ ସେଥିପାଇଁ ଥିବା ନିୟମାବଳୀକୁ ଅନୁସରଣ କରି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏକ ପ୍ରମୁଖ ଚିନ୍ତାର ବିଷୟ ହେଉଛି ଫ୍ଲାଇ ଆଶ୍ ର ପରିବହନ, ଯାହାକୁ ଅନେକ ଥର ବିନା କଭରେଜ୍ ରେ ପରିବହନ କରାଗଲେ ରାସ୍ତାରେ ପଡିଯାଇଥାଏ, ଏହାର ମୁକାବିଲା ପାଇଁ ଫ୍ଲାଇ ଆସ୍ ଡମ୍ପିଂ ସମୟ ନିର୍ଦ୍ଧାରଣ କରାଗଲେ ଯାହାଦ୍ୱାରା ଏହା ସଠିକ ଭାବରେ କାର୍ଯ୍ୟକାରୀ କରାଯାଇପାରିବ। କୌଣସି ଅଘଟଣ କିମ୍ବା ବେଆଇନ ଡମ୍ପିଂ ଯେପରି ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ,ଜିଲ୍ଲା ପରିବହନ ଅଧିକାରୀ, ସମ୍ପୃକ୍ତ ଜିଲ୍ଲା ଲୋକପ୍ରତିନିଧିଙ୍କ ସମନ୍ୱୟ କମିଟି ଗଠନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶିଳ୍ପାୟନ ନିମନ୍ତେ ଅନୁମତି ଠାରୁ ଫ୍ଲାଇ ଆଶ୍ ଡମ୍ପିଂ ର ପରିଚାଳନା ପର୍ଯ୍ୟନ୍ତ କାର୍ଯ୍ୟରେ ସ୍ୱଚ୍ଛତା) କୁ ଗୁରୁତ୍ଵ ଦିଆଯାଇଛି I ଜଳାଶୟ ଗୁଡିକରେ ବର୍ଜ୍ୟଜଳ ନିଷ୍କାସନ ଏବଂ ଏହାର ନିରାକରଣ କରିବା ପାଇଁ ଜଳାଶୟ ଗୁଡିକରେ ବର୍ଜ୍ୟଜଳ ନିଷ୍କାସନ ପୂର୍ବରୁ ବିଶୋଧନ କରାଯିବା ଆବଶ୍ୟକ ଏବଂ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରିବା ପାଇଁ ଉପଯୁକ୍ତ ପଦ୍ଧତିକୁ ଅନୁପାଳନ କରାଯିବା ଆବଶ୍ୟକ ବୋଲି ରାଜସ୍ୱ ମନ୍ତ୍ରୀ କହିଥିଲେ ।
ବୈଠକରେ ରାଜସ୍ୱ ବିଭାଗୀୟ ଆୟୁକ୍ତ, ଉତ୍ତରାଞ୍ଚଳ ଡିଭିଜନ, ସଚିନ କୁମାର ଯାଦବ, ପୁଲିସ ଆଇଜ ଉତ୍ତରାଞ୍ଚଳ, ହିମାଂଶୁ ଲାଲ, ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ ଏବଂ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
