ଦୁଇଦିନ ମଧ୍ୟରେ ରାସ୍ତାର ସ୍ଥିତି ନେଇ ରିପୋର୍ଟ ଦେବାକୁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର:୬/୯- ପାର୍ବଣ ଋତୁ ଦଶହରାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହେବାକୁ ଯାଉଥିବାବେଳେ ରାସ୍ତାଘାଟ ଓ ଗମନାଗମନ ନେଇ ଭୁବନେଶ୍ୱର-କଟକ ସମେତ ସବୁ ସହର ଏବଂ ରାଜ୍ୟବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସହ ସବୁ ପ୍ରମୁଖ ସହର ତଥା ସମସ୍ତ ଜିଲ୍ଲାର ରାସ୍ତାଘାଟର ସ୍ଥିତି ଅନୁଧ୍ୟାନ କରିଥିଲେ ।
ବର୍ଷାଋତୁ ଆସିଲେ ରାସ୍ତାରେ ଖାଲଖମା ହେବା ଏବଂ ରାସ୍ତା ଖରାପ ହେବା ଏକ ସାଧାରଣ ପ୍ରକ୍ରିୟା । ତେବେ ଏହାକୁ ତୁରନ୍ତ ମରାମତି କରି ଜନସାଧାରଣଙ୍କୁ ଏକ ସୁଖଦ ଅନୁଭୂତି ପ୍ରଦାନ କରିବା ଆମ ସରକାରଙ୍କ ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ବର୍ତ୍ତମାନ ନୂତନ ନିଯୁକ୍ତି ଜରିଆରେ ବହୁ ପ୍ରତିଭାବାନ ଅଧିକାରୀ ଓ ଇଞ୍ଜିନିୟରମାନେ ବିଭାଗରେ ଯୋଗ ଦେଇଛନ୍ତି।

ତେଣୁ, ଇଞ୍ଜିନିୟରମାନେ ସେମାନଙ୍କୁ ଜ୍ଞାନର ଉପଯୋଗ କରି ସ୍ଥାୟୀ ଓ ସୁନ୍ଦର ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ। ଏଥି ସହ ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ସୁଦ୍ଧା ଅର୍ଥାତ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟର ସବୁ ପ୍ରମୁଖ ରାସ୍ତାକୁ ଖାଲଖମା ମୁକ୍ତ କରିବା ଏବଂ ପରବର୍ତ୍ତୀ ଅକ୍ଟୋବର ୨ରୁ ଖରାପ ଅବସ୍ଥାରେ ଥିବା ରାସ୍ତାର ସମ୍ପୂର୍ଣ୍ଣ ନବୀକରଣ କରିବା ପାଇଁ ମନ୍ତ୍ରୀ ବିଭାଗରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଏଥି ସହିତ ରାସ୍ତାର ସ୍ଥାୟିତ୍ୱ ଏବଂ ମରାମତି ସହ ଯେଉଁ ସଂସ୍ଥା ଓ ବିଭାଗମାନେ ରାସ୍ତା ବ୍ୟବହାର କରୁଛନ୍ତି ସେଥି ନେଇ ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ ନେଇ ମନ୍ତ୍ରୀ ସୂଚନା ଦେବା ସହିତ ସମ୍ପୃକ୍ତ ଇଞ୍ଜିନିୟରମାନେ ଆସନ୍ତା ଦୁଇଦିନ ମଧ୍ୟରେ ଅଞ୍ଚଳ ଗସ୍ତ କରି ରାସ୍ତାର ସ୍ଥିତି ବିଷୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।