କଳା କାରିଗରିକୁ ପ୍ରଶଂସା କଲେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର: ୨୫ ନଭେମ୍ବର ୨୦୨୪-ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ଠାରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏହି ମେଳାରେ ଅନ୍ୟତମ ଆକର୍ଷଣ ସାଜିଥିବା ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ। ସେଠାରେ ସ୍ଥାନ ପାଇଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ‘ଓଡ଼ିଶା ମଣ୍ଡପ’ର ଆକର୍ଷଣୀୟ ଡିଜାଇନକୁ ସେ ପ୍ରଶଂସା କରିଛନ୍ତି।
ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଉଛି। ଆଧୁନିକ ଶିକ୍ଷା, ଗମନା ଗମନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ବିଷୟରେ ବିଶେଷ ଉନ୍ନତି କରୁଛି। ଏହି ବିକାଶର ଚିତ୍ର ଓଡ଼ିଶା ମଣ୍ଡପରେ ପ୍ରତିଫଳିତ ହେଉଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଯେଉଁ ଲକ୍ଷ୍ୟ ରହିଛି ସେଥିରେ ଓଡ଼ିଶାର ଉଲ୍ଲେଖନୀୟ ଯୋଗଦାନ ରହିବ ବୋଲି ସେ କହିଛନ୍ତି।
ସେହିପରି ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍ ମଧ୍ୟ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ। ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ଓଡ଼ିଶାର କଳା କାରିଗରିକୁ ପ୍ରଶଂସା କରିଛନ୍ତି।
ଓଡ଼ିଶା ମଣ୍ଡପକୁ ଆକର୍ଷଣୀୟ କରାଯାଇଛି। ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶା ଭାଗନେଇ ଏହାର କଳା, ସଂସ୍କୃତି ଓ ଏତିହ୍ୟକୁ ପ୍ରଦର୍ଶନ କରୁଛି। ଓଡ଼ିଶାର ଶିଳ୍ପୀ ଓ କାରିଗରମାନଙ୍କ ସୂକ୍ଷ୍ମ କାରୁକାର୍ଯ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଛି ବୋଲି କହିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସେଠ୍। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମାଣ୍ଡିଆ ଓ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ କିଣିଥିଲେ।

ଓଡ଼ିଶା ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯାଇଛି। ଏଥିରେ ପ୍ରଦର୍ଶିତ ଅନନ୍ୟ ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ସହିତ ବିଭିନ୍ନ ଗ୍ରାମୀଣ ଉତ୍ପାଦ ମିଶନ ଶକ୍ତି ମହିଳାଙ୍କ ହାତ ତିଆରି ଜିନିଷ ଏବଂ ଜନଜାତିଙ୍କ କଳାକୃତି ଆଦି ସମସ୍ତଙ୍କୁ ଆକର୍ଷିତ କରୁଛି।