
ଭୁବନେଶ୍ୱର:15/7-ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ବାଲେଶ୍ୱର ଫକୀର ମୋହନ କଲେଜର ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଆତ୍ମାହୁତି ଉଦ୍ୟମ କରିଥିବା ସୌମ୍ୟାଶ୍ରୀଙ୍କ ଶରୀରର 95 ପ୍ରତିଶତ ଜଳି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଶନିବାର ଦିନ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା।ଆଠ ଜଣିଆ ଡାକ୍ତରୀ ଦଳ ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତ୍ୟୁ ସହ 60 ଘଣ୍ଟା ସଂଗ୍ରାମ କରି ସୋମବାର ରାତି ୧୧ଟା ୪୬ରେ ସେ ଆରପାରିକୁ ଚାଲି ଯାଇଥିଲେ। ନ୍ୟାୟ ଭିକ୍ଷା କରି ନିରାଶ ହେବା ପରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ସୌମ୍ୟାଶ୍ରୀ। ତାଙ୍କୁ ୧୨ ତାରିଖରେ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ଏବଂ ପରେ ଏମ୍ସ ଅଣାଯାଇଥିଲା। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ଅବସ୍ଥା ଏଭଳି ଥିଲା ଯେ ତାଙ୍କୁ ଦିଲ୍ଲୀକୁ ଏୟାରଲିଫ୍ଟ କରିବା ମଧ୍ୟ ସମ୍ଭବ ନ ଥିଲା । ଏମ୍ସ ପକ୍ଷରୁ ସୋମବାର ରାତିରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବର ଘୋଷଣା କରାଯାଇଥିଲା। ରାତି ୧୧ଟା ୪୬ ରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା ।
ରାତି ଅଧରେ ଶବ ବ୍ୟବଚ୍ଛେଦକୁ ବିରୋଧ କରି ବିଜେଡି, କଂଗ୍ରେସର ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଥିଲେ। ସୋମବାର ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମସ୍ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ତାଙ୍କ ପରିବାରକୁ ଭେଟିଥିଲେ। ରାତି ୧୧ଟା ପରେ ଏମ୍ସ ପରିସରରେ ପୁଲିସ ଛାଉଣି ଦେଖିବାକୁ ମିଳିଥିଲା ।