
ଭୁବନେଶ୍ୱର:୧୩/୮- ରାଜଧାନୀର ଭଞ୍ଜକଳା ମଣ୍ଡପରେ ବୁଧବାର ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଡ଼ ଅରୁଣ କୁମାର ସାହୁଙ୍କ ସଂପାଦିତ ‘ସାଇତା ସତ’ ପୁସ୍ତକ ଏବଂ ‘ବେହାଲ୍ ବର୍ଷା’ ସଙ୍ଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟର ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ଵାଳ ଏବଂ କଳା ଓ ସଙ୍ଗୀତର ଅତିଥି ଭାବେ ବର୍ଷୀୟାନ ଅଭିନେତା ଚୌଧୁରୀ ବିକାଶ ଦାସ ଯୋଗ ଦେଇଥିଲେ। ପ୍ରକାଶକ ବିଜୟ ମହାପାତ୍ରଙ୍କ ବି. କେ. ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ସାଇତା ସତ’ରେ ଚମତ୍କାର ଭାବେ ସତ ଓ ମିଛର ପରିଭାଷା ବର୍ଣ୍ଣନା ସହ ଦାର୍ଶନିକ ତତ୍ତ୍ଵ ମାଧ୍ୟମରେ ସାରକଥାଟି କିପରି ଶେଷକୁ ସଂରକ୍ଷିତ ହୋଇ ରହି ‘ସାଇତା ସତ’ ହୋଇଯାଏ, ତାହା ଉପସ୍ଥାପିତ ହୋଇଛି ।


ସେହିପରି ସଙ୍ଗୀତକାର ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଯୁବ କଣ୍ଠଶିଳ୍ପୀ ଚିରାଗଦୀପ ଗାଇଥିବା ଡ଼ ଅରୁଣ କୁମାର ସାହୁଙ୍କ ରଚିତ ‘ବେହାଲ୍ ବର୍ଷା’ ସଙ୍ଗୀତରେ ପ୍ରେମ, ପ୍ରତିଶ୍ରୁତି ଓ ପ୍ରଣୟର ସୁନ୍ଦର ସଙ୍ଗମ ହୋଇଛି । କାର୍ଯ୍ୟକ୍ରମକୁ ଅତିଥି ଦର୍ଶକ ଭାବେ ରାଜନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଉମାକାନ୍ତ ସାମନ୍ତରାୟ, ପ୍ରଶାସକ ମନୋରଞ୍ଜନ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ପ୍ରମୁଖଙ୍କ ସମେତ କଳା, ସାହିତ୍ୟ, ସଙ୍ଗୀତ ଓ ରାଜନୀତି ଦୁନିଆର ପ୍ରଖ୍ୟାତ ବ୍ୟକ୍ତିବିଶେଷମାନେ ଯୋଗଦେଇ ଉପଭୋଗ କରିଥିଲେ।

ଚିରାଚରିତ କାର୍ଯ୍ୟକ୍ରମ ଶୈଳୀରୁ ବାହାରି ଡ଼ ସାହୁଙ୍କ ପରିକଳ୍ପନାରେ ସାହିତ୍ୟ ଓ ସଙ୍ଗୀତର ଅପୂର୍ବ ସମନ୍ଵୟରେ ଏପରି କାର୍ଯ୍ୟକ୍ରମ ଓଡ଼ିଶାରେ ନିଆରା ବୋଲି ମତ ପ୍ରକାଶ ପାଇଛି। ଫେରିଲା ସମୟରେ ସମସ୍ତେ ଗୁଣୁଗୁଣାଉ ଥିଲେ ବେହାଲ୍ ବର୍ଷା, ମତୁଆଲା ମନ…ଲାଗୁଛି ଖାଲି ଖାଲି ….ଥିବା ଗୀତର ଧାଡ଼ି ସବୁ।