ଭୁବନେଶ୍ୱରରୁ ଆରମ୍ଭ ହେବ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ବିକାଶର ରୋଡ଼ମ୍ୟାପ
ଭୁବନେଶ୍ୱର:୩୦/୮-ସଂସଦ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଲୋକସଭାର ବାଚସ୍ପତି ଓମ ବିର୍ଲା ଭୁବନେଶର ଗସ୍ତରେ ଆସିଥିବା ବେଳେ ଆଜି ସମ୍ମିଳନୀର ଉଦଯାପନୀ ଉତ୍ସବ ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଭୁବନେଶ୍ୱରରୁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ବିକାଶର ରୋଡ଼ମ୍ୟାପ ଆରମ୍ଭ ହେବ। ଏ ନେଇ ଜଗନ୍ନାଥଙ୍କ ଦର୍ଶନରୁ ନୂତନ ଶକ୍ତି ମିଳିଥିବା ସେ କହିଛନ୍ତି ।

୨୫ ବର୍ଷ ପରେ ଏବଂ ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ଓଡିଶାରେ ଏହି ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଛି। ଅନୁସୂଚିତ ଜାତି,ଅନୁସୂଚିତ ଜନଜାତିଙ୍କ ସକାଶେ ଅନେକ ଯୋଜନା କରାଯାଇଛି ଏବଂ ସେଗୁଡିକର ସଠିକ ପ୍ରଣୟନ ହେଲେ ଏହି ବର୍ଗ ସମାଜରେ ଅନ୍ୟମାନଙ୍କ ଭଳି ଉନ୍ନତି କରିବା ସହ ତାଳମିଳାଇ ଆଗକୁ ଅଗ୍ରସର ହେଇପାରିବେ। ସଂସଦୀୟ କମିଟି ବଜେଟ ସମୀକ୍ଷା କରିବା ସହ ଶତପ୍ରତିଶତ ଖର୍ଚ୍ଚ ପାଇଁ ଚେଷ୍ଟିତ ହେବା ଜରୁରୀ ବୋଲି କହିଥିଲେ। ପ୍ରଯୁକ୍ତିବିଦ୍ୟା ଏବଂ ସୁଶାସନକୁ ଗ୍ରହଣ କଲେ ବଞ୍ଚିତ ବର୍ଗ ଉନ୍ନତିରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏହି କର୍ମଶାଳାରେ ରାଜ୍ୟ ଏବଂ କେନ୍ଦ୍ରର କମିଟି ଗୁଡିକ ଦ୍ଵାରା ବଞ୍ଚିତ ବର୍ଗ ପାଇଁ ବିଭିନ୍ନ ସମସ୍ୟା ର ସମାଧାନ ବାବଦରେ ଅଲୋଚନା ହୋଇଛି । ମିଳିଥିବା ମତାମତରୁ ସଂସଦୀୟ କମିଟି ଲୋକଙ୍କ ହିତରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ସେସବୁକୁ କାର୍ଯ୍ୟକାରୀ କରାଯିବ ବୋଲି ଗଣମାଧ୍ୟମକୁ ଜଣାଇଥିଲେ। ଗଣମାଧ୍ୟମର ପ୍ରତିନିଧି ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତରରେ ଶ୍ରୀ ବିର୍ଲା କହିଲେ ଯେ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ଅନୁସୂଚିତ ଜନଜାତିମାନଙ୍କ ସମସ୍ୟା, ସୁବିଧା, ସୁରକ୍ଷା ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମର ସଫଳ ପ୍ରଣଯନ ସହ ଏହାକୁ କିପରି ତ୍ୱରାନ୍ୱିତ କରା ଯାଇପାରିବ ସେ ଦିଗରେ ଗୁରୁତ୍ଵ ଦିଆଯିବ । ଏହି ସମ୍ମିଳନୀ ରୁ ମିଳିଥିବା ନିଷ୍କର୍ଷ କାର୍ଯ୍ୟକ୍ରମ ରୂପାୟନ ସହିତ ଅଭିଜ୍ଞତା, ସର୍ବୋତ୍କୃଷ୍ଟ ପ୍ରୟୋଗ ଓ ଭାବ ବିନିମୟ ପାଇଁ ମଞ୍ଚ ଯୋଗାଇଦେବ ।
ସମ୍ମିଳନୀରେ ଗ୍ରହଣ କରାଯାଇଥିବା ପ୍ରସ୍ତାବମାନ ସଂସଦ ଓ ରାଜ୍ୟ ବିଧାନସଭା ପାଇଁ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବ, ଯାହା ଅନୁସୂଚିତ ଜାତି ଅନୁସୂଚିତ ଜନଜାତିମାନଙ୍କ ପାଇଁ କଲ୍ୟାଣକାରୀ ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରିପାରିବ।