ଲୋକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ପୋଲିସ ମହା ନିର୍ଦ୍ଦେଶକଙ୍କ ସହ କଥା ହେଲେ , ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର:୧୦/୧୧- ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଏବଂ ସାଧାରଣ ଲୋକଙ୍କ ଜୀବନହାନି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର କଡ଼ା ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଭଳି ଅମାନବୀୟ ଘଟଣାକୁ ଭାରତ କେବେ ବରଦାସ୍ତ କରିନାହିଁ କି କରିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନିଶ୍ଚିତ ଭାବେ ଏ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡବିଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ପୋଲିସ ମହା ନିର୍ଦ୍ଦେଶକଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରି ଓଡ଼ିଶାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି, ଓଡ଼ିଶାରେ ବାଲିଯାତ୍ରା ପରି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ରାଜ୍ୟର ପ୍ରମୁଖ ସହର ଏବଂ ବିଭିନ୍ନ ସମ୍ୱେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସେ କହିଛନ୍ତି ।

ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ସୋମବାର କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହ ଯେ କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହି କ୍ରମରେ ଡିଜିପି ଶ୍ରୀ ଖୁରାନିଆ ରାତିରେ କଟକ ବାଲିଯାତ୍ରା ଆୟୋଜନ ସ୍ଥଳକୁ ଗସ୍ତ କରି ସେଠାରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ସେଠାରେ ଲକ୍ଷାଧିକ ଲୋକଙ୍କ ଜନ ସମାଗମ ହେଉଛି। ଜନ ସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେ ଭଳି କୌଣସି ତ୍ରୁଟି ବିଚ୍ୟୁତି ନ ହେବ ସେ ସଂକ୍ରାନ୍ତରେ ନିୟୋଜିତ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ। ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜନସମାଗମ ସ୍ଥଳ, ବଜାର, ରେଳ ଷ୍ଟେସନ, ବସ୍ ଟର୍ମିନାଲ୍, ଧାର୍ମିକ ସ୍ଥାନ ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଙ୍ଗ ବଢ଼ାଇବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି। ସେହିପରି CCTV ନିରୀକ୍ଷଣ, ବିସ୍ଫୋରକ ପଦାର୍ଥ ଚେକିଂ, ସନ୍ଦିଗ୍ଧ ଯାତ୍ରୀ, ଗୁଇନ୍ଦା ସୂଚନା ସଂଗ୍ରହକୁ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସନ୍ଦେହଜନକ ବ୍ୟକ୍ତି ବିଶେଷ କିମ୍ବା ବସ୍ତୁ ନଜରକୁ ଆସିଲେ ତୁରନ୍ତ ନିକଟସ୍ଥ ଥାନା କିମ୍ବା Dial ୧୧୨କୁ ତୁରନ୍ତ ଜଣାଇବାକୁ ଡିଜିପି ଅନୁରୋଧ କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସେ ପ୍ରାଧାନ୍ୟ ଦେଇଛନ୍ତି। ସମସ୍ତ ପରିସ୍ଥିତିକୁ ପ୍ରତିକାର କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ପ୍ରଶାସନକୁ ସକ୍ରିୟ ସହଯୋଗ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।