ଭୁବନେଶ୍ୱର:୧୮/୧୨-ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ସର୍ଗି ଫୁଲ୍ ମହୋତ୍ସବ ୨୦୨୫ । ତିନିଦିନ ବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧିନରେ ଥିବା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଆନୁକୁଲ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦେଇ ସେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ପିଲାମାନଙ୍କ ମଧ୍ୟରେ ଅଫୁରନ୍ତ ଆଶା ଓ ଆନନ୍ଦ ଆଣିଦେବାରେ ସର୍ଗି ଫୁଲ୍ ମହୋତ୍ସବ ସହାୟକ ହୁଏ। ପିଲାମାନେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ଭଳି କ୍ଷମତା ବହନ କରୁଛନ୍ତି। ବିଶେଷ କରି ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କର ଦକ୍ଷତାକୁ ଅଧିକ ବିକଶିତ କରିବା ନିମନ୍ତେ ଏହି ମହୋତ୍ସବ ଏକ ଅଭିନବ ମାଧ୍ୟମ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ଅତିଥି ଭାବେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ବି.ପରମେଶ୍ୱରନ୍, ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର ମୀଣା, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅନ୍ୟାନ୍ୟ ପଛୁଆ ବର୍ଗ ନିର୍ଦ୍ଦେଶକ ଯୁଗଳେଶ୍ୱରୀ ଦାଶ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ମେମ୍ବର ସେକ୍ରେଟାରୀ ସୁଧାକର ଶବର ପ୍ରମୁଖ ଉପସ୍ଥିତ ଥିଲେ।

ମନ୍ତ୍ରୀ ଶ୍ରୀ ଗଣ୍ଡ ବିଭାଗର ସଫଳତା ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ, ୧୭୬୫ ଟି ଶିକ୍ଷାନୁଷ୍ଠାନ ଓ ୫୯୬୩ ଟି ଛାତ୍ରାବାସ ଓ ଛାତ୍ରୀ ନିବାସ ଅଧିନରେ ୫.୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହି ଅଧ୍ୟୟନ କରୁଛନ୍ତି। ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନୂତନଭାବେ ୨୩୫ ଟି ଛାତ୍ରାବାସ ଅନୁମୋଦନ କରାଯାଇଛି ଓ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ ନବମ ଓ ଏକାଦଶରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ଏଥିସହ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ବୃଦ୍ଧି ସେମାନଙ୍କ ଶୈକ୍ଷିକ ବିକାଶର ମାଧ୍ୟମ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।
ଉଦଘାଟନୀ ଅବସରରେ ୨୦୨୫ ଦଶମ ବୋର୍ଡ଼ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ୧୦ ଜଣ ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ ସହ ସ୍ମାରକି ଏବଂ ପୁସ୍ତକ ପ୍ରଦାନ କରିଥିଲେ। ଅନୁଗୁଳରୁ ନିର୍ମଳ ଦେହୁରୀ, କେନ୍ଦୁଝରରୁ ଗିତିସୁଦ୍ଧା ନାଏକ, ଗଜପତିରୁ ଜୁସପିନା ମଣ୍ଡଳ, କନ୍ଧମାଳରୁ ସୌମ୍ୟରଞ୍ଜନ କହଁର, ମୟୂରଭଞ୍ଜରୁ ଡ଼ାଳିନୀ ମୁର୍ମୁ, ଗଜପତିରୁ ଅନୁଶ୍ରୀ ବଡରାଏତା, ନବରଙ୍ଗପୁରରୁ ଉର୍ମିଳା ଭତ୍ରା, ଗଜପତିରୁ ବିପାଶା ଭୂୟାଁ, ରାୟଗଡ଼ାରୁ ପିଙ୍କି କାଲକା, ବରଗଡ଼ରୁ ବାସନ୍ତି ମହାନନ୍ଦ ସମ୍ମାନିତ ହୋଇଛନ୍ତି। ଚଳିତ ବର୍ଷ ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବିଭାଗୀୟ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ୧୧୬୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।
ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ କରାଯାଇଛି। ୪୦ ଟି ଷ୍ଟଲରେ ୮୦ ଜଣ ଛାତ୍ରଛାତ୍ରୀ ଓ ୪୦ ଟି ଗାଇଡ୍ ଶିକ୍ଷକ ସାମିଲ୍ ଅଛନ୍ତି। ସେହିପରି ୧୧୨ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ତପୋବନ ଉଚ୍ଚ ବିଦ୍ୟାଳୟରେ ଭଲି ବଲ୍ ପ୍ରତିଯୋଗିତା ଆୟୋଜିତ କରାଯିବ। ଏଥିସହ ୧୬ ଟି ପାଭିଲିୟନରେ ୨୨ ଟି ପ୍ରତିଯୋଗିତା ଆୟୋଜିତ ହେବ। ଯେଉଁଥିରେ ଚିତ୍ରାଙ୍କନ, ସଙ୍ଗୀତ, ଡିବେଟ୍, କୁଇଜ୍, ନୃତ୍ୟ, ସ୍ଲୋଗାନ୍ ଆଦି ପ୍ରତିଯୋଗିତା କରାଯିବ। ଏଥିସହ ୨୭ ଟି କର୍ମଶାଳା ମଧ୍ୟ ଆୟୋଜନ କରାଯିବ। ଯେଉଁଥିରେ ଶିଶୁ ସାମ୍ବାଦିକତା, ଗଣିତ ଖେଳ, ମୁରାଲ୍ ଆର୍ଟ, କଣ୍ଢେଇ ଖେଳ, ଷ୍ଟୋରିଟେଲିଂ, ଗ୍ଲାସ୍ ପେଣ୍ଟିଂ, ଛଉ, ପୋଷ୍ଟର ମେକିଂ, ଚିତ୍ରାଙ୍କନ ଆଦି ଆୟୋଜିତ ହେବ।