ଭୁବନେଶ୍ୱର:୭/୧୨- ଆନ୍ତଃରାଜ୍ୟ ସମନ୍ୱୟ ପାଇଁ ଭାରତର ପ୍ରଥମ କୋଅପରେସନ ଅଫ ପାର୍ଟିସ ଶୈଳୀ ପ୍ଲାଟଫର୍ମ ଭାବରେ ଡିଜାଇନ୍ ହୋଇଥିବା ପୁରୀ ଠାରେ ଆୟୋଜିତ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ ୨୦୨୫ ଶେଷ ହୋଇଛି। ଓଡ଼ିଶା ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ; ପ୍ରମୁଖ ସଚିବ ବିଶାଳ ଦେବ ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଫର୍ ଗ୍ଲୋବାଲ ଚେଞ୍ଜର ଭାରତ ମୁଖ୍ୟ ବିବେକ ଅଗ୍ରୱାଲଙ୍କ ସମେତ ପ୍ରମୁଖ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଦୁଇଦିନ ଧରି ବିଶ୍ୱ ଶକ୍ତିନେତା, ନୀତି ନିର୍ଦ୍ଧାରକ, ଶିଳ୍ପ ସିଇଓ, ବିଶ୍ୱ ବିଶେଷଜ୍ଞ ଏବଂ ଗବେଷକଙ୍କୁ ନେଇ ଏକ ବିଶିଷ୍ଟ ଗୋଷ୍ଠୀଙ୍କ ରୁଦ୍ଧଦ୍ୱାର ଆଲୋଚନା, ବିଷୟବସ୍ତୁ ସଂଶ୍ଳିଷ୍ଟ ପ୍ୟାନେଲ୍ ଆଲୋଚନା, ବୈଷୟିକ ଗଭୀର ଅନୁଧ୍ୟାନ ଓ ଜ୍ଞାନ-ଆଦାନ ସମ୍ବନ୍ଧୀୟ ଅଧିବେଶନ ଚାଲୁଥିଲା। ଅଧିବେଶନରେ କୃତ୍ରିମ ବୁଦ୍ଧିମତା-ସକ୍ଷମ ଗ୍ରୀଡ୍ ସୁରକ୍ଷା, କାର୍ବନ ମାର୍କେଟ, ଉନ୍ନତ ଆର୍ôଥକ ସହାୟତା, କ୍ଲିନ୍-ଟେକ୍ ନବସୃଜନ ଏବଂ ସଂସ୍ଥାଗତ ସଂସ୍କାର ଭଳି ସୀମାନ୍ତ ପ୍ରସଙ୍ଗଗୁଡ଼ିକରେ ଅନୁସନ୍ଧାନ କରାଯାଇଛି। ସାମୂହିକ ଭାବରେ ଏହି ଆଲୋଚନାଗୁଡ଼ିକ ଏକ ଦୀର୍ଘକାଳୀନ ଓ ସହଯୋଗପୂର୍ଣ୍ଣ ପ୍ଲାଟଫର୍ମ ପାଇଁ ଭିତ୍ତିଭୂମି ସ୍ଥାପନ କରିଛି ଯାହା ଭାରତର ଶକ୍ତି କ୍ଷେତ୍ରକୁ ଏକ ସ୍ୱଚ୍ଛ, ସ୍ଥିର ଏବଂ ନବସୃଜନ-ଚାଳିତ ଭବିଷ୍ୟତ ଆଡକୁ ମାର୍ଗଦର୍ଶନ କରିବ।
ନବସୃଜନ, ପ୍ରତିଷ୍ଠାନଗତ ସୁଦୃଢ଼ୀକରଣ ଏବଂ ନବସୃଜନ-ଶକ୍ତି ନିୟୋଜନକୁ ଅଗ୍ରସର କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ବିଶ୍ୱ ଶକ୍ତି ସମ୍ମିଳନୀର ଏକ ପ୍ରମୁଖ ଅଂଶ ଅଟେ। ସାରା ଓଡ଼ିଶାରେ ଗବେଷଣା, ପାଇଲଟ୍ ପ୍ରକଳ୍ପ ଏବଂ ସ୍ୱଚ୍ଛ-ଶକ୍ତି ନିୟୋଜନକୁ ତ୍ୱରାନ୍ୱିତ କରିବା ପାଇଁ ଚାରୋଟି ରଣନୈତିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଦୀର୍ଘକାଳୀନ ସହଯୋଗ, ନବସୃଜନ ଓ ପ୍ରତିଷ୍ଠାନ ନିର୍ମାଣ ପ୍ରତି ଶିଖର ସମ୍ମିଳନୀର ପ୍ରତିବଦ୍ଧତାକୁ ସୁଦୃଢ଼ ??କରିଛି। ଦୁଇଦିନିଆ ଅଧିବେଶନରେ ହୋଇଥିବା ବିଭିନ୍ନ ଆଲୋଚନା, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ, ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ପରାମର୍ଶ ସହିତ ପୁରୀ ଘୋଷଣାପତ୍ରର ଏକ ଡ୍ରାଫ୍ଟ ଉପସ୍ଥାପିତ ହୋଇଥିଲା। ଯାହା ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ପାଇଁ ଏକ ସ୍ଥାୟୀ ସହଯୋଗ ଢାଞ୍ଚା ନିର୍ମାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ପୁରୀ ଘୋଷଣାନାମାର ଡ୍ରାଫ୍ଟ ରାଜ୍ୟଗୁଡ଼ିକୁ ପରାମର୍ଶ ଏବଂ ସହମତି ଗଠନ ପାଇଁ ବଣ୍ଟନ କରାଯାଇଛି। ଖୁବଶୀଘ୍ର ଚୂଡ଼ାନ୍ତ ଘୋଷଣାନାମା ପ୍ରସ୍ତୁତ କରାଯିବ।