ଭୁବନେଶ୍ୱର: ୨୧/୧୨/୨୦୨୪- ସଫଳତାର ସହ ଶେଷ ହୋଇଛି ରାଜ୍ୟସ୍ତରୀୟ ସର୍ଗିଫୁଲ୍ ଉତ୍ସବ ୨୦୨୪। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ନେଇ ୨୦୧୦ ମସିହାରୁ ଏହି ଉତ୍ସବ ପାଳିତ ହୋଇଆସୁଛି । ଶିକ୍ଷା କେବଳ ଶ୍ରେଣୀଗୃହରେ ସୀମିତ ନ ରହୁ, ଏହା ହିଁ ଉତ୍ସବ ପାଳନର ଉଦ୍ଦେଶ୍ୟ ଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ପିଲାମାନଙ୍କ ମଧ୍ୟରେ ଥିବା ଉତ୍ସାହ, ଉଦ୍ଦୀପନା ଏହି ଉତ୍ସବକୁ ବହୁଗୁଣିତ କରିପାରିଛି। ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ ପଞ୍ଚମରୁ ଦ୍ଵାଦଶ ଶ୍ରେଣୀରେ ପଢୁଥିବା ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ସହିତ ଥିବା ଶିକ୍ଷକଶିକ୍ଷୟିତ୍ରୀ ସାମିଲ ହୋଇଥିଲେ। ଜିଲ୍ଲାସ୍ତରରୁ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ପରିସ୍ଫୁଟନ କରିବାରେ ସର୍ଗିଫୁଲ୍ ମହୋତ୍ସବ ସଫଳ ହୋଇଛି ।
ରାଜ୍ୟ ସରକାରଙ୍କ ଲକ୍ଷ୍ୟ “ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା” । ଏହି ଉକ୍ତିକୁ ପ୍ରତିପାଦିତ କରିବା ନିମନ୍ତେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି ।
ସ୍ଵର୍ଣ୍ଣିମ ଓଡ଼ିଶା ଗଠନ ଦିଗରେ ଯେଉଁମାନେ ଆମର ଭବିଷ୍ୟତ, ସେମାନଙ୍କୁ ପ୍ରେରିତ କରିବା ପାଇଁ ସର୍ଗିଫୁଲ୍ ସମାରୋହରେ ଆୟୋଜିତ ହୋଇଥିଲା “ମିଟ୍ ଦି ପର୍ସନାଲିଟି” ଅଧିବେଶନ। ଲକ୍ଷ୍ୟ ଥିଲା ସଫଳ ଛାତ୍ରଛାତ୍ରୀମାନଙ୍କୁ ଗୋଟେ ମଞ୍ଚରେ ଏକାଠି କରିବା ଓ ସେମାନଙ୍କ ସଫଳତାର କାହାଣୀକୁ ଭବିଷ୍ୟତର ପିଢି ନିକଟରେ ପହଞ୍ଚାଇବା। ଏହି ଅଧିବେଶନରେ ଯୋଗ ଦେଇଥିଲେ ଆଦିବାସୀ ସମାଜର ୫ ଜଣ ତାରକା – ମାଣ୍ଡିଆ ରାଣୀ ରାଇମତି ଘିଉରିଆ, ବଣ୍ଡାଘାଟିର ସୁଯୋଗ୍ୟ ସନ୍ତାନ ମଙ୍ଗଳା ମୁଦୁଲି, ଓଡ଼ିଶା ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ ହୋଇଥିବା ମାଲକାନଗିରିର ବିନି ମୁଦୁଲି, କୋରାପୁଟର ଧନପତି ସିସା ଓ ଜୟରାମ ବଡ଼ନାଏକ। ସେମାନଙ୍କ ପ୍ରେରଣାଦାୟୀ କାହାଣୀକୁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବାରେ ସଫଳ ହୋଇଥିଲା ସର୍ଗିଫୁଲ୍। ଅଦମ୍ୟ ବିଶ୍ଵାସ, ସାହାସ, ତ୍ୟାଗ, ନିଷ୍ଠା ବଳରେ ସେମାନେ ସଫଳତା ହାସଲ କରିପାରିଥିଲେ ଓ ବର୍ତ୍ତମାନ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ।

ମାଣ୍ଡିଆ ରାଣୀଙ୍କୁ ବା ଏବେ କିଏ ନ ଚିହ୍ନେ। ଜୈବିକ ପଦ୍ଧତିରେ ମାଣ୍ଡିଆ, ଧାନ ଚାଷ କରି ଜିଲ୍ଲା, ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ଚର୍ଚ୍ଚାରେ ଏବେ ରାଇମତି ଘିଉରିଆ। ନିକଟରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କଠାରୁ ଡକ୍ଟରେଟ୍ ଉପାଧି ମଧ୍ୟ ପାଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ୨୦ ଦେଶର ନେତାଙ୍କ ନିକଟରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।
ସେହିପରି ବଣ୍ଡାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲିଙ୍କ କାହାଣୀ ସଂଘର୍ଷର ପ୍ରକୃତ ଉଦାହରଣ। ପ୍ରଥମେ ମୁଦୁଲିପଡ଼ା ସରକାରୀ ଆବାସିକ ବିଦ୍ୟାଳୟରେ ପଢ଼ିବା ପରେ ମାଥିଲିଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ବିଭାଗରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ତାଙ୍କର ଡାକ୍ତର ହେବା ଇଚ୍ଛାକୁ ପୂରଣ କରିବା ଦିଗରେ ଅନେକ ଅଭାବ ଅନଟନ ମଧ୍ୟରେ ରହି ପାଠ ପଢିଲେ ଓ ସର୍ବଭାରତୀୟ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। ବର୍ତ୍ତମାନ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ୍ କଲେଜରେ ପାଠ ପଢୁଛନ୍ତି।
ସେହିପରି ଆତ୍ମବିଶ୍ଵାସକୁ ନିଜର ସାଥି କରି ଆଗେଇ ଆସିଥିଲେ ତିନି ଜଣ ତାରକା। ମାଲକାନଗିରି ଜିଲ୍ଲାର ବିନି ମୁଦୁଲି, କୋରାପୁଟ ଜିଲ୍ଲାର ଜୟରାମ ବଡ଼ନାଏକ ଏବଂ ଧନପତି ସିସା। ୨୦୨୨ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଯଥାକ୍ରମେ ୫୯୬, ୬୫୦ ଓ ୬୬୬ ରାଙ୍କ୍ ରଖି କୃତକାର୍ଯ୍ୟ ହୋଇଛନ୍ତି। ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆତ୍ମବିଶ୍ଵାସ ସମେତ ପ୍ରତିବଦ୍ଧତା, ନିଷ୍ଠାପରତା ଆବଶ୍ୟକତାକୁ ନିଜ ନିଜର କାହାଣୀ ମାଧ୍ୟମରେ ଅଧିବେଶନରେ ଉପସ୍ଥାପନା କରିଥିଲେ ।
ଏପରି ଉଜ୍ଜ୍ଵଳ ତାରକାଙ୍କ ସଫଳତାର କାହାଣୀକୁ ଉପସ୍ଥାପନା କରିବା ଏବଂ ସେମାନଙ୍କ କାହାଣୀରୁ ପ୍ରେରଣା ସଂଗ୍ରହ କରିବା ଥିଲା ଏହି ଅଧିବେଶନ ଆୟୋଜନର ଉଦ୍ଦେଶ୍ୟ। ସେମାନଙ୍କ ଆତ୍ମକାହାଣୀ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ସମଗ୍ର ସମାଜ ପାଇଁ ପ୍ରେରଣାର ଉତ୍ସ। ପ୍ରତ୍ୟେକ ଛାତ୍ର ମଧ୍ୟରେ ରହିଛି ଅନନ୍ୟ ପ୍ରତିଭା। କେବଳ ନିଜ ପ୍ରତିଭାକୁ ଖୋଜିବାର ଆବଶ୍ୟକତା ରହିଛି। ପ୍ରତିଯୋଗୀ ମନୋଭାବ ହେଉଛି ସଫଳତାର ମୂଳ ଆଧାର। ଏହି ମନୋଭାବ ବଳବତ୍ତର ରହିଲେ ଛାତ୍ରଛାତ୍ରୀମାନେ ଆହୁରି ଆଗକୁ ବଢିବେ । ସଂରକ୍ଷିତ ଚିନ୍ତାଧାରାରୁ ମୁକୁଳି ବିକଶିତ ଶିକ୍ଷାର ମହାସ୍ରୋତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ। ଶୈକ୍ଷିକ ପରିମଣ୍ଡଳର ଉନ୍ନତି ସହିତ ସୃଜନ ଓ ନେତୃତ୍ୱ ସେମାନଙ୍କ କାର୍ଯ୍ୟଧାରାରେ ପ୍ରତିଫଳିତ ହେବ। ଜୀବନରେ ପ୍ରଭାବୀ ସଫଳତା ମିଳିବ। “ସର୍ଗିଫୁଲ’’ ଉତ୍ସବ ସେହି ସଫଳତାର ଆଦ୍ୟ ସୋପାନ।
