-ତିନିଗୁଣ ହେଲା
-ଜାଣନ୍ତୁ କାହାର କେତେ

ଭୁବନେଶ୍ୱର:୫/୧୨-ରାଜ୍ୟ ବିଧାନସଭାକୁ ନିର୍ବାଚିତ ଲୋକପ୍ରତିନିଧି (ଜନସେବକ)ଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଛି । ଏନେଇ ବିଧାନସଭାରେ ଉପସ୍ଥାପିତ ଚାରିଟି ବିଧେୟକ ଗୃହର ଅନୁମୋଦନ ଲାଭ କରିଛି । ବୃଦ୍ଧି ପାଇଥିବା ଦରମା ଓ ଭତ୍ତା ପିଛିଲା ଭାବେ ଜୁନ ୨୦୨୪ରୁ ଲାଗୁ ହେବ।




ସୂଚନାଯୋଗ୍ୟ ଯେ ବିଧାୟକମାନେ ପୂର୍ବରୁ ମୂଳ ଦରମା ବାବଦରେ ୩୫ ହଜାର ଟଙ୍କା ପାଉଥିବା ବେଳେ ଏହା ୯୦ ହଜାରକୁ ବୃଦ୍ଧି କରାଯାଇଛି । ସେମାନଙ୍କ ଆତିଥ୍ୟ ଭତ୍ତା୪୦ ହଜାରରୁ ୯୬ ହଜାରକୁ ବୃଦ୍ଧି ପାଇଥିବା ବେଳେ ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ପରିଦର୍ଶନ ଭତ୍ତା ୨୦ ହଜାରରୁ ୭୫ ହଜାର, କମିଟି ଭତ୍ତା୧,୫୦୦ରୁ ୩.୦୦୦, ଓଡ଼ିଶା ବାହାରେ ବୈଠକ ପାଇଁ ୨,୦୦୦ରୁ ୧୦. ୦୦୦, ରାଜ୍ୟ ଭିତରେ ଗସ୍ତ ପାଇଁ କିମି ପିଛା ୨୫ଟଙ୍କା ଥିଲା ଏହା ୩୫ ଟଙ୍କା କରାଯାଇଛି । ମାସିକ ପରିବହନ ଭତ୍ତା ୧୫ ହଜାରରୁ ୫୦ ହଜାରକୁ ବୃଦ୍ଧି ପାଇଛି । ସଦସ୍ୟଙ୍କ ମାସିକ ଭତ୍ତା ୨ ହଜାରରୁ ୧୦ ହଜାର, ବିଦ୍ୟୁତ ବାବଦକୁ ୫ ହଜାର ଟଙ୍କା ଥିଲା । ଏବେ୨୦ ହଜାର ପାଇବେ । ମେଡ଼ିକାଲରେ ଚିକିତ୍ସା ପାଇଁ ଭତ୍ତା ବାବଦରେ ୫ ହଜାର ଟଙ୍କା ପାଉଥିଲେ ତାହା ୩୫ ହଜାରକୁ ବଢ଼ା ଯାଇଛି । ରହିବା ପାଇଁ ୧ ହଜାର ଟଙ୍କା ଥିଲା, ଏହାକୁ ୨ ହଜାରକୁ ବୃଦ୍ଧି କରାଯାଇଛି । କାର ପାଇଁ ଅଗ୍ରୀମ ୫ଲକ୍ଷ ଟଙ୍କା ପାଉଥିଲେ । ଏଣିକି ୧୦ ଲକ୍ଷ ଟଙ୍କା ପାଇବେ । ମାସିକ ସେମାନେ ୩ ଲକ୍ଷ ୪୫ହଜାର ଟଙ୍କା ପାଇବେ ।


ସେହିପରି ପୂର୍ବତନ ସଦସ୍ୟ ପେନସନ ବାବଦରେ ୮୦ ହଜାର ଟଙ୍କା ପାଇବେ । ସେମାନଙ୍କ ମେଡ଼ିକାଲ ଭତ୍ତା ଓ ଗସ୍ତ ଖର୍ଚ୍ଚ ମଧ୍ୟ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ବେତନ ବାବଦରେ ଏକଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଭତ୍ତା ପାଇବେ । ତାଙ୍କୁ ୩ ଲକ୍ଷ ୭୪ହଜାର ଟଙ୍କା ମିଳିବ । ବାଚସ୍ପତି ବେତନ ଆକାରରେ ୯୮ ହଜାର ଟଙ୍କା ଓ ଅନ୍ୟାନ୍ୟ ଭତ୍ତା, ଉପ ମୁଖ୍ୟମନ୍ତ୍ରୀ ବେତନ ବାବଦରେ ୯୮ ହଜାର ଟଙ୍କା ଓ ଅନ୍ୟାନ୍ୟ ଭତ୍ତା ଏହିପରି ସେମାନେ ୩ ଲକ୍ଷ ୬୮ ହଜାର ଟଙ୍କା ପାଇବେ । ଉପ ବାଚସ୍ପତି ଓ ରାଷ୍ଟ୍ରମନ୍ତ୍ରୀ ବେତନ ବାବଦରେ ୯୪ ହଜାର ଟଙ୍କା ପାଇବେ । ସେମାନଙ୍କୁ ମାସିକ ୩ ଲକ୍ଷ ୫୬ ହଜାର ଟଙ୍କା ମିଳିବ । ବିରୋଧୀ ଦଳ ନେତା, କ୍ୟାବିନେଟ ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ ବେତନ ବାବଦରେ ୯୬ ହଜାର ଟଙ୍କା ଓ ଅନ୍ୟାନ୍ୟ ଭତ୍ତା ପାଇବେ । ସେମାନଙ୍କୁ ମୋଟ ୩ଲକ୍ଷ ୬୨ ହଜାର ଟଙ୍କା ମିଳିବ । ସରକାରୀ ଦଳ ଉପ ମୁଖ୍ୟ ସଚେତକ ଓ ଉପ-ମନ୍ତ୍ରୀଙ୍କ ବେତନ ୯୨ ହଜାର ଟଙ୍କା ରଖାଯାଇଛି । ଅନ୍ୟାନ୍ୟ ଭତ୍ତା ମିଶାଇ ସେମାନେ ମାସିକ ୩ ଲକ୍ଷ ୫୦ହଜର ଟଙ୍କା ପାଇବେ ।