ଭୁବନେଶ୍ୱର:୨୬/୩- ବିଧାୟକଙ୍କ ଦରମା ବଢ଼ିବନି। ଦରମା ବୃଦ୍ଧି ବିଧେୟକ ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ବର୍ଷ ବିଧେୟକ ଆଗତ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା। ନୂଆ ବିଧେୟକ ବିଧାନସଭାରେ ପାରିତ ହେବା ପରେ ଦରମା ଓ ଆନୁସଙ୍ଗିକ ଭତ୍ତା ବାବଦକୁ ବିଧାୟକଙ୍କୁ ୩ ଲକ୍ଷ ୪୫ ହଜାର ଟଙ୍କା ମିଳିଥାନ୍ତା। ସେହିପରି ବାଚସ୍ପତି, ଉପ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଧ୍ୟ ଅଧିକ ଦରମା ଏବଂ ଭତ୍ତା ପାଇଥାନ୍ତେ। ମୁଖ୍ୟମନ୍ତ୍ରୀଙ୍କୁ ଦରମା ଓ ଅନ୍ୟାନ୍ୟ ଭତ୍ତା ମିଶାଇ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା ଏବଂ କ୍ୟାବନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କୁ ମୂଳ ଦରମା ସହିତ ଭତ୍ତା ମିଶାଇ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିଥାନ୍ତା।

ଏହାକୁ ନେଇ ସରକାର ଜନସାଧାରଣଙ୍କ ସମାଲୋଚନା ଓ ବିରୋଧର ସମ୍ମୁଖୀନ ହେବା ପରେ ଏହି ବିଧେୟକ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦରମା ଓ ପେନ୍ସନ ବୃଦ୍ଧି ସଂକ୍ରାନ୍ତ ଚାରିଟି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ବିଲକୁ ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ବିଧେୟକଗୁଡ଼ିକୁ ପ୍ରତ୍ୟାହାର ପାଇଁ ଦେଇଥିବା ନୋଟିସ ସମ୍ପର୍କରେ ବିଧାନସଭା ସଚିବ ସତ୍ୟବ୍ରତ ସାହୁ ଗୁରୁବାର ସମସ୍ତ ବିଧାୟକଙ୍କୁ ସୂଚନା ଦେଇଛନ୍ତି। ଚଳିତ ଅଧିବେଶନ କାଳରେ ଏହା ପ୍ରତ୍ୟାହୃତ ହେବା ନେଇ ସୂଚନା ମିଳିଛି। ବିଧାନସଭା ସଚିବ ସତ୍ୟବ୍ରତ ସାହୁ ସମସ୍ତ ବିଧାୟକଙ୍କୁ ଚିଠି ଲେଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଥିବା ନୋଟିସ ସମ୍ପର୍କରେ ଅବଗତ କରାଇଛନ୍ତି।