
ଭୁବନେଶ୍ୱର:୨୨/୯- କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଛନ୍ତି । ଗୃହରେ ଅଚଳାବସ୍ଥା ଦୂର ହେଉନଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କଲେନାହିଁ। ବିଧାନସଭାରେ ଏନେଇ ସେ ଘୋଷଣା କରିଛନ୍ତି ।ଏହାର ପ୍ରତିବାଦ କରି କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ଗତ ୧୮ ତାରିଖରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ବିଧାନସଭା ସଚିବଙ୍କୁ ଏ ସମ୍ପର୍କରେ ଦଳ ପକ୍ଷରୁ ଚିଠି ଦିଆଯାଇଥିଲା । ସୋମବାର ବାଚସ୍ପତି ସୁରମା ପାଢ଼ୀ ରାଜ୍ୟରେ ବିଜେପି ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ଦଳର ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଛନ୍ତି।
ବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ଖାରଜ କରି କହିଥିଲେ, ସେ ଏ ସମ୍ପର୍କରେ ନୋଟିସ ପାଇବାର ଗୋଟିଏ ଦିନ ପରେ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଏହା ଅଣାଯାଇପାରିଲା ନାହିଁ। ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରି ପ୍ରତିବାଦ କରିଥିଲେ। ପରେ କକ୍ଷତ୍ୟାଗ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣାରେ ବସିଥିଲେ।