ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ସ୍ଥଗିତ
-କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ
ଭୁବନେଶ୍ୱର :୨/୧୦-ପୁଲିସ ସବ ଇନ୍ସପେକ୍ଟର ପାଇଁ ଲିଖିତ ପରୀକ୍ଷା ପୂର୍ବରୁ ବଡ଼ ଧରଣର ଜାଲିଆତି ସାମ୍ନାକୁ ଆସିବା ପରେ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି।ସ୍ୱତନ୍ତ୍ର କୋଚିଂ ନେବାକୁ ହାଇଦ୍ରାବାଦ ଯାଉଥିବା ଶତାଧିକ ପରୀକ୍ଷାର୍ଥୀଙ୍କୁ ରାତି ଅଧରେ ଆନ୍ଧ୍ରର ଶ୍ରୀକାକୁଲମରୁ ବ୍ରହ୍ମପୁର ପୁଲିସ ଧରିଛି। ୧୨୦ଜଣ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ରଖି ପଚରା ଉଚୁରା କରାଯାଇଥିଲା। ଅନିୟମିତତା ଅଭିଯୋଗ ପରେ ଆସନ୍ତା ୫ ଓ ୬ ତାରିଖରେ ହେବାକୁ ଥିବା ପୁଲିସ ସବଇନ୍ସପେକ୍ଟର ପରୀକ୍ଷାକୁ ସ୍ଥଗିତ ରଖିଛି ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ଼।ରାଜ୍ୟ ପୁଲିସ ନିଯୁକ୍ତି ବୋର୍ଡ଼ ଅଧ୍ୟକ୍ଷ ସୁଶାନ୍ତ ନାଥ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଛି। ଏଥିରେ ଆନ୍ତଃରାଜ୍ୟ ଅପରାଧିଙ୍କ ସଂପୃକ୍ତି, ନକଲି ପରୀକ୍ଷାର୍ଥୀ ଓ ପ୍ରଶ୍ନପତ୍ର କାରବାର ଆଦି ଉପରେ ତଦନ୍ତ ଅବ୍ୟାହତ ରହିଛି।
ସୂଚନାଯୋଗ୍ୟଯେ ପରୀକ୍ଷାର୍ଥୀଙ୍କୁ ପ୍ରବେଶପତ୍ର ପ୍ରଦାନ କରାଯାଇଥିଲା। ପରୀକ୍ଷା ପୂର୍ବରୁ ଏକ ଘରୋଇ ସଂସ୍ଥା ଆଶାୟୀଙ୍କୁ ହାଇଦ୍ରାବାଦ ନେଇ ସ୍ୱତନ୍ତ୍ର କୋଚିଂ ଦେବାକୁ ବ୍ୟବସ୍ଥା କରିଥିଲା। ଏହା ମାଧ୍ୟମରେ ଲକ୍ଷଲକ୍ଷ ଟଙ୍କା ଆଦାୟ ଲକ୍ଷ୍ୟ ରଖିଥିଲା। ବିଭିନ୍ନ ଜିଲାର ୧୦୦ରୁ ଅଧିକ ପ୍ରାର୍ଥୀ ତିନିଟି ବସ ଯୋଗେ ହାଇଦ୍ରାବାଦ ଯାଉଥିଲେ। ଏହି ଖବର ପାଇବା ପରେ ବ୍ରହ୍ମପୁର ପୁଲିସ ଶ୍ରୀକାକୁଲମ ଠାରେ ବସକୁ ଅଟକାଇ ଆମ୍ବପୁଆସ୍ଥିତ ବ୍ରହ୍ମପୁର ରିଜର୍ଭ ପୁଲିସ କାର୍ଯ୍ୟାଳୟକୁ ଆଣିଥିଲେ। ଏହ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଓ ଉତ୍ତର ବିଷୟରେ ଜଣାଇ ଦିଆଯିବା ନେଇ ଯୋଜନା ମଧ୍ୟ ହୋଇଥିଲା। ଘଟଣା ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି।
ପରୀକ୍ଷା ବାତିଲ କରିବାରେ ସରକାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି
ଭୁବନେଶ୍ୱର :୨/୧୦- ଓଡିଶା ପୁଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପାଇଁ ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଓପିଆରବି ଦ୍ୱାରା ସ୍ଥଗିତ ରଖାଯିବାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଗତ ପନ୍ଦର ମାସର ବିଜେପି ଶାସନରେ ପନ୍ଦର ଥର ନିଯୁକ୍ତି ପାଇଁ ହେଉଥିବା ବିଭିନ୍ନ ପରୀକ୍ଷାକୁ ବାତିଲ କରା ଯାଇଛି ଯାହା ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରାଜ୍ୟର ହଜାର ହଜାର ଯୁବକ ଯେଉଁମାନେ ଚାକିରିଟିଏ ପାଇବା ପାଇଁ ମାସ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ପରୀକ୍ଷା ବାତିଲ ହେବା ପରେ ସେମାନେ ହତୋତ୍ସାହିତ ହୋଇ ପଡ଼ୁଛନ୍ତି।
ଗତ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ହେବାକୁ ଥିବା ପୁଲିସ ସବ ଇନ୍ସପେକ୍ଟର ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ବାତିଲ କରା ଯାଇଥିଲା। ଏହାକୁ ଅକ୍ଟୋବର ୫ ଓ ୬ରେ କରାଯିବ ବୋଲି ଘୋଷଣା କରାଯାଇ ଥିଲା। ଏହି ପରୀକ୍ଷା ହେବାକୁ ଏକ ସପ୍ତାହରୁ କମ ସମୟ ଥିବାବେଳେ ଅନେକ ପରୀକ୍ଷାର୍ଥୀଙ୍କୁ ଜାଲିଆତି ପାଇଁ ହାଇଦ୍ରାବାଦ ନିଆ ଯାଉଥିବା ସମୟରେ ଧରା ପଡିଥିଲା। ଖୋଦ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ଦ୍ୱାରା ୧୦୦ରୁ ଅଧିକ ଆଶାୟୀଙ୍କୁ ନେଇ ହାଇଦ୍ରାବାଦ ଠାରେ କୋଚିଂ ଦେବା ନାମରେ ନିଆ ଯାଉଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ପୁଲିସ ଧରିଥିଲା। ଏହି ଘଟଣାରୁ, ରାଜ୍ୟର ହଜାର ହଜାର ଚାକିରୀ ଆଶାୟୀ ଯୁବକ ଯୁବତୀ ମାନେ ନିଯୁକ୍ତି ପାଇଁ ଥିବା ବ୍ୟବସ୍ଥା ଉପରେ ସନ୍ଦେହ ଉପୁଜିଛି। ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦଳ ପକ୍ଷରୁ ଦାବୀ କରାଯାଇଛି।
୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି। ବାତିଲ ହୋଇଥିବା ପୁଲିସ ସବ ଇନ୍ସପେକ୍ଟର ପରୀକ୍ଷାରେ କୋଟି କୋଟି ଟଙ୍କାର ଡିଲ୍ ହୋଇଛି।ଏହି କେଳେଙ୍କାରି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କର ଅସଲ ଚେହେରା ଲୋକଲୋଚନକୁ ଆସିଯାଇଛି। ଏହା ଏକ ଆନ୍ତଃରାଜ୍ୟ ରାକେଟ ହୋଇଥିବାରୁ ଏଥିରେ ବିଜେପିର ମନ୍ତ୍ରୀ ଓ ବିଧାୟକ ମାନେ ସାମିଲ ଥିବାର ସନ୍ଦେହ ପ୍ରକାଶ ପାଇଛି। ସରକାର ଏହି ଘୋଟାଲରେ ସାମିଲ ଥିବା ବିଜେପିର ନେତା ମନ୍ତ୍ରୀଙ୍କୁ ଖସେଇ ଦେବାପାଇଁ ତରବରିଆ ଭାବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପୁଲିସ ବିଭାଗ ଅଧିନରେ ଏହି ପରୀକ୍ଷା ପରିଚାଳନା କରାଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ଜାଲିଆତି ହେବାର କଥା ସାମ୍ନାକୁ ଆସିଲା ସେଇ ପୁଲିସ ବିଭାଗର କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଯଦି ତଦନ୍ତ କରାଯାଏ ଫଳ କଣ ବାହାରିବ ବୋଲି ବିଜେଡି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଚୋର ହାତରେ ଚାବିକାଠି ଦେବା ସଦୃଶ ଯେଉଁ ପୁଲିସ ବିଭାଗର କର୍ମଚାରୀ ଏହି ଜାଲିଆତିରେ ସାମିଲ ଅଛନ୍ତି ସେହି ବିଭାଗରେ ଲୋକଙ୍କ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ଦୋଷିମାନେ ଖସି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପରୀକ୍ଷାର୍ଥୀଙ୍କୁ ନ୍ୟାୟ ଦେବାପାଇଁ ଏହି ଘୋଟାଲାକୁ ସିବିଆଇ ଦ୍ୱାରା ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ନେଲେ ବିଜୁ ଯୁବ ଜନତା ଦଳ ଚୁପ୍ ବସିବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।