ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର:୧୧/୮- କେବଳ ରାଜ୍ୟରେ ନୁହେଁ ଦେଶ ବିଦେଶରେ ଜଣେ ପ୍ରତିଷ୍ଠିତ ଫଟୋ ସାମ୍ବାଦିକ ଭାବେ ପରିଚୟ ହାସଲ କରିଥିବା ତଥା ସମ୍ବାଦ, ଫଟୋ ଓ ଫଟୋ ଫିଚର ପାଇଁ ସୁନାମ ହାସଲ କରିଥିବା ସଂସ୍ଥା ‘ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ଏବଂ ଇପିଏ ଉଇକ୍ଲି’ର ପ୍ରତିଷ୍ଠାତା ସ୍ୱର୍ଗତ ଅନିଲ ପ୍ରସାଦ ମିଶ୍ର ଥିଲେ ସ୍ୱାଭିମାନୀ। ଗୀତଗୋବିନ୍ଦ ସଦନରେ ଆୟୋଜିତ ସ୍ୱର୍ଗତ ମିଶ୍ରଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭାରେ ଏହା କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଶ୍ରୀ ଦାସ ତାଙ୍କର ସ୍ମୃତିଚାରଣ କରି କହିଥିଲେ,ଅନିଲ ଫଟୋ ମାଧ୍ୟମରେ ଅନେକ ବାର୍ତ୍ତା ଦେଉଥିଲେ। ତାଙ୍କ ଫଟୋ କଥା କହୁଥିଲା, ସମାଜକୁ ସଚେତନ କରିବା ସହ ଶାସକ ଓ ବିରୋଧୀ ଦଳକୁ ବାଟ ଦେଖାଉଥିଲା। ସେ କାହାକୁ କେବେ ସହଯୋଗ ମାଗି ନଥିବା ଶ୍ରୀ ଦାସ କହିଥିଲେ।

ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ବିଜୁବାବୁଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା। ବିଜୁବାବୁ ତାଙ୍କ ବହୁତ ଭଲ ପାଉଥିଲେ। ତାଙ୍କର ଫଟୋକୁ ନେଇ ବିଜୁ ଗ୍ୟାଲେରୀ କରିଥିଲେ। ସ୍ମୃତି ସଭାରେ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କର୍ପୋରେଟର ଆସିଆ ବେଗମ, ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତିଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସିର ସାମ୍ବାଦିକଙ୍କ ସମେତ ବହୁ ମାନଗ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଇପିଏ ଉଇକ୍ଲିର ସମ୍ପାଦିକା ଅଞ୍ଜଳି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା। ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା।ସମ୍ମାନିତ ଅତିଥିମାନେ ସ୍ୱର୍ଗତ ମିଶ୍ରଙ୍କ କାର୍ଯ୍ୟ, ନିଷ୍ଠା ଓ ବଳିଷ୍ଠ ଉଦ୍ୟମର ପ୍ରଶଂସା କରିବା ସହିତ କିଭଳି ଅନେକ ସାମ୍ବାଦିକଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି ସେ ବାବଦରେ ମତ ରଖିଥିଲେ।


ଏହି ଅବସରରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଇପିଏ ଉଇକ୍ଲିର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଦାୟିତ୍ୱରେ ଥିଲେ ବରିଷ୍ଠ ସାମ୍ବାଦିକା ସୌମ୍ୟା ତ୍ରିପାଠୀ।