‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମ
କବିତା ପୁସ୍ତକ ‘ଯେଯାଏ ଡାକିନି ସମୁଦ୍ର’ ଲୋକାର୍ପିତ
ଭୁବନେଶ୍ୱର:୨୫/୦୧- ସାହିତ୍ୟ ସହୃଦୟତା ଓ ସଂପର୍କ ଲୋଡ଼ିଥାଏ । ସହୃଦୟତା ଓ ସଂପ୍ରୀତି ହିଁ ସାହିତ୍ୟର ମୂଳକଥା । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆୟୋଜିତ ‘ସାହିତ୍ୟ ମାସିକୀ’ରେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକା ଡ. ମନୋରମା ବିଶ୍ୱାଳ ମହାପାତ୍ର ଏହା ପ୍ରକାଶ କରିଛନ୍ତି।
ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭୂତି ପାଣିଗ୍ରାହୀଙ୍କ କବିତା ପୁସ୍ତକ ‘ଯେଯାଏ ଡାକିନି ସମୁଦ୍ର’ର ଲୋକାର୍ପଣ କରି ଡ. ବିଶ୍ୱାଳ ମହାପାତ୍ର କହିଛନ୍ତି ଯେ ସୃଷ୍ଟିର ପ୍ରଥମ ପ୍ରଭାତରୁ ହିଁ ସାହିତ୍ୟିକ ଆବେଗ ଖୋଜିଆସିଛି । ସେହି ଆବେଗ ଓ ସଂପର୍କକୁ ନେଇ ଏ ପର୍ଯ୍ୟନ୍ତ ସାହିତ୍ୟର ଜୟଯାତ୍ରା ଅବ୍ୟାହତ ରହିଛି।

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ କବି ତଥା ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କବିତା ଉପରେ ମତାମତ ଦେଇ କହିଲେ ଯେ କବିତା ଗଭୀରତମ ହୃଦୟର କଥା କୁହେ, ପ୍ରଶ୍ନ ପଚାରେ, ସଂପର୍କ ତିଆରି କରେ, ବାହାର ଦୁନିଆ ସହ ପରିଚୟ କରାଏ। ଅବସାଦ ଦୂର କରିବା ପାଇଁ କବିତା ଅନ୍ୟତମ ଶକ୍ତିଶାଳୀ ମାଧ୍ୟମ ବୋଲି ସେ କହିଥିଲେ ସାହିତ୍ୟିକା ଡ. ସୁଷମା ମିଶ୍ର କବିତା ପୁସ୍ତକଟିର ଏକ ଭାଗଗର୍ଭକ ସମୀକ୍ଷା ଉପସ୍ଥାପନ କରିଥିଲେ।
ତରୁଣ ଲେଖକ ଶିବାନନ୍ଦ ବାରିକ ‘ଏ ମାସର କଥାକାର’ ଭାବେ ଯୋଗଦେଇ ଗଳ୍ପ ପାଠ କରିଥିଲେ। କବିତା ପୁସ୍ତକର ରଚୟିତା ଶ୍ରୀ ପାଣିଗ୍ରାହୀ ମଧ୍ୟ ଲେଖକୀୟ ଅଭିବ୍ୟକ୍ତି ରଖିଥିଲେ। ପୁସ୍ତକର ପ୍ରକାଶକ ତଥା ଲେଖକ ବାଦଲ ମହାନ୍ତି ବକ୍ତବ୍ୟ ରଖିଥିଲେ। ପରେ ଅଧ୍ୟାପିକା ସୌଦାମିନୀ ବେହେରା ଓ ନିରୁପମା କରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମିନତି ମିଶ୍ର, ସନ୍ତାପ ଜେନା, ରଜନୀକାନ୍ତ ପଟ୍ଟନାୟକ, ବିରଞ୍ଚି ଶତପଥୀ, ପ୍ରହରାଜ ଜୟନାରାୟଣ ନନ୍ଦ, ପୀତାମ୍ବର ଭୋଇ, ଅଶୋକ ସିଂହ, ନୃସିଂହ ତରାଇ, ସବିତା ଶତପଥୀ, ପ୍ରିୟରଞ୍ଜନ ସାହୁ, କୁମୁଦିନୀ ଜୀ, ଇତିଶ୍ରୀ ପତି, ମନମୋହନ ମିଶ୍ର, ଦେବରାଜ ବିଷୋୟୀ, ନମିତା ପାଇକରାୟ, ନିରୁପମା ରଥ, ଜୟଶ୍ରୀ ପଟ୍ଟନାୟକ, ସୌଦାମିନୀ ତି୍ରପାଠୀ, ସୁସ୍ମିତା ଶତପଥୀ, ବିଦୁ୍ୟତପ୍ରଭା ଗାନ୍ତାୟତ, ଅଳକା ରାୟ, ପ୍ରଦ୍ୟୁମ୍ନ ପଟ୍ଟନାୟକ, ଶଶିପ୍ରଭା ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ।
ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପସଭାପତି ମିନତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।