-ଲୋକେ ଆତଙ୍କିତ, ବଢୁଛି କଳାବଜାର
-ରାଜ୍ୟ ସରକାର କହିଲେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ଅଛି
ଭୁବନେଶ୍ୱର:୧୦/୩- ଦେଶରେ ଏଲପିଜି ସଙ୍କଟ ଚିନ୍ତା ବଢାଇବା ପରେ ଏଲପିଜି ଯୋଗାଣ ପାଇଁ କେନ୍ଦ୍ର ସରକାର ଏସମା ଲାଗୁ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଶେଷ ନେଇ ଅନିଶ୍ଚିତତା ଦେଖାଯାଇଥିବାରୁ ଭବିଷ୍ୟତରେ ରୋଷେଇ ଗ୍ୟାସର ଅଭାବ ଉତ୍କଟ ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅତ୍ୟାବଶ୍ୟକ ସେବା ନିୟନ୍ତ୍ରଣ ଆଇନ (ଏସମା) ଲାଗୁ କରିଛନ୍ତି। ଏହାଦ୍ୱାରା ଘରୋଇ ଗ୍ରାହକଙ୍କୁ ଗ୍ୟାସ୍ ଯୋଗାଣରେ କୌଣସି ସମସ୍ୟା ହେବନାହିଁ। ଦେଶର ସମସ୍ତ ତୈଳ ବିଶୋଧନାଗାରକୁ ଅଧିକରୁ ଅଧିକ ଏଲପିଜି ଗ୍ୟାସ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତୈଳ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଲୋଚନା କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ରୋଷେଇ ଗ୍ୟାସ ଯୋଗାଣରେ ଦେଖାଦେଇଥିବା ସମସ୍ୟା ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟର ଜନସାଧାରଣ ରନ୍ଧନ ଗ୍ୟାସ ପାଇଁ ଦୁର୍ଦ୍ଦଶା ଭୋଗୁଥିବା ବେଳେ ମଙ୍ଗଳବାର ସରକାର ବାସ୍ତବଚିତ୍ରକୁ ଲୁଚେଇବାକୁ ଯାଇ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ଥିବା ଭଳି ତଥ୍ୟ ପ୍ରଦାନ କରିଛନ୍ତି। ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟବୃଦ୍ଧି ଘଟିବା ପରେ ଏବେ ସିଲିଣ୍ଡର ମିଳୁନି। କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅନ୍ୟାନ୍ୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମଧ୍ୟ ଏହି ଅବସ୍ଥା ସୃଷ୍ଟି ହୋଇଛି। ବାସ୍ତବ ସ୍ଥିତି ଅନୁଧ୍ୟାନ ନ କରି ସରକାର ଯେଉଁ ବିବୃତ୍ତି ଦେଉଛନ୍ତି ତାକୁ ଲୋକେ ଗ୍ରହଣ କରିପାରୁ ନାହାନ୍ତି। ଗ୍ୟାସ ସିଲିଣ୍ଡର ପାଇଁ ଗ୍ୟାସ ଏଜେନ୍ସି କାର୍ଯ୍ୟାଳୟରେ ଦିନ ସାରା ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗି ରହିଥିବା ଦେଖିବାକୁ ମିଳୁଛି। ୨୦ଦିନ ହେଲା ଗ୍ୟାସ ବୁକ୍ କରି ଥିଲେ ବି ଗ୍ୟାସ ମିଳୁନି। ଲୋକେ କଳା ବଜାରରୁ ଅଧିକ ମୂଲ୍ୟ ଦେଇ ଗ୍ୟାସ କିଣୁଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଲୋକସେବା ଭବନରେ ଆୟୋଜିତ ଏକ ବୈଠକରେ କହିଛନ୍ତିି, ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ଏବଂ ଜନସାଧାରଣଙ୍କୁ ଏଥି ନେଇ ବିଶେଷ ଚିନ୍ତିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଯାହା ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଗଣମାଧ୍ୟମଗୁଡ଼ିକୁ ପଠାଯାଇଛି।

ଏଥିରେ କୁହାଯାଇଛି, ବୈଠକରେ ତୈଳ ବିଶୋଧନାଗାର/ ଡିପୋରୁ ଏଲପିଜି ବିତରକ ଓ ରିଟେଲ ଆଉଟଲେଟରୁ ବିତରଣ ପ୍ରକ୍ରିୟା ଓ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଖାଉଟିମାନଙ୍କୁ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଯୋଗାଣ ନେଇ ସମସ୍ୟା ନ ଥିବା ସଂପର୍କରେ ତୈଳ କମ୍ପାନୀ କର୍ତ୍ତୃପକ୍ଷମାନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ସରକାର ତୈଳ କମ୍ପାନୀ କର୍ତ୍ତୃପକ୍ଷଙ୍କ ସୂଚନାକୁ ମ।ନିଗଲେ କିନ୍ତୁ ଲୋକଙ୍କ ସମସ୍ୟା ନଜରରେ ପଡିଲାନି। ସେହିପରି ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାଗୁଡ଼ିକ ପାଇଁ ମଧ୍ୟ ରନ୍ଧନ ଗ୍ୟାସ ଯୋଗାଣରେ ସମସ୍ୟା ନାହିଁ ବୋଲି ଏହି ବିବୃତ୍ତିରେ ଉଲ୍ଲେଖ କରାଯାଇଛି।
ମୁଖ୍ୟ ଶାସନ ସଚିବ ସୁବିଧାରେ ରନ୍ଧନ ଗ୍ୟାସ ଓ ଇନ୍ଧନ ତୈଳ ଉପଲବ୍ଧ ହେବା ନେଇ ଯୋଗାଣ ଶୃଙ୍ଖଳ ସନ୍ତୁଳନ ବଜାୟ ରଖିବାକୁ ତୈଳ କମ୍ପାନୀ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରନ୍ଧନ ଗ୍ୟାସ ଓ ପେଟ୍ରୋଲ, ଡିଜେଲ ଆଦିର ଉପଲବ୍ଧତା ନେଇ ନିୟମିତ ଭାବେ ବିଭିନ୍ନ ମାଧ୍ୟମରେ ଆବଶ୍ୟକୀୟ ସୂଚନା ଜାରି ରଖିବାକୁ ଉଭୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ତୈଳ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅସୁବିଧା ନାହିଁ ତେବେ ନିର୍ଦେଶ ଦେବା କାରଣ କଣ? ରାଜ୍ୟରେ ରନ୍ଧନ ଗ୍ୟାସ ଓ ଇନ୍ଧନ ତୈଳ ଉପଲବଧତା ନେଇ ତୈଳ କମ୍ପାନୀ କର୍ତ୍ତୃପକ୍ଷମାନେ କେନ୍ଦ୍ର ସରକାରଙ୍କୁ ଯେଉଁ ବିବରଣୀ ପ୍ରଦାନ କରୁଛନ୍ତି, ତାହାର ଏକ ରିପୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଦୈନିକ ପ୍ରଦାନ କରିବାକୁ କୁହାଯାଇଛି।
ବୈଠକରେ ଖାଦ୍ୟ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ସମେତ ଜାଳେଣି ଗ୍ୟାସ(ଏଲପିଜି) ଓ ଇନ୍ଧନ ତୈଳ ମାର୍କେଟିଂ କରୁଥିବା ଆଓସିଏଲ୍, ଏଚ୍ପିସିଏଲ ଓ ବିପିସିଏଲ ଆଦି କମ୍ପାନୀର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ।