ଭୁବନେଶ୍ୱର :2/12/2024-‘ଦକ୍ଷିଣ ଓଡିଶା ବିକାଶ ପରିଷଦ’ ଗଠନ କରିବା ପାଇଁ ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଓଡିଶାର ଦକ୍ଷିଣାଞ୍ଚଳର ବିକାଶ ସହିତ ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି।
ଏହି ବିକାଶ ପରିଷଦ କିପରି ଗଠିତ ହେବ, ଏଥିରେ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବ ଏବଂ ଏହାର ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀ କଣ ରହିବ, ସେ ସମ୍ପର୍କରେ ସୁଚିନ୍ତିତ ମତାମତ ଦେବା ପାଇଁ ଏହି ଟାସ୍କଫୋର୍ସ ଗଠନ କରାଯାଇଛି। ଗଠନ ହେବାର ୩୦ ଦିନ ମଧ୍ୟରେ ଏହି ଟାସ୍କଫୋର୍ସ ରିପୋର୍ଟ ଦାଖଲ କରିବ।ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଛି।

ଏହି ଟାସ୍କଫୋର୍ସରେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,
କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଓ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ସଦସ୍ୟ ଭାବେ ରଖାଯାଇଛି। ଏମାନଙ୍କ ସହିତ ୩ ଜଣ ଏକ୍ସ ଅଫିସିଓ ସଦସ୍ୟ ମଧ୍ୟ ରହିଛନ୍ତି। ସେମାନେ ହେଲେ ଦକ୍ଷିଣାଞ୍ଚଳ ଆରଡିସି, କେନ୍ଦ୍ରାଞ୍ଚଳ ଆରଡିସି ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଏହାର ସଦସ୍ୟ ଆବାହକ ଅଛନ୍ତି।
