
ଭୁବନେଶ୍ୱର:୧୫/୯-ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଆହ୍ୱାନ କ୍ରମେ ଗତ ଅଗଷ୍ଟ ମାସରେ ‘ଭୋଟ୍ ଚୋର ଗାଦି ଛାଡ’ ସ୍ଲୋଗାନ ଦେଇ ମଶାଲ ଶୋଭାଯାତ୍ରା ଓ ରାଲି ପରି କାର୍ଯ୍ୟକ୍ରମମାନ ଦଳୀୟ ନେତା ଓ କର୍ମୀଙ୍କ ପରିଶ୍ରମ ବଳରେ ପ୍ରାୟ ସବୁ ଜିଲ୍ଲାରେ ସଫଳ ହୋଇଛି। ତେବେ ଏହି ଭୋଟ ଚୋରି ପ୍ରସଙ୍ଗକୁ ଏକ ଅର୍ଥପୂର୍ଣ୍ଣ ଉପସଂହାରରେ ପହଞ୍ଚାଇବା ପାଇଁ ଏଆଇସିସି ପକ୍ଷରୁ ୧୫ ସେପ୍ଟେମ୍ବରଠାରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଏକମାସ ବ୍ୟାପୀ ଆଉ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସମଗ୍ର ଦେଶରେ ଭୋଟ୍ ଚୋରି ବିରୋଧରେ ୫ କୋଟି ଦସ୍ତଖତ ସଂଗ୍ରହ କରାଯିବ। ଓଡିଶାରେ ଦଳର ଅଗଣିତ ନେତା ଓ କର୍ମୀ ଏହି କାର୍ଯ୍ୟରେ ସକ୍ରିୟ ସଂପୃକ୍ତି ଦେଖାଇବା ପାଇଁ ପିସିସି ସଭାପତି ଭକ୍ତ ଦାସ ଆହ୍ଵାନ ଦେଇଛନ୍ତି।
ଜିଲ୍ଲା ସଂଯୋଜକମାନଙ୍କ ସଂଯୋଜନାରେ ଦଳର ସମସ୍ତ କର୍ମକର୍ତ୍ତା, ସବୁ ଛାମୁଆ ସଂଗଠନ ସାରା ରାଜ୍ୟରେ ଘରକୁ ଘର ବୁଲି ଏହି ଦସ୍ତଖତ ସଂଗ୍ରହ ଅଭିଯାନରେ ସାମିଲ ହେବାପାଇଁ ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା, ସାମାଜିକ କର୍ମୀ, ସ୍ଥାନୀୟ ସଂଗଠନଗୁ଼ଡିକର କାର୍ଯ୍ୟକର୍ତ୍ତା ଏପରିକି ଚାକିରିଆମାନଙ୍କୁ ମଧ୍ୟ ଦଳର ନେତୃବୃନ୍ଦ ଓ କର୍ମୀମାନେ ସଂପୃକ୍ତ କରିବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଦସ୍ତଖତ ଅଭିଯାନ ଚାଲିବା ସମୟରେ ବିଭିନ୍ନ ସ୍ଥାନରେ ସାଧାରଣ ସଭା, ସାମାଜିକ ଗଣମାଧ୍ୟମରେ ଉପସ୍ଥିତି, ସାମ୍ବାଦିକ ସମ୍ମିଳନୀ ଆଦି ଆୟୋଜନ କରାଯିବ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ପିସିସି ପକ୍ଷରୁ ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲାମାନଙ୍କୁ ପଠାଯିବ। ଦେଶରେ ଚାଲିଥିବା ଭୋଟ୍ ଜାଲିଆତି ବିରୋଧରେ ଏହା ଏକ ଶକ୍ତିଶାଳି ଦସ୍ତାବିଜ ହେବ। ଏଆଇସିସି ପକ୍ଷରୁ ପ୍ରସ୍ତୁତ ଏକ ଘୋଷଣାନାମରେ ସଂଗୃହିତ ଏହି ୫ କୋଟି ଦେଶବାସୀଙ୍କ ଦସ୍ତଖତ ସମ୍ବଳିତ ନଥିପତ୍ରକୁ ନିର୍ବାଚନ ଆୟୋଗ ଓ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରାଯିବ ବୋଲି ଏଆଇସିସିର ସାଧାରଣ ସଂପାଦକ(ସଂଗଠନ) କେସି ଭେନୁଗୋପାଳ ସୂଚନା ଦେଇଥିବା ଶ୍ରୀ ଦାସ କହିଛନ୍ତି।